ଉତ୍ତମ ସେବା ଯୋଗାଇଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୭/୧୨: ସୋମବାର ଦିନ ମୁରୁଶୁଣ୍ଢିସ୍ଥିତ ବୌଦ୍ଧବ୍ଲକ କାର୍ଯ୍ୟାଳୟର ପରିସରର ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ସହିତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି ଶିବିରରେ ସମୁଦାୟ ୫୯ ଟି ଅଭିଯୋଗ ପଂଜିକୃତ ହୋଇଥିବାବେଳେ ସେଥିମଧ୍ୟରୁ ୫୧ ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ସାମୁହିକ ଗ୍ରାମ ସମସ୍ୟା ସଂପର୍କିତ ୮ ଟି ଅଭିଯୋଗ ରହିଥିଲା ।
ସେଥିମଧ୍ୟରୁ ୩୨ ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା । ଜନଶୁଣାଣୀରେ ଜିଲ୍ଲାପାଳ ୮ ଜଣଙ୍କୁ କମ୍ବଳ ଓ ୧୦ ଜଣଙ୍କୁ ପେନଶନ ପ୍ରଦାନ କରିଥିଲେ । ସମସ୍ତ ଅଧିକାରୀମାନେ ନିଜର ବ୍ୟବହାର ଓ ଲୋକମାନଙ୍କ ପ୍ରତି ରହିଥିବା ମାନସିକତାରେ ପରିବର୍ତନ ଆଣି ସାଧାରଣଲୋକଙ୍କ ନିକଟରେ ପହଞ୍ଚି ଉଚିତ ନ୍ୟାୟ ପ୍ରଦାନ ଓ ଉତ୍ତମ ସେବା ପ୍ରଦାନ କରିବାକୁ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ପରାମର୍ଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ଜନଶୁଣାଣି ପୋର୍ଟାଲରେ ଆସୁଥିବା ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଆସନ୍ତାକାଲି ମନମୁଣ୍ଡା ଆରଏମସି ମାର୍କେଟ ୟାର୍ଡରେ ଜିଲାରେ କଣ୍ଟାମାଳ ବ୍ଲକ ପାଇଁ ଧାନକ୍ରୟ ଶୁଭାରମ୍ଭ ହେବାକୁ ଯାଉଥିବାବେଳେ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ ଭାବରେ ଧାନମଣ୍ଡି ଗୁଡିକରେ ସରକାରଙ୍କ ନିର୍ଦ୍ଦେଶାବଳୀ ମୁତାବକ ଚାଷୀମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ଜନଶୁଣାଣି ରେ ଚିକିତ୍ସା ସମ୍ବନ୍ଧୀୟ ଅଭିଯୋଗର ସଂଖ୍ୟା କମ୍ ହୋଇଥିବାରୁ ଜିଲାପାଳ ଖୁସିବ୍ୟକ୍ତ କରିବା ସହିତ ସମସ୍ତ ଜନଶୁଣାଣୀ ସ୍ଥାନରେ ସ୍ୱାସ୍ଥ୍ୟ ଶିବିରମାନ ଆୟୋଜନ କରାଯାଉଥିବା ନେଇ ସନ୍ତୋଷ ବ୍ୟକ୍ତ କରାଯାଇଥିଲା । ଆସନ୍ତା ୨୨ ତାରିଖଠାରୁ ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ଆରମ୍ଭ ହେଉଥିବାବେଳେ ୨୯ ତାରିଖ ଦିନ ଜିଲ୍ଲାସ୍ତରୀୟ ଉତ୍ସବ ହେବାକୁ ଥିବାରୁ ଏହି ଉତ୍ସବକୁ ସଫଳ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ବୌଦ୍ଧ ମହୋତ୍ସବ ୨୦୨୫ ଆସନ୍ତା ଜାନୁୟାରୀ ୨ ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାରୁ ସମସ୍ତ ଅଧିକାରୀ ଏଥିରେ ସାମିଲ ସକ୍ରିୟ ସହଯୋଗ କରିବା ପାଇଁ ଆହ୍ୱାନ କରାଯାଇଥିଲା ।
ଏହି ଜନଶୁଣାଣିରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା,ଜିଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେୱରକୋଣ୍ଡା,ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ର୍ରଧାନ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର,ଜିଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଜୟକୃଷ୍ଣ ମିଶ୍ର ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାଜରୁରୀ ଅଧିକାରୀ ସୁଧର୍ମା ମଲ୍ଲିକ,ବରିଷ୍ଠ ରାଜସ୍ୱ ସହାୟକ ସୁନୀଲ ବେହେରା,କନିଷ୍ଠ ରାଜସ୍ୱ ସହାୟକ ନେତ୍ରାନନ୍ଦ ପ୍ରଧାନ ଓ କନିଷ୍ଠ ସହାୟକ ସାନନ୍ଦ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।
ସେହିପରି ସ୍ୱାସ୍ଥ୍ୟ ଶିବିରକୁ ଡା.ଶର୍ମିଷ୍ଠା ବାଘ,ଡା.ଚମରୁ ବାଙ୍ଗସିଙ୍ଗ,ସୋନାଲିକା ଗାଈଗୌରିଆ ଓ ନର୍ମଦା ନାଏକ ପରିଚାଳନା କରିଥିଲେ । ପରେ ପରେ ଜିଲ୍ଲାପାଳ ମନମୁଣ୍ଡା ମାର୍କେଟ ୟାର୍ଡ ପରିଦର୍ଶନ କରିଥିଲେ ।