Odisha News

ଆସ୍ଥା ଓ ବିଶ୍ୱାସର ଅନନ୍ୟ ଆଦିପୀଠ — ବେଦବ୍ୟାସ


ବିଶ୍ୱରୂପା ବେହେରା


ଓଡିଶାର ଶିଳ୍ପ ନଗରୀ ରାଉରକେଲାକୁ ଆଧୁନିକତାର ସହରୀ ଜୀବନଶୈଳୀ ସହ ଯୋଡ଼ାଯାଏ । ଏହି କ୍ରମରେ ସମ୍ପୃକ୍ତ ସହରକୁ ୨୦୧୬ରେ ଦେଶର ଅନ୍ୟତମ ସ୍ମାର୍ଟସିଟି ଭାବେ ପରିଚୟ ମିଳେ । ଅପରପକ୍ଷେ, ସହରରୁ ପ୍ରାୟ ପନ୍ଦର କିଲୋମିଟର ଦୂରରେ ଅବସ୍ଥିତ ବେଦବ୍ୟାସ ଧାମ ଇସ୍ପାତ ନଗରୀ ଅନ୍ୟ ଏକ ପରିଚୟକୁ ଉଜାଗର କରେ।

ଅତ୍ୟାଧୁନିକ ସହରୀକରଣ ଓ ଶିଳ୍ପୀକରଣର ତୀବ୍ର ପ୍ରଭାବ ମଧ୍ୟରେ ବେଦବ୍ୟାସ ଧାମ ଆଜି ମଧ୍ୟ ଆସ୍ଥା,ସଂସ୍କୃତି ଓ ଇତିହାସର ଏକ ଅତୁଟ ପ୍ରତୀକ ଭାବେ ଦଣ୍ଡାୟମାନ ହୋଇଛି । ଏହି ପୀଠ ମଣିଷକୁ ଦୈନଦିନ ଜୀବନର ଅସ୍ଥିରତା ମଧ୍ୟରେ ଶାନ୍ତି ଓ ଆତ୍ମସାନ୍ଧାନର ପଥ ପ୍ରଦର୍ଶକ ସାଜିଥିବା ଏହି ପୀଠ ର ସବୁଠାରୁ ବଡ ମହତ୍ୱ ବୋଲି କୁହାଯାଏ । ଏହା ଛଡା ଏହି ସ୍ଥଳ ଶଙ୍ଖ, କୋଏଲ ଏବଂ ସରସ୍ୱତୀ ତିନି ନଦୀର ସଙ୍ଗମ ସ୍ଥଳ ହୋଇଥିବାରୁ ଏହାକୁ ବେଦବ୍ୟାସ ଘାଟ ବୋଲି ମଧ୍ୟ କୁହାଯାଏ । ତେବେ ଏହି ପୀଠ ହେଉଛି ଓଡିଶାର ପୌରାଣିକ ଇତିହାସର ଏକ ଅମୂଲ୍ୟ ଆଧାର । ପୁରାଣ ଓ ଲୋକକଥା ଅନୁସାରେ, ପୌରାଣିକ ଗ୍ରନ୍ଥ ମହାଭାରତର ରଚୟିତା ମହର୍ଷି ବେଦବ୍ୟାସ ଏହି ସ୍ଥାନରେ ଦୀର୍ଘ ସମୟଧରି ଧ୍ୟାନ ଓ ତପସ୍ୟା କରିଥିଲେ । ଏହି ସଙ୍ଗମ ସ୍ଥଳର ପବିତ୍ର ପରିବେଶରେ ବସି ମହାଭାରତର ଅନେକ ଅଂଶ ରଚନା କରିଥିଲେ । ସେହି ସ୍ମୃତିକୁ ଆଧାରକରି ଏହି ସ୍ଥାନର ନାମ ‘ ବେଦବ୍ୟାସ ‘ ରଖାଯାଇଥିବା ବିଶ୍ୱାସ ରହିଛି ।
ବେଦବ୍ୟାସ ମନ୍ଦିରର ଆରାଧ୍ୟ ଦେବତା ହେଉଛନ୍ତି ଭଗବାନ ଶିବ । ବଡ କଥା ହେଉଛି, ଏହି ମନ୍ଦିର ପରିସରକୁ ପ୍ରବେଶ କଲେ ସହରର ସମସ୍ତ କୋଳାହଳ ଶାନ୍ତ ପଡିଯାଉଥିବା କୁହାଯାଏ । ସେହିପରି ଶାନ୍ତ ପରିବେଶ, ନଦୀର କୁଳୁକୁଳୁ ଶବ୍ଦ, ମନ୍ଦିରର ଘଣ୍ଟାନାଦ ଶ୍ରଦ୍ଧାଳୁଙ୍କୁ ଏକ ଆତ୍ମିକ ଶାନ୍ତିର ଅନୁଭୂତି ଦେଇଥାଏ । ଫଳରେ ପ୍ରତିଦିନ ଏହି ମନ୍ଦିରକୁ ଭକ୍ତ ଙ୍କ ଅହରହ ଭିଡ ଲାଗିରହିଥାଏ । ଇତିହାସକୁ ଦୃଷ୍ଟିରେ ରଖିଲେ, ବେଦବ୍ୟାସ ଧାମ ପ୍ରାଚୀନ କାଳରେ ମୁନି-ଋଷିଙ୍କ ଆଶ୍ରମ ଓ ଜ୍ଞାନ ଚର୍ଚ୍ଚାର କେନ୍ଦ୍ର ଥିଲା । ଗୁରୁକୂଳ ପରମ୍ପରା, ବେଦପୁରାଣ ଅଧ୍ୟୟନ ତଥା ଧର୍ମ ସାଧନା ଏଠାରେ ହୋଇଥିବାର ଉଲ୍ଲେଖ ମିଳେ। ମହାଶିବରାତ୍ରୀ, ଶ୍ରାବଣ ମାସ ସୋମବାର ଓ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ବେଦବ୍ୟାସ ଧାମରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । ଶିବରାତ୍ରୀରେ ସମଗ୍ର ଧାମ ଦୀପମାଳା, ଭଜନ କୀର୍ତ୍ତନ ଓ ‘ହର ହର ମହାଦେବ’ ନାଦରେ ଗୁଞ୍ଜରିତ ହୋଇ ଉଠେ । ସର୍ବୋପରି କହିବାକୁ ଗଲେ ଏହି ପୀଠ ନିଜର ଶାନ୍ତ ଓ କମନୀୟ ପରିବେଶ ପାଇଁ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରେ ।


(ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ୍ ମାସକମ୍ୟୁନିକେଶନ (ଆଇଆଇଏମସି), ଢେଙ୍କାନାଳ, ଓଡ଼ିଶା)

Related Posts