Odisha News Ollywood News

ଆଗୁଆ ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତା ବାବୁସାନ

କଟକ, ୨୭/୭: ଘାରିଲା ଗିରଫଦାରୀର ଭୟ। ଗିରଫ ଆଶଙ୍କାରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଅଭିନେତା ବାବୁସାନ। ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।
ପତ୍ନୀ ତ୍ରିପ୍ତିଙ୍କ ପକ୍ଷରୁ ଦାୟର ଏତଲାରେ ବାବୁସାନ ଅଭିଯୁକ୍ତ ଅଛନ୍ତି। ତାଙ୍କ ନାଁରେ ଦଫା ୪୯୮(କ), ୫୦୬ ମାମଲା ରୁଜୁ ହୋଇଛି। ତେଣୁ ଗିରଫ ଭୟରେ ବାବୁସାନ ବୁଧବାର ଆଗୁଆ ଜାମିନ ପାଇଁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି।
ଖାରବେଳନଗର ଥାନାରେ ପତ୍ନୀ ତ୍ରିପ୍ତି ଶତପଥୀ ମାମଲା ରୁଜୁ କରିଛନ୍ତି। ଏଥିର ପ୍ରକୃତି ମିଶ୍ରଙ୍କ ସହିତ ବାବୁସାନ ଅଭିଯୁକ୍ତ ଅଛନ୍ତି। ଅନ୍ୟପଟେ କୌଣସି ସମୟରେ ବି କମିଶନରେଟ୍ ପୋଲିସ ବାବୁସାନଙ୍କୁ ଜେରା କରି ପାରନ୍ତି।
ବହୁ କଳ୍ପନା ଜଳ୍ପନା ପରେ ଆଜି ସକାଳେ ବାବୁସାନ ଚେନ୍ନାଇରୁ ଭୁବନେଶ୍ଵର ଫେରିଛନ୍ତି। ଚେନ୍ନାଇରୁ ଫେରିବା ପରେ ଥାନାରେ ହାଜର ହେବାକୁ ପୂର୍ବରୁ କମିଶନରେଟ୍ ପୋଲିସ ନୋଟିସ୍ ଜାରି କରିଥିଲା।
ହେଲେ ଆଜି ବାବୁସାନ ନା ଥାନାରେ ହାଜର ହୋଇଛନ୍ତି ନା ପୋଲିସ ନିଜ ଆଡୁ ଆସି ତାଙ୍କୁ ପଚରା ଉଚୁରା କରିଛି। ଏହା ପୂର୍ବରୁ ପ୍ରକୃତି ମିଶ୍ର ଭୁବନେଶ୍ଵରରେ ପହଞ୍ଚିବା ପରେ ପୋଲିସ ତାଙ୍କ ଘରକୁ ଯାଇ ପଚରା ଉଚୁରା କରିଥିଲା। ହେଲେ ଲାଗିଥିବା ଦଫାରେ କାଳେ ତାଙ୍କୁ ଗିରଫ କରାଯିବ ସେହି ଆଶଙ୍କାରେ ଆଗୁଆ ଜାମିନ ପାଇଁ ବାବୁସାନ ହାଇକୋର୍ଟରେ ପହଞ୍ଚିଛନ୍ତି।
ଖବର ଅନୁଯାୟୀ, ମଙ୍ଗଳବାର ଚେନ୍ନାଇ ଏୟାରପୋର୍ଟରେ ଦେଖା ଦେଇଥିଲେ ବାବୁସାନ । ତେଣୁ ସେ ଭୁବନେଶ୍ଵର ଫେରୁଥିବା ନେଇ ଖବର ପ୍ରକାଶ ପାଇଥିଲା।
ଚେନ୍ନାଇ ଏୟାରପୋର୍ଟରେ ମଧ୍ୟ ଯାତ୍ରୀ ବାବୁସାନଙ୍କୁ ଦେଖିଥିଲେ। ଚେନ୍ନାଇରୁ ଭୁବନେଶ୍ବର ଆସିଲା ଫ୍ଲାଇଟ୍, ହେଲେ ବାବୁସାନଙ୍କର ଦେଖା ମିଳିନଥିଲା। ଫଳରେ ବାବୁସାନଙ୍କୁ ନେଇ ପୁଣି ସସପେନ୍ସ ବଢ଼ିଥିଲା।
ତେବେ ଏହାର ଗୋଟିଏ ଦିନ ପରେ ଅର୍ଥାତ ବୁଧବାର ଦିନ ସକାଳୁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ ବାବୁସାନ୍।

Related Posts

Seo wordpress plugin by www.seowizard.org.