Odisha News

ଇଡିକୁ ସଫଳତା : ମିଳିଲା ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍, ଆଗ ପଛରେ ନଥିଲା ନମ୍ବର ପ୍ଲେଟ୍

ଭୁବନେଶ୍ୱର,୨୦/୧୧: ଶେଷରେ ଜବତ ହେଲା ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର କାର୍। ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ କାର୍ ଜବତ କରିଛନ୍ତି ଇଡି ଅଧିକାରୀ। ଚେଚିସ୍ ଓ ଇଞ୍ଜିନ ନମ୍ବରରୁ ଏହା ଅର୍ଚ୍ଚନାଙ୍କ କାର୍ ବୋଲି ସ୍ପଷ୍ଟ ହୋଇଛି। ଇଡି ଅଧିକାରୀ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। କାର୍ଟିକୁ ଜବତ କରି ଇଡି ଅଧିକାରୀମାନେ ଭୁବନେଶ୍ୱର ସ୍ଥିତ ସେମାନଙ୍କ ଅଫିସ୍କୁ ନେଇଛନ୍ତି।
ଶୁକ୍ରବାର ରାତିରେ ପ୍ରାୟ ସାଢ଼େ ୧୧ଟା ବେଳେ ଜଣେ ଅଜଣା ବ୍ୟକ୍ତି କାର୍ଟିକୁ ଆଣି ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ପାର୍କିଂ କରି ଚାଲି ଯାଇଥିଲେ। ଗାଡ଼ିଟିର ଆଗ ଓ ପଛରେ ନମ୍ବର ପ୍ଲେଟ୍ ନଥିଲା।
୨୪ ଘଣ୍ଟା ପରେ ବି କାର୍ଟିକୁ କେହି ନ ନେବାରୁ ସ୍ଥାନୀୟ ବାସିନ୍ଦାଙ୍କ ସନ୍ଦେହ ହୋଇଥିଲା। ଏହା ଚୋରା ଗାଡ଼ି ହୋଇଥାଇପାରେ ଓ ସେଥିପାଇଁ କେହି ଛାଡ଼ି ଦେଇ ଚାଲି ଯାଇଥାଇପାରେ ବୋଲି ସେମାନେ ସନ୍ଦେହ କରିଥିଲେ ଓ ଏ ନେଇ ପୁଲିସ୍କୁ ଜଣାଇଥିଲେ।
ଇଡି ଓ ପୁଲିସ ଅଧିକାରୀ ପହଞ୍ଚି ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲେ। ତଦନ୍ତ ପରେ ଏହା ଅର୍ଚ୍ଚନାଙ୍କର ଗାଡ଼ି ବୋଲି ସ୍ପଷ୍ଟ ହୋଇଥିଲା। କାର୍ଟିକୁ ସେଠାରୁ ନେବା ଲାଗି ଇଡି ଅଧିକାରୀମାନେ ପ୍ରଥମେ ଏକ ଭେହିକିଲ୍ ଯୋଗେ ଗାଡ଼ିକୁ ଟାଣି ଟାଣି ନେବାକୁ ଚେଷ୍ଟା କରିଥିଲେ। ମାତ୍ର କାର୍ଟି ପାର୍କିଂ ମୋଡ୍ରେ ଥିବାରୁ ତାକୁ ଟାଣିକରି ନେବା ସମ୍ଭବ ହୋଇ ନଥିଲା।
ତେଣୁ ଶୋ’ରୁମ୍ର ଟେକ୍ନିସିଆନଙ୍କ ସହାୟତାରେ କାର୍ର ଲକ୍ ଖୋଲି ତାକୁ ନୂଆପଲ୍ଲୀ ସ୍ଥିତ ଇଡି କାର‌୍ୟ୍ୟାଳୟକୁ ନିଆଯାଇଥିଲା। କାର୍ ଭିତରୁ ନମ୍ବର ପ୍ଲେଟ୍ ମିଳିଛି। ତେବେ କାର୍ଟି ଏତେଦିନ ପର୍ଯ୍ୟନ୍ତ କେଉଁଠି ଥିଲା ଏବଂ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଆଣି କିଏ ରଖିଲା, ତାର ତଦନ୍ତ ଚାଲିଛି।
ଅର୍ଚ୍ଚନାଙ୍କ ସମ୍ପତ୍ତିର ଖୋଳତାଡ଼ ବେଳେ ତାଙ୍କର ୪ଟି କାର୍ ଥିବା ଜଣାପଡ଼ିଥିଲା। ସେଥିରୁ କ୍ରେଟା ଓ ଫର୍ଚ୍ୟୁନର୍ କାର୍କୁ ସେ ବିକ୍ରି କରି ଦେଇଥିବା ବେଳେ ଥାର୍ କାର୍ଟିକୁ ଇଡି ଜବତ କରିଥିଲା। କିନ୍ତୁ ଏଣ୍ଡେଭର କାର୍ର ପତ୍ତା ମିଳୁ ନଥିଲା।
ଏଣୁ ଇଡି ପକ୍ଷରୁ ଦୁଇ ଦିନ ତଳେ ଚେତାବନୀ ଦିଆଯାଇଥିଲା। ଇଡି ପକ୍ଷରୁ କୁହାଯାଇଥିଲା, ଯଦି କାହା ପାଖରେ ଏହି କାର୍ଟି ରହିଛି, ତା’ହେଲେ ତୁରନ୍ତ ହସ୍ତାନ୍ତର କରନ୍ତୁ, ନହେଲେ ପରବର୍ତ୍ତୀ ସମୟରେ ଠାବ କରାଗଲେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବ। ହୁଏତ ଇଡିର ଏହିପରି ଚେତାବନୀରେ ଡରି କେହି କାର୍ଟି ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଛାଡ଼ି ପଳାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ୨୦୨୦ରେ ଅର୍ଚ୍ଚନା ନଗଦ ୩୩ ଲକ୍ଷ ଟଙ୍କା ଦେଇ ଏହି ଏଣ୍ଡେଭର୍ କାର୍ଟିକୁ କିଣିଥିଲେ। ଇଡି ପାଖରେ ହାଜର ହୋଇ କାର୍ ଶୋ’ ରୁମ୍ ମାଲିକଙ୍କ ପୁଅ ଏହି କଥା କହିଥିଲେ। ଅର୍ଚ୍ଚନା ନଗଦ ଏତେ ଟଙ୍କା କେଉଁଠୁ ପାଇଲେ ସେ ଦିଗରେ ବି ଇଡି ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.