ଆନ୍ଧ୍ର ସୀମା ଡେଇଁ ଓଡ଼ିଶା ଭିତରକୁ ପଶି ଆସିଛି ମହାବଳ

ନାରାୟଣପାଟଣା/ବନ୍ଧୁଗାଁ, ୨୭/୧୧ : ଆନ୍ଧ୍ର ସୀମା ଡେଇଁ ଓଡ଼ିଶା ଭିତରକୁ ପଶି ଆସିଛି ମହାବଳ ବାଘ। ଗୋଟିଏ ବଳଦକୁ ଶିକାର କରିବା ପରେ ଓଡ଼ିଶା ଏବଂ ଆନ୍ଧ୍ର ବନ ବିଭାଗ ମିଳିତ ଭାବେ ଖୋଜିବା ଆରମ୍ଭ କରିଛନ୍ତି। ଆଖପାଖ ଅଞ୍ଚଳର ଲୋକଙ୍କୁ ସଚେତନ କରିବା ସହ ସମ୍ଭାବ୍ୟ ସ୍ଥାନରେ ଡେରା ପକାଇଛନ୍ତି।
ସୂଚନା ଅନୁସାରେ, ଗୋଟିଏ ମହାବଳ ବାଘ ଆନ୍ଧ୍ର ସୀମା ଡେଇଁ ଓଡ଼ିଶା ଭିତରକୁ ପ୍ରାୟ ୫ଶହ ମିଟର ପଶି କାପୋଲୋଡ଼ା ପଞ୍ଚାୟତର ଝଙ୍କରିକାରିଲି ଗାଁରେ ଗୋଟିଏ ବଳଦ ମାରିଥିଲା। ନାରାୟଣପାଟଣା ରେଞ୍ଜର ଏ.କେ ପାଢ଼ୀଙ୍କ ସମେତ ୫ଜଣ ଫରେଷ୍ଟର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଆନ୍ଧ୍ରର ପାର୍ବତୀପୁରମ ମାନ୍ୟମ ଜିଲ୍ଲାର ବନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବନ ବିଭାଗ ପକ୍ଷରୁ ୪ଜଣ ଫରେଷ୍ଟର ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ସଚେତନ କରିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ବାଘ କେଉଁ ଅଞ୍ଚଳରୁ ଆସିଲା ତାହାର ସଠିକ୍ ଖବର ନାହିଁ, ତଥାପି ଅନୁସନ୍ଧାନ ଜାରି ରହିଛି ବୋଲି ନାରାୟଣପାଟଣା ରେଞ୍ଜର ଏ.କେ ପାଢ଼ୀ କହିଛନ୍ତି। ବାଘର ଗତିବିଧି ଠାବ କରିବା ପାଇଁ ଉଭୟ ଆନ୍ଧ୍ର ଏବଂ ଓଡ଼ିଶା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଟ୍ରାକ୍ କ୍ୟାମେରା ସଂଯୋଗ କରାଯାଇଛି। ପଞ୍ଝା ଚିହ୍ନରୁ ଅଣ୍ଡିରା ମହାବଳ ବାଘ ବୋଲି ରେଞ୍ଜର ସୂଚନା ଦେଇଛନ୍ତି।