Odisha News

ଆଉଟସୋର୍ସିଂ କର୍ମଚାରୀଙ୍କ ବଢିବ ଦରମା, ଅଭିଜ୍ଞତା ଭିତ୍ତିରେ ସ୍ଥିର ହେବ ପାରିଶ୍ରମିକ

ଭୁବନେଶ୍ବର,୭/୩: ସର୍ଭିସ ପ୍ରୋଭାଇଡିଂ ଏଜେନ୍ସୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର‌୍ୟ୍ୟ କରୁଥିବା ଆଉଟ୍ସୋର୍ସିଂ କର୍ମଚାରୀମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।
ଆଉଟ୍ସୋର୍ସିଂ କର୍ମଚାରୀଙ୍କ ମାସିକ ପାରିଶ୍ରମିକରେ ୨୫% ବୃଦ୍ଧି କରାଯାଇଛି। ଏହା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଠିକ୍ ସମୟରେ ପ୍ରାପ୍ୟ ପ୍ରଦାନ ଓ ଅଭିଯୋଗ ଶୁଣାଣି ଆଦି ବ୍ୟବସ୍ଥା କରିଛନ୍ତି ସରକାର।
ଅଭିଜ୍ଞତା ଥିବା ଆଉଟସୋର୍ସିଂ କର୍ମଚାରୀଙ୍କୁ ଅଧିକ ପାରିଶ୍ରମିକ ମିଳିବ। ପ୍ରତି ପାଞ୍ଚ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକ ହଜାର ଟଙ୍କା ମିଳିବ। ସେମାନେ ଯେପରି ମାସ ଶେଷରେ ଠିକ୍ ସମୟରେ ସେମାନଙ୍କର ପାରିଶ୍ରମିକ ପାଇପାରିବେ ସେ ନେଇ ବ୍ୟବସ୍ଥା ଗ୍ରହଣ କରିଛନ୍ତି ସରକାର। ଯେଉଁ ଆଉଟ୍ସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ। ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର‌୍ୟ୍ୟନ୍ତ ୧୨୦ ଦିନ ପର‌୍ୟ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ ।
ଆଉଟ୍ସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡିଂ ଏଜେନ୍ସୀ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡ଼ିଶା ଷ୍ଟେଟ୍ ଆଉଟ୍ସୋର୍ସିଂ ଏମ୍ପ୍ଲୋଇଜ୍ ଓମ୍ବୁଡ୍ସମ୍ୟାନ୍ ଗଠନ ସଂପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଆଉଟ୍ସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡିଂ ଏଜେନ୍ସୀଙ୍କ ଅଭିଯୋଗ ଶୁଣାଣି କରିବା ପାଇଁ ପ୍ରତି ବିଭାଗରେ ଜଣେ ଲେଖାଏଁ ନୋଡାଲ ଅଫିସର ରହିବେ। ଆଉଟ୍ସୋର୍ସିଂ କର୍ମଚାରୀ ଓ ସର୍ଭିସ୍ ପ୍ରୋଭାଇଡିଂ ଏଜେନ୍ସୀଗୁଡ଼ିକ ଯେପରି ଅତି ସହଜରେ ସେମାନଙ୍କ ଅଭିଯୋଗଗୁଡ଼ିକ ଦାଖଲ କରିପାରିବେ, ସେଥିପାଇଁ ଏକ ସଫ୍ଟୱୟାର ଆପ୍ଲିକେସନ୍ ବିକଶିତ କରାଯିବ। ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସର୍ଭିସ ପ୍ରୋଭାଇଡିଂ ଏଜେନ୍ସୀଗୁଡ଼ିକ ସହିତ ସପ୍ଲିମେଣ୍ଟାରୀ ଏଗ୍ରୀମେଣ୍ଟ କରିବେ।

Related Posts

Seo wordpress plugin by www.seowizard.org.