Odisha News

ଆସନ୍ତା ୨୪ ତାରିଖ ବେଳକୁ ଅବପାତ କିମ୍ବା ଛୋଟ ଧରଣର ବାତ୍ୟା ସମ୍ଭାବନା

ଭୁବନେଶ୍ବର,୧୭/୧୦ : ରାଜ୍ୟରେ ଆଜି ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଥିବା ବେଳେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନାହିଁ। ଆସନ୍ତା ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଓ ଓଡ଼ିଶାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଯିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଫଳରେ ୧୮ ତାରିଖ ଆଡ଼କୁ ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଜିଲ୍ଲାରୁ ମୌସୁମୀ ଫେରିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଅନ୍ୟପଟେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ୧୮ ତାରିଖ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ପରବର୍ତୀ ସମୟରେ ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଗତି କରିବା ସହ ୨୦ ତାରିଖ ଆଡ଼କୁ ଏହା ଏକ ଲଘୁଚାପର ରୂପ ନେବ।
ଏହି ଲଘୁଚାପ ଅଧିକରୁ ଅଧିକ ଘନୀଭୂତ ହେବା ନେଇ ସାମୁଦ୍ରିକ ପାରିପାଶ୍ବିକ ପରିବେଶ ଅନୁକୂଳ ହେଉଥିବା ବେଳେ ଓଡ଼ିଶାରୁ ମୌସୁମୀ ଫେରିଯିବା ନେଇ ଓଲଟ ଗଣତି ମଧ୍ୟ ଆରମ୍ଭ ହୋଇଗଲାଣି। ଫଳରେ ଲଘୁଚାପ ଅଧିକରୁ ଅଧିକ ଘନୀଭୂତ ହୋଇ ବାତ୍ୟା ପାଇଁ ପରିବେଶ ଅନୁକୂଳ ସୃଷ୍ଟି ହେଉଥିବା ପୂର୍ବାନୁମାନ କରାଯାଉଛି।
ତେବେ ଏନେଇ ୧୮ ତାରିଖ ବେଳକୁ ସ୍ପଷ୍ଟ ସୂଚନା ମିଳିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ। କିଛି ସ୍ଥାନରେ କାଁ ଭାଁ ବର୍ଷା ମଧ୍ୟ ହୋଇପାରେ। ଦିନର ସର୍ବାଧିକ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୪ ଡିଗ୍ରି ରହିବ।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୦ ତାରିଖରେ ଲଘୁଚାପ ସୃଷ୍ଟି ପରେ ୨୩ ତାରିଖରେ ଏହା ଅଧିକ ଘନୀଭୂତ ହେବ। ୨୪ରେ ଏହା ସମୁଦ୍ରରେ ଥିବା ବେଳେ ଏକ ଛୋଟ ଧରଣର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୬୮ କିମି ରହିବ।
୨୫ ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶ ବା ସଂଲଗ୍ନ ଓଡ଼ିଶା ଉପକୂଳରେ ରହିପାରେ। ଏହାର ପ୍ରଭାବରେ ୨୪ ଓ ୨୫ ତାରିଖ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ୨୨ ତାରିଖରୁ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେବାର ଆକଳନ କରାଯାଉଛି। ଯଦି ହୁଏ, ତେବେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନାକୁ ଏଡ଼ାଯାଇନପାରେ।

Related Posts

Seo wordpress plugin by www.seowizard.org.