Odisha News

ଏଥର ଆସିବେନି ନବୀନ, ତାଙ୍କୁ ବାଏ ବାଏ କରିଛନ୍ତି ଓଡ଼ିଆ ଜନତା: ସୋରଡ଼ାରେ ଗର୍ଜିଲେ ଶାହ

ଭୁବନେଶ୍ବର/ସୋରଡ଼ା,୧୫/୫: ଓଡ଼ିଶାରେ ରୋଜଗାର ଅଭାବ କାରଣରୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ ବିଜେପି ସରକାର ଆସିଲେ ରୋଜଗାର ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ଗଂଜାମ ଜିଲ୍ଲା ସୋରଡ଼ାରେ ‘ବିଜୟ ସଂକଳ୍ପ ସମାବେଶ’ରେ ଜୋର ଦେଇ ଏହା କହିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ଚାଷୀଙ୍କ ଆୟ ସର୍ବନିମ୍ନ। ପଡ଼ୋଶୀ ଛତିଶଗଡ଼ ବହୁ ପଛରେ ରାଜ୍ୟ ହୋଇ ମଧ୍ୟ ସେଠାରେ ଚାଷୀମାନଙ୍କର ଆୟ ଓଡ଼ିଶା ତୁଳନାରେ ଅଧିକ। ଛତିଶଗଡ଼ରେ ବିଜେପି ସରକାର ଧାନ କୁଇଣ୍ଟାଲ ୩୧୦୦ ଟଙ୍କାରେ କିଣୁଛି।
କେନ୍ଦ୍ରମନ୍ତ୍ରୀ ଶାହ ସଭା ଆରମ୍ଭରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦ୍ବିତୀୟ ଥର ନବୀନ ବାବୁ ଆସିବ ନାହିଁ ବୋଲି କହିଛନ୍ତି। ଓଡ଼ିଶାର ଜନତା ତାଙ୍କୁ ବିଦାୟ ଦେଉଛନ୍ତି। ଓଡ଼ିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ହେବେ। ଗତ ୨୫ ବର୍ଷ ମଧ୍ୟରେ ନବୀନ ବାବୁ ଓଡ଼ିଶାକୁ ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି। ଓଡ଼ିଶାର ୬୪୧୨ ଗାଁକୁ ରାସ୍ତା ନାହିଁ। ବିଜେପି ସରକାର ଆସିଲେ ୨ ବର୍ଷରେ ସବୁ ଗାଁକୁ ରାସ୍ତା ନିର୍ମାଣ କରାଯିବ।
ଅଯୋଧ୍ୟାରେ ରାମ ମନ୍ଦିର ନେଇ ଶାହ କହିଛନ୍ତି, ରାମ ମନ୍ଦିର ନିର୍ମାଣ ହେବାର ଥିଲା କି ନାହିଁ? ୭୦ ବର୍ଷ ହେଲା କଂଗ୍ରେସ ରାମ ମନ୍ଦିର ନିର୍ମାଣ କାମ ଅଟକାଇ ରଖିଥିଲା। ମୋଦୀ ଏହାର ଭୂମିପୂଜନ କରିଥିଲେ ଏବଂ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ମଧ୍ୟ କରିଥିଲେ। ନବୀନ ପଟ୍ଟନାୟକ ରାମ ଲଲ୍ଲା ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବାକୁ ସୁଯୋଗ ଦେଇ ନଥିଲେ। ପୁରୀ ଶ୍ରୀମନ୍ଦିର ଚାରିପାଖରେ ଥିବା ମଠ ମନ୍ଦିରକୁ ନବୀନ ସରକାର ଭାଙ୍ଗି ଦେଲେ। ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲା ନଯିବାରୁ ଭକ୍ତମାନେ ଗୋଟିଏ ଦ୍ବାରା ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବାରେ ଅସୁବିଧାର ସାମ୍ନା କରୁଛନ୍ତି। ରତ୍ନଭଣ୍ଡାରର ଚାବି ହଜିଯାଇଛି। ଡୁପ୍ଲିକେଟ୍ ଚାବି ମିଳିଛି। ଡୁପ୍ଲିକେଟ୍ ଚାବି କେମିତି ତିଆରି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ମୋଦୀ ପୂରା ଦେଶ ପାଇଁ କାମ କରୁଛନ୍ତି। ତାଙ୍କ ପାଖରେ ୧୦ ବର୍ଷର ରେକର୍ଡ ଏବଂ ୨୫ ବର୍ଷର ରୋଡମ୍ୟାପ ମଧ୍ୟ ଅଛି। ମୋଦୀ ସରକାର ଆସିବା ପରେ ଓଡ଼ିଶା ସମେତ ଦେଶରେ ନକ୍ସଲ ହିଂସା କମିଛି। ଦେଶର ପ୍ରତି ଗରିବ ଲୋକଙ୍କୁ ୫ କିଲୋ ଚାଉଳ ମାଗଣାରେ ମିଳୁଛି। ଦେଶରେ ୧୨ କୋଟି ଶୌଚାଳୟ ନିର୍ମାଣ, ୪ କୋଟି ଗରିବଙ୍କୁ ଘର, ଘରକୁ ଜଳ, ଆୟୁଷ୍ମାନ ଯୋଜନା ଲାଗୁ କରାଯାଉ ନାହିଁ। ଓଡ଼ିଶାର ଗରିବ ଲୋକଙ୍କୁ ମାଗଣାରେ ୫ ଲକ୍ଷ ମାଗଣା ସ୍ବାସ୍ଥ୍ୟ ସେବା ମିଳିବା କଥା ନାହିଁ କି?
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଯଦି ନେତା ପ୍ରତିନିଧି ସରକାରଙ୍କ ସ୍ଥାନରେ ବାବୁ ସରକାର ଚଳାଇବେ, ସେହିଭଳି ନେତାଙ୍କୁ ଭୋଟ୍ ଦେବେ କାହିଁକି? ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟ ଉପରେ ମଧ୍ୟ ସେ କହିଛନ୍ତି। ଆମେ ଓଡ଼ିଆ ଭାଷାକୁ ୧୦୦୦ ବର୍ଷ ପର‌୍ୟ୍ୟନ୍ତ ଜୀବନ୍ତ ରଖିବା ପାଇଁ କାମ କରିବୁ। ଆସିକାର ଏହି ପବିତ୍ର ମାଟିରେ ସର୍ବପ୍ରଥମେ ପ୍ରଭୁ ଜଗନ୍ନାଥଙ୍କୁ ସ୍ମରଣ କରି ସଭା ଆରମ୍ଭ କରୁଛି ବୋଲି କହିଥିଲେ। ସେହିପରି ସେ ଓଡ଼ିଶାର ମହାପୁରୁଷମାନଙ୍କୁ ମଧ୍ୟ ମନେ ପକାଇଥିଲେ।

Related Posts

Seo wordpress plugin by www.seowizard.org.