Odisha News

ଆଇପିଏସ ଅଫିସର ସଞ୍ଜୟ ଅରୋରା ଦିଲ୍ଲୀର ନୂଆ ପୋଲିସ କମିଶନର

ନୂଆଦିଲ୍ଲୀ,୩୧/୭: ଆଇପିଏସ ଅଫିସର ସଞ୍ଜୟ ଅରୋରା ଦିଲ୍ଲୀର ନୂଆ ପୋଲିସ କମିଶନର । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧୯୮୮ ବ୍ୟାଚର ଆଇପିଏସ ଅଫିସର ସଞ୍ଜୟ ଅରୋରାଙ୍କୁ ଏହି ନୂଆ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ସଞ୍ଜୟ ଅରୋରା ଆଇଟିବିପିର ମୁଖ୍ୟ ଥିଲେ ।
ନୂଆ ନିଯୁକ୍ତି ପରେ ସେ ରାକେଶ ଅସ୍ଥାନାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ । ଉଲ୍ଲେଖଯୋଗ୍ୟ ଯେ, ରାକେଶ ଅସ୍ଥାନା ଗତ ବର୍ଷ ଜୁଲାଇ ମାସରେ ଦିଲ୍ଲୀ ପୋଲିସ କମିଶନର ଦାୟିତ୍ୱ ସମ୍ଭାଳିଥିଲେ । ରବିବାର ଜୁଲାଇ ୩୧ରେ ରାକେଶ ଅସ୍ଥାନା ଅବସର ନେଉଛନ୍ତି।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶରେ କୁହାଯାଇଛି, ସଞ୍ଜୟ ଅରୋରା ଅଗଷ୍ଟ ୧ରୁ ରାକେଶ ଅସ୍ଥାନାଙ୍କ ସ୍ଥାନ ଗ୍ରହଣ କରିବେ ।
ସଞ୍ଜୟ ଦିଲ୍ଲୀ ପୋଲିସର ୨୫ତମ କମିଶନର ହେବେ । ସଞ୍ଜୟ ଅରୋରା ୨୦୦୨ରୁ ୨୦୦୪ ଯାଏଁ କୋଏମ୍ୱଟୁର ସିଟି ପୋଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ।
ଏହାପରେ ପୋଲିସ ଆଇଜି ଭାବେ ବିଲ୍ଲୁପୁରମରେ ଦାୟିତ୍ୱ ସମ୍ଭାଳିଥିଲେ । ଏହାସହ ସେ ବିଏସଏଫ ଆଇଜି(ସ୍ପେଶାଲ), ଛତିଶଗଡ ସେକ୍ଟର ସିଆରପିଏଫ ଆଇଜି, ଆଇଜି ଅପରେସନ ସିଆରପିଏଫ ଭାବେ କାମ କରିଥିଲେ।
ବହୁ ପୁରସ୍କାରରେ ସମ୍ମାନିତ ସଞ୍ଜୟ ଅରୋରା ତାମିଲନାଡୁ ଟାସ୍କ ଫୋର୍ସର ଏସପି ଥିବା ସମୟରେ କୁଖ୍ୟାତ ବୀରାପ୍ପାନ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବୀରାପ୍ପନ ବିରୁଦ୍ଧରେ ସାହସ ଦେଖାଇ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ବୀରତା ପଦକରେ ସମ୍ମାନିତ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.