Odisha News

ଏଏସଓ ପରୀକ୍ଷା ଅନିୟମିତତା ମାମଲା : ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ,୧୩/୭: ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏଏସଓ ପରୀକ୍ଷା ଅନିୟମିତତା ମାମଲାର ଶୁଣାଣି ଶେଷ ହୋଇଛି। ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ଓଡ଼ିଶା ଉଚ୍ଚନ୍ୟାୟାଳୟ। ଓପିଏସସି ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟକୁ ହାଇକୋର୍ଟରେ ରିଟ୍ ଓ ରିଭ୍ୟୁ ଆବେଦନର ଶୁଣାଣି ଶେଷ ରାୟ ସଂରକ୍ଷିତ ରହିଛି।
ସୂଚନାଯୋଗ୍ୟ, ପୂର୍ବରୁ ହାଇକୋର୍ଟ ଏଏସଓ ଲିଖିତ ପରୀକ୍ଷା ମେରିଟ୍ ଖାରଜ କରି ପୁନଃ ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବଳବତ୍ତର ରହିଥିବା ବେଳେ ପୁଣି କିଛି ପରୀକ୍ଷାର୍ଥୀ ନିର୍ଦ୍ଦେଶକୁ ରିଭ୍ୟୁ କରିବା ପାଇଁ ହାଇକୋର୍ଟରେ ଦୁଇଟି ଆବେଦନ ହୋଇଥିଲା।
ଉଲ୍ଲେଖେଯୋଗ୍ୟ, ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଥିଲେ। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ନିଯୁକ୍ତି ନିୟମ ଅନୁସାରେ ଗ୍ରହଣୀୟ ନୁହେଁ।
ଓଡ଼ିଶା ସେକ୍ରେଟାରିଏଟ (ମେଥଡ ଅଫ୍ ରିକ୍ରୁଟମେଣ୍ଟ) ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ ଅଫ୍ ଏଏସଓ ରୁଲ୍ସ, ୨୦୧୬ର ଉଲ୍ଲଂଘନ କରି ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରାଯାଉଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଏଥି ସହିତ ୨୦୧୬ର ରୁଲ୍ସ ପାଳନ କରି ସାନି ମେଧା ତାଲିକା ୨ ମାସ ଭିତରେ ପ୍ରକାଶ କରିବାକୁ ହାଇେକାର୍ଟ ନିର୍ଦ୍ଦେଶ ଦେଇଥିଲେ।
ମାମଲାର ବିବରଣୀରୁ ପ୍ରକାଶ ଯେ, ୭୯୬ ଏଏସଓ ପଦ ପାଇଁ ୨୦୨୨, ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ୍ ୧ଲକ୍ଷ ୪୮ହଜାର ୮୮୮ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ଆରମ୍ଭରୁ ବିବାଦରେ ରହିଥିବା ଏଏସଓ ପରୀକ୍ଷାକୁ ନେଇ କେତେକ ପ୍ରାର୍ଥୀ ଧାରଣା ଦେଇଥିଲେ।
ଏ ନେଇ ପୂର୍ବରୁ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା। ହାଇକୋର୍ଟଙ୍କ ନଭେମ୍ବର ୧୪ର ରାୟ ଅନୁସାରେ୨୦୧୬, ସେପ୍ଟେମ୍ବର ୩ର ବିଜ୍ଞପ୍ତି ଓପିଏସି ପରୀକ୍ଷାଫଳ ପ୍ରକାଶ କରିଥିଲା। ସେମାନଙ୍କ ଭିତରୁ ୧୧୦୪ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ୨୦୨୨, ନଭେମ୍ବର ୭ରେ ଓପିଏସସି ବିଜ୍ଞପ୍ତି ପ୍ରକାଶ କରିଥିଲା।
ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ/ନଥିପତ୍ର ଯାଞ୍ଚ ଓ କମ୍ପ୍ୟୁଟର (ପ୍ରାକ୍ଟିକାଲ) ସ୍କିଲ ଟେଷ୍ଟ ପାଇଁ ଡକାଯାଇଥିଲା। କିନ୍ତୁ ଏହା ପରେ ମଧ୍ୟ ଏଏସଓ ନିଯୁକ୍ତି ପ୍ରକ୍ରିୟାର ବିବାଦ ପଛ ଛାଡି ନଥିଲା। ଏଏସଓ ପରୀକ୍ଷାରେ ନିୟମ ଉଲ୍ଲଂଘନ ହୋଇଛି। ନିୟମ ଅନୁସାରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଥିଲା।
ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ପ୍ରାର୍ଥୀ ବିଭିନ୍ନ ବିଷୟରେ ରଖିଥିବା ସର୍ବମୋଟ ମାର୍କକୁ ନେଇ ମେଧା ତାଲିକା ପ୍ରକାଶ କରାଯିବା କଥା। ଏପରି ନିୟମ ୨୦୧୮-୧୯ରେ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ମଧ୍ୟ ଲାଗୁ କରାଯାଇଥିଲା। କିନ୍ତୁ ଏଥର ନୂଆ ନିୟମ ଲାଗୁ କରି ଲିଖିତ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ମୂଳ ନିଯୁକ୍ତି ବିଜ୍ଞପ୍ତିରେ କେତେ ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ରହିବ ସେ ନେଇ କିଛି ଉଲ୍ଲେଖ ନଥିବା ବେଳେ ପ୍ରକ୍ରିୟା ଆରମ୍ଭ ପରେ ଏପରି ନିୟମ ଲାଗୁ କରାଯାଇଥିଲା।
୨୦୧୬ର ନିଯୁକ୍ତି ନିୟମ ଅନୁସାରେ ଏହି ମେଧା ତାଲିକା ପ୍ରକାଶ କରାଯାଇ ନଥିଲା। ୨୦୧୬ ନିୟମ ଓପିଏସସି ପାଳନ କରିବା ବଦଳରେ ନିଜେ ନିୟମ କରିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏଭଳି ଅନିୟମିତତା ଫଳରେ ବହୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡ଼ିଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।
ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ଓ ଓପିଏସସି ତରଫରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ମହାନ୍ତି ମାମଲା ପରିଚାଳନା କରୁଥିଲେ।

Related Posts

Seo wordpress plugin by www.seowizard.org.