Odisha News

ଆସନ୍ତା ରଥଯାତ୍ରା ପୂର୍ବରୁ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ୍’: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୨୬/୧୧: ରାଜ୍ୟବାସୀ ଓ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ରଥଯାତ୍ରା ପୂର୍ବରୁ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ୍’। ଇଷ୍ଟକୋଷ୍ଟ ରେଲୱେର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ନିମନ୍ତେ ଭୁବନେଶ୍ୱର ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଏହି ଘୋଷଣା କରିଛନ୍ତି।
ରେଳ ମନ୍ତ୍ରୀ କହିଛନ୍ତି, ଭାରତ ଗୌରବ ପ୍ରକଳ୍ପ ଅଧୀନରେ ଗଡ଼ିବ ‘ଜଗନ୍ନାଥ ଏକ୍ସପ୍ରେସ’। ଏହି ପ୍ରକଳ୍ପ ଅଧୀନରେ ଏହା ହେବ ଦ୍ୱିତୀୟ ଏକ୍ସପ୍ରେସ। ଏହା ପୂର୍ବରୁ ଏହି ପ୍ରକଳ୍ପ ଅଧୀନରେ ରାମାୟଣ ଏକ୍ସପ୍ରେସ ଗଡ଼ୁଥିବା ବେଳେ ତାହା ରାମାୟଣର ପ୍ରଚାର ପ୍ରସାର କରୁଛି। ‘ଜଗନ୍ନାଥ ଏକ୍ସପ୍ରେସ’ର ରୂପରେଖ ଓ ଡିଜାଇନ ଆଦି ଫାଇନାଲ ହୋଇ ସାରିଛି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରିବ ଏହି ଏକ୍ସପ୍ରେସ।
‘ଜଗନ୍ନାଥ ଏକ୍ସପ୍ରେସ’ କେଉଁ ଅଞ୍ଚଳରୁ କେଉଁ ଅଞ୍ଚଳକୁ ଗଡ଼ିବ ସେ ନେଇ କିଛି ସୂଚନା ଦେଇ ନାହାନ୍ତି ରେଳ ମନ୍ତ୍ରୀ। ଅନ୍ୟପକ୍ଷରେ ରାଜ୍ୟରେ ଖୁବ୍ ଶୀଘ୍ର ‘ବନ୍ଦେ ଭାରତ ଏକ୍ସପ୍ରେସ’ ଗଡ଼ିବ ବୋଲି ସେ କହିଛନ୍ତି। ତା’ସହିତ ରାଜ୍ୟ ସରକାର ପ୍ରସ୍ତାବ ଦେଲେ ମେଟ୍ରୋ ଟ୍ରେନ୍ ବି ଚାଲିବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ରେଳ ମନ୍ତ୍ରୀ କହିଛନ୍ତି, ମେଟ୍ରୋ ଟ୍ରେନ୍ ଚଲାଇବା ନେଇ ରାଜ୍ୟ ସରକାର ଏଯାଏଁ କିଛି ପ୍ରସ୍ତାବ ଦେଇ ନାହାନ୍ତି। ରାଜ୍ୟ ସରକାର ପ୍ରସ୍ତାବ ଦେଲେ ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ଚାଲିବ।
ୟୁପିଏ ସରକାର ଅମଳରେ ଓଡ଼ିଶାକୁ ମିଳୁଥିବା ରେଳ ଅନୁଦାନ ଓ ଏବେର ରେଳ ଅନୁଦାନ ମଧ୍ୟରେ ଆକାଶ ପାତାଳ ତଫାତ ଥିବା କହିଛନ୍ତି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ। ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ସେ କହିଛନ୍ତି, ୟୁପିଏ ଶାସନ ସମୟରେ ଓଡ଼ିଶାକୁ ବର୍ଷକୁ ମାତ୍ର ୮ ଶହ କୋଟି ଟଙ୍କା ମିଳୁଥିଲା । ମୋଦି ସରକାର ଆସିବା ପରେ ପ୍ରଥମେ ଡବଲ, ତା’ପରେ ୪ ଗୁଣା ଓ ଏହି ବର୍ଷ ୧୦ ଗୁଣା ହୋଇ ୧୦ ହଜାର କୋଟି ଟଙ୍କା ଓଡ଼ିଶାକୁ ଆସିଛି।
ୟୁପିଏ ସରକାର ବେଳେ ଓଡ଼ିଶାରେ ବର୍ଷକୁ ୨୦ ରୁ ୩୦ କିମି ନୂଆ ରେଳ ଲାଇନ୍ ତିଆରି ହେଉଥିଲା । ଗତବର୍ଷ ୧୮୦ କିମି ରେଳ ଲାଇନ୍ ସମ୍ପୂର୍ଣ୍ଣ ହୋଇଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୨୩୦ କିମି ରେଳ ଲାଇନ୍ କାମ ସରିଗଲାଣି। ଆସନ୍ତା ମାର୍ଚ୍ଚ ସୁଦ୍ଧା ୫୫୦ କିମି ରେଳ ଲାଇନ ନିର୍ମାଣ କାର‌୍ୟ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।
ସେ ଆହୁରି କହିଛନ୍ତି, ୩୨ଟି ଷ୍ଟେସନର ଉନ୍ନତିକରଣ କାମ ଆଗେଇ ଚାଲିଛି । ଆଉ ୪ଟି ଷ୍ଟେସନର ପ୍ଲାନିଂ ଚାଲିଛି । ପୂରା ଓଡ଼ିଶାର ଯେଉଁ ରେଲୱେ ପ୍ରକଳ୍ପ ବାକି ରହିଛି, ତାକୁ ଆଗେଇ ନେବାକୁ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ଷ୍ଟେସନର ଉନ୍ନତିକରଣ କାମ ତୀବ୍ର ଗତିରେ ଚାଲିଛି । କ୍ୟାମ୍ପ ଅଫିସ୍ ତିଆରି ସହ କେବଲିଂ କାମ ଚାଲିଛି। ପୁରୀ ଷ୍ଟେସନ ଉନ୍ନତିକରଣ କାମ ବି ଆରମ୍ଭ ହୋଇସାରିଛି । ଓଡ଼ିଶାରେ ପ୍ରତି ଗାଁକୁ ଡିଜିଟାଲି କନେକ୍ଟ କରିବା ପାଇଁ ମୋଦି ସରକାର ୫ ହଜାର ୬୦୦ କୋଟି ଟଙ୍କା ଦେଇଛନ୍ତି । ଏହା ଏବେ ଇଣ୍ଟରନେଟରୁ ଦୂରରେ ଥିବା ରାଜ୍ୟର ୭,୫୦୦ ଗ୍ରାମକୁ ଯୋଡ଼ିବ ।

Related Posts

Seo wordpress plugin by www.seowizard.org.