Odisha News

ଆଇପିଏଲ ବେଟିଂରେ ୧ କୋଟି ଟଙ୍କା ହାରିଗଲେ ପୋଷ୍ଟମାଷ୍ଟର

ଭୋପାଲ, ୨୫/୫: ମାଟିରେ ମିଶିଲା ରାତାରାତି କୋଟିପତି ହେବା ସ୍ୱପ୍ନ। କୋଟିପତିରୁ ପାଲଟି ଗଲେ ରୋଡପତି, ହୋଇଗଲେ କାଙ୍ଗାଳ। ଆଇପିଏଲ ବେଟିଂରେ ୧ କୋଟି ଟଙ୍କା ହାରିଗଲେ ପୋଷ୍ଟମାଷ୍ଟର ।
ନିରୀହ ଲୋକଙ୍କ ପେଟରେ ଲାତମାରି ଆଇପିଏଲ ବେଟିଂ କରିଥିଲେ ଅଭିଯୁକ୍ତ । ଇଣ୍ଡିଆନ୍ ପ୍ରିମିୟର୍ ଲିଗ କ୍ରିକେଟ୍ ମ୍ୟାଚ୍ରେ ମଧ୍ୟପ୍ରଦେଶର ଜଣେ ପୋଷ୍ଟମାଷ୍ଟର୍ ୧ କୋଟି ଟଙ୍କା ବାଜି ହାରିବା ଘଟଣାକୁ ନେଇ ଏବେ ଚାରିଆଡେ ହଇଚଇ ସୃଷ୍ଟି ହୋଇଛି।
ମଧ୍ୟପ୍ରଦେଶର ବିନା ଜିଲ୍ଲା। ଏଠାକାର ଉପ-ଡାକଘରର ପୋଷ୍ଟ ମାଷ୍ଟର ବିଶାଲ ଅହିରୱାର। ସେ ରାତାରାତି କୋଟିପତି ହେବା ସ୍ୱପ୍ନ ଦେଖିଥିଲେ। ୨୪ ପରିବାରର କୋଟିଏରୁ ଅଧିକ ଟଙ୍କାର ଫିକ୍ସ ଡିପୋଜିଟ୍କୁ ସେ ଆଇପିଏଲ୍ ବେଟିଂରେ ଲଗାଇ ଦେଇଥିଲେ।
ତେବେ ସେ ଏହି ବେଟିଂ ହାରି ଯାଇଛନ୍ତି। କୋଟିପତି ହେବା ବଦଳରେ ସେ ପାଲଟି ଯାଇଛନ୍ତି ଦୋଷୀ। ବିନା ରେଲୱେ ପୁଲିସ ମେ’ ୨୦ ତାରିଖରେ ତାଙ୍କୁ ଗିରଫ କରିଛି।
ବାଜିରେ ହାରିଥିବା ୨୪ଟି ପରିବାରର ଫିକ୍ସ ଡିପୋଜିଟ୍ ଟଙ୍କା ସାଗର ଜିଲ୍ଲାର ଏକ ଉପ-ଡାକଘରେ ଡିପୋଜିଟ୍ ହୋଇଥାଆନ୍ତା। ଏଥିପାଇଁ ପୋଷ୍ଟମାଷ୍ଟର ବିଶାଳ ଅହିୱାର୍ଙ୍କୁ ସରକାରୀ ରେଳବାଇ ପୁଲିସ ଗିରଫ କରିଛି। ଗିରଫ ହେବା ପରେ ପୁଲିସ ଆଗରେ ସେ ନିଜର ଦୋଷ ସ୍ୱୀକାର କରିଛନ୍ତି ।
ଫୁଲପ୍ରୁଫ୍ ପ୍ଲାନ୍ କରିଥିଲେ ଅଭିଯୁକ୍ତ ପୋଷ୍ଟମାଷ୍ଟର ବିଶାଳ ଅହିୱାର। ନକଲି ଏଫଡି ଖାତା ପାଇଁ ଅସଲି ପାସବୁକ୍ ଜାରି କରିଥିଲେ। ଯୋଜନା ମୁତାବକ ଗତ ଦୁଇ ବର୍ଷ ହେଲା ସମସ୍ତ ଟଙ୍କା ଆଇପିଏଲ ମ୍ୟାଚରେ ଲଗାଇ ଦେଇଥିଲେ। ହେଲେ ବେଟିଂ ହାରଯିବା ପରେ ସବୁ ଅଙ୍କ ବିଗିଡ଼ି ଯାଇଛି। କୋଟି କୋଟି ଟଙ୍କାରେ ରାଜ କରିବାକୁ ସ୍ୱପ୍ନ ଦେଖୁଥିବା ବିଶାଳ ଶେଷରେ ବନ୍ଧା ହୋଇଛନ୍ତି।
ଗିରଫ ପୋଷ୍ଟମାଷ୍ଟର ବିଶାଲ ଅହିରୱାରଙ୍କ ବିରୋଧରେ ବର୍ତ୍ତମାନ ଧାରା ୪୨୦ ଆଇପିସି (ପ୍ରତାରଣା) ଏବଂ ୪୦୮ ଆଇପିସି (ଅପରାଧିକ ବିଶ୍ୱାସଘାତକ) ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି । ଅଧିକ ଅନୁସନ୍ଧାନ ପରେ ମାମଲାରେ ଅଧିକ ଧାରା ଯୋଡ଼ାଯିବ। ବର୍ତ୍ତମାନ ତାଙ୍କ ପଚରାଉଚରା ଚାଲିଛି। ତାଙ୍କ ବିରୋଧରେ କଡା କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ଅଧିକାରି ଅଜୟ ଧୁରଭେ ସୂଚନା ଦେଇଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଗତ ଦେଢ଼ ମାସ ହେବ ଆଇପିଏଲ୍ର ୧୫ତମ ସିଜନ୍ ଚାଲିଛି। ଗତକାଲି ଆଇପିଏଲ୍ କ୍ୱାଲିଫାୟର ମ୍ୟାଚ୍ ଥିଲା। ଏଥିରେ ଗୁଜରାଟ ଟାଇଟେନ୍ସ ରାଜସ୍ଥାନ ରୟାଲ୍ସ ହରାଇ ଫାଇନାଲରେ ନିଜ ସ୍ଥାନ ପକ୍କା କରିନେଇଛି।

Related Posts

Seo wordpress plugin by www.seowizard.org.