ଆସନ୍ତାକାଲିଠାରୁ ଓଡ଼ିଶା ସମେତ ୧୬ଟି ରାଜ୍ୟରେ ଏସ୍ଆଇଆର୍ ଆରମ୍ଭ ହେବ
ଭୁବନେଶ୍ୱର, ୨୯/୫: ଆସନ୍ତାକାଲିଠାରୁ ଓଡ଼ିଶା ସମେତ ୧୬ଟି ରାଜ୍ୟରେ ଏସ୍ଆଇଆର୍ ଆରମ୍ଭ ହେବ । ଓଡ଼ିଶାରେ ମେ ୩୦ରୁ ଏସ୍ଆଇଆର୍ ଆରମ୍ଭ ହେବ । ଏଥିରେ ୪୫ ହଜାରରୁ ଉର୍ଦ୍ଧ୍ୱ ବ୍ଲକ୍ ସ୍ତରୀୟ ଅଧିକାରୀ ବା ବିଏଲ୍ଓ ନିଯୁକ୍ତ ହେବେ । ଏହା ପୂର୍ବରୁ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ ଜରିଆରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ।
ଏସ୍ଆଇଆର୍ ପ୍ରକ୍ରିୟାରେ ତାଲିମପ୍ରାପ୍ତ ୪୫, ୨୨୫ ବିଏଲ୍ଓ ନିଯୁକ୍ତ ହେବେ । ଲୋକମାନେ ତାଙ୍କର ଭୋଟର୍ ତାଲିକା ସଂଶୋଧନ କରିପାରିବେ । କିମ୍ବା ନିଜେ ଫର୍ମ ନେଇ ପୂରଣ କରିପାରିବେ । ମେ ୩୦ ରୁ ୨୮ ଜୁନ୍ ଯାଏ ବିଏଲ୍ଓମାନେ ଘରକୁ ଘର ବୁଲିବେ । ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ ଜୁନ୍ ୨୮ ସୁଦ୍ଧା ଶେଷ ହେବ । ଜୁଲାଇ ୫ରେ ଖସଡା ଭୋଟର ତାଲିକା ବା ଡ୍ରାଫ୍ଟ ଭୋଟର୍ ଲିଷ୍ଟ ପ୍ରକାଶ ପାଇବ ।
ଯାହାର ଆପତ୍ତି ଅଭିଯୋଗ ଥିବ ସେମାନେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ମଧ୍ୟରେ କରିପାରିବେ । ଜୁଲାଇ ୫ରୁ ସେପ୍ଟେମ୍ବର ୨ ତାରିଖ ଯାଏ ଅଭିଯୋଗ ଉପରେ ନିଷ୍ପତ୍ତି ହେବ । ସେପ୍ଟେମ୍ବର ୬ ତାରିଖରେ ଅନ୍ତିମ ଭୋଟର୍ ତାଲିକା ପ୍ରକାଶ ପାଇବ । ପ୍ରାୟ ୭୫ ପ୍ରତିଶତ ମତଦାତାଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଗୋପାଳନ୍ କହିଛନ୍ତି ।
ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ ଯାଏ ବୁଥରେ ରହିବେ ବିଏଲ୍ଓ
ମତଦାତାଙ୍କ ସୁବିଧା ଦୃଷ୍ଟିରୁ ଭୋଟର୍ ତାଲିକା ସଂଶୋଧନ ପାଇଁ ବୁଥ୍ ଖୋଲାଯିବ । ପ୍ରତିଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ଯାଏ ବିଏଲ୍ଓମାନେ ବୁଥରେ ଉପସ୍ଥିତ ରହିବେ । ମତାଦାତାମାନେ ସେଠାରେ ବିଏଲଓଙ୍କୁ ଭେଟି ଅଭିଯୋଗ ଜଣାଇପାରିବେ । ଅନ୍ୟସମୟରେ ବିଏଲଓମାନେ ଘରକୁ ଘର ବୁଲିବେ । ରାଜନୈତିକ ଦଳ ତରଫରୁ ୩୩ ହଜାର ୦୨୬ ବୁଥ୍ ଲେବଲ୍ ଏଜେଣ୍ଟଙ୍କୁ ନିଯୁକ୍ତି କରାଯାଇଛି । ଏହା ସହିତ ମତଦାତାଙ୍କ ପାଇଁ ଭୋଟର୍ ହେଲ୍ପ ଡେସ୍କ ରହିବ ।
ନୂଆ ଫଟୋ ଦେଇ ହେବ
ସେହିପରି ଯେଉଁମାନେ ନୂଆ ଫଟୋ ଦେବାକୁ ଚାହୁଁଛନ୍ତି ଦେଇ ପାରିବେ । ଯଦି ଫଟୋ ଭଲ ଅଛି ତେବେ ରହିବ । ଯଦି ଭଲ ଫଟୋ ନ ଥିବ ତେବେ ପାସର୍ଫୋଟ ଫଟୋ ଦେଇପାରିବେ । ନ ହେଲେ ବିଏଲଓ ନିଜେ ଏସ୍ଆଇଆର୍ ଆପ୍ ମାଧ୍ୟମରେ ଫଟୋ ଉଠାଇ ଦାଖଲ କରିବେ । ସମସ୍ତଙ୍କୁ ଦୁଇଟି ଫର୍ମ ମିଳିବ, ଭୋଟର୍ ନିଜେ ପୂରଣ କରିବେ ନ ହେଲେ ବିଏଲ୍ଓ ପୂରଣ କରିଦେବେ । ଗୋଟେ ପ୍ରମାଣ ସ୍ୱରୂପ ନିଜ ପାଖରେ ରଖିବେ ଆଉ ଗୋଟିଏ ବିଲଏ୍ଓଙ୍କୁ ଦେବେ ।
ସେହିପରି ଭୋଟର୍ ତାଲିକା ସଂଶୋଧନ ସମୟରେ ବିଏଲ୍ଓମାନେ ହିଟ୍ ୱେଭ୍ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବେ । ଏସ୍ଆଇଆର୍ ବେଳେ ବିଏଲ୍ଓଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ଯେଉଁଠି କେହି ବି ଅସୁବିଧାର ସମ୍ମୁଖୀନ ହୁଅନ୍ତି ପୋଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେବେ । ଆଉ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି ।
ଯେଉଁମାନେ ଭାରତୀୟ ନାଗରିକ ନୁହଁନ୍ତି ସେମାନଙ୍କୁ ମତଦାତା ତାଲିକାରୁ ସିଧାସଳଖ ବାଦ୍ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।




