ସୃଷ୍ଟି ହେଲା ଲଘୁଚାପ: ୨ ଦିନ ପ୍ରବଳ ବର୍ଷା
ଭୁବନେଶ୍ୱର,୩/୭: ଲଘୁଚାପ ପ୍ରଭାବରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଢାଳିଛି ।
ପାଣିପାଗ ପୂର୍ବାନୁମାନ ଯାହା, ଲଘୁଚାପ ଆହୁରି ଘନୀଭୂତ ହେବ । ଏହା ପ୍ରଭାବରେ ଆସନ୍ତା ୫/୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଲଗାଣ ବର୍ଷା ସମ୍ଭାବନା ଅଛି ।
ଏହା ପରେ ବର୍ଷା ପ୍ରକୋପ କମିବ । କିନ୍ତୁ, ପାଗ ପୂରା ଶୁଖିଯିବନି । କିଛି କିଛି ସ୍ଥାନରେ ବର୍ଷା ରହିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ଆଗାମୀ ୨ ଦିନ ଭିତରେ ଏହା ଆହୁରି ଘନୀଭୂତ ହେବା ସମ୍ଭାବନା ଅଛି । ଏପଟେ ଓଡ଼ିଶାରେ ମୌସୁମୀ ପୂରା ସକ୍ରିୟ ରହିଛି ।
ଗତ ୨୪ ଘଣ୍ଟା ଭିତରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିବାବେଳେ ବରଗଡ଼, ସମ୍ବଲପୁର, ସୋନପୁର, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, କେନ୍ଦୁଝର, ଝାରସୁଗୁଡ଼ା ଓ କଟକର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁ ମାଲକାନଗିରି କାଲିମେଳାର ପିତାପଲ୍ଲୀଘାଟୀରେ ପାହାଡ଼ରୁ ମାଟି ଅତଡ଼ା ଧସିଛି । ରାସ୍ତାରେ ଗଛ, ମାଟି, ପଥର ପଡ଼ି ରହିବାରୁ ୫ଟି ଗାଁକୁ ସନ୍ଧ୍ୟା ପର୍ଯ୍ୟନ୍ତ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ଥିଲା । କୋରାପୁଟର ଲମତାପୁଟରେ ବି ଲଗାଣ ବର୍ଷାରେ ରାସ୍ତାରେ ମାଟି ଅତଡ଼ା ଧସିବା ସହ ବହୁ ଗଛ ଉପୁଡ଼ି ପଡ଼ିଛି । କନ୍ଧମାଳରେ ପ୍ରବଳ ବର୍ଷା ଯୋଗୁ ଦୁଇଦିନ (ଗୁରୁବାର, ଶୁକ୍ରବାର) ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୋନପୁରରେ ବର୍ଷା ପାଣି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଛି ।
ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ରାସ୍ତାରେ ଆଜି ପାଣି ଚାଲିଥିଲା । କଟକ ଭୁଆଶୁଣିପଡ଼ାରେ ପ୍ରବଳ ବର୍ଷା ପାଇଁ ୬ ଲେନ୍ ରାସ୍ତା ଦବିଥିବା ଖବର ଆସିଛି ।
ସୋଆ ବିଶ୍ୱବିଦ୍ୟାଳୟର ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ ।
ଏହା ପ୍ରଭାବରେ ଆସନ୍ତା ୫ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୩ ତାରିଖ ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବର୍ଷା ବଢ଼ିବ ।
୩ ଓ ୪ରେ ଉପକୂଳରେ ପ୍ରବଳ ବର୍ଷା ହେବ । ୪ ଓ ୫ ତାରିଖ ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା ହୋଇପାରେ । ୬ରୁ କ୍ରମଶଃ ବର୍ଷା ପରିମାଣ କମିପାରେ ।
ମାତ୍ର ୯ ତାରିଖ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ବର୍ଷା ହେବ । ୧୨ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୧୨ରୁ ୧୫ ଯାଏଁ ପୁଣି ବର୍ଷା ବଢ଼ିପାରେ ।
ପାଣିପାଗ ବିଭାଗ ଆକଳନ କରିଛି, ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ । ଆସନ୍ତା ଦୁଇଦିନ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ ।
ଶୁକ୍ରବାର କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।
କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଜପତିରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବ ପ୍ରବଳ ବର୍ଷା ସମ୍ଭାବନା ଯୋଗୁ ବାଲେଶ୍ୱର, କଟକ, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୪ ତାରିଖରେ କୋରାପୁଟ ଓ ମାଲକାନଗିରିରେ ରେଡ୍ ୱାର୍ଣ୍ଣିଂ ଏବଂ ଉପକୂଳ ଓଡ଼ିଶା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ୪୦ରୁ ୬୦ କିମି ପବନ ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।
ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ପୂର୍ବାନୁମାନରେ କୁହାଯାଇଛି, ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିସ୍ତାରିତ ଭାବେ ପ୍ରବଳ ବର୍ଷା ହୋଇପାରେ ।
୧୦ ତାରିଖରୁ ୧୬ ତାରିଖ ଭିତରେ ପ୍ରବଳ ବର୍ଷା ସମ୍ଭାବନା ନଥିଲେ ମଧ୍ୟ ସ୍ୱାଭାବିକ ବର୍ଷା ହୋଇପାରେ ।
ଗତ ୨୪ ଘଣ୍ଟାରେ (ବୁଧବାର ସକାଳରୁ ଗୁରୁବାର ସକାଳ ସାଢ଼େ ୮ଟା ସୁଦ୍ଧା) ବରଗଡ଼ର ଅମ୍ବାଭୋନାରେ ୧୮୦ ମିଲିମିଟର, ସମ୍ବଲପୁରର ଜୁଜୁମରାରେ ୧୩୦ ମିମି, ବରଗଡ଼ର ଅତାବିରାରେ ୧୨୦, ସୋନପୁରର ବୀରମହରାଜପୁରରେ ୧୧୦.୮, ବୌଦ୍ଧର ଖଇରାମାଳରେ ୧୦୦, ସୋନପୁର ଉଲୁଣ୍ଡାରେ ୯୪, ବାଲିଗୁଡ଼ାରେ ୯୦, ବୁର୍ଲାରେ ୮୮, ଖପ୍ରାଖୋଲରେ ୮୪, ହୀରାକୁଦରେ ୮୪, ମାଲକାନଗିରିରେ ୭୯, କନ୍ଧମାଳର ଖଜୁରୀପଡ଼ାରେ ୭୫, ଝାରସୁଗୁଡ଼ାରେ ୭୩, ଯୋଡ଼ାରେ ୭୦, ଫିରିଙ୍ଗିଆରେ ୭୨, କଟକରେ ୬୭, ନିଶ୍ଚନ୍ତକୋଇଲିରେ ୬୧, ବରଗଡ଼ରେ ୬୨, ଚମ୍ପୁଆରେ ୫୮, ମାଥିଲିରେ ୫୮, କାଶୀପୁରରେ ୫୬, ମୁଣ୍ଡୁଳିରେ ୫୦, ବାଲିକୁଦାରେ ୫୦, ବାଡ଼େନରେ ୫୦, ନରାଜରେ ୫୦, ରେଢାଖୋଲରେ ୫୦, ବଣାଇଗଡ଼ରେ ୫୦, ତୁରେଇକେଲାରେ ୫୦, ରାଜଘାଟରେ ୫୦ ମିମି ବର୍ଷା ରେକର୍ଡ ହୋଇଛି ।
ଗୁରୁବାର ଦିନ ତମାମ ରାଜ୍ୟରେ ତୁହାକୁ ତୁହା ବର୍ଷା ହୋଇଛି । ସନ୍ଧ୍ୟା ସାଢ଼େ ୫ଟା ଭିତରେ ଜଗତସିଂହପୁରରେ ୫୭.୨ ମିମି, ଢେଙ୍କାନାଳରେ ୪୬, ଭୁବନେଶ୍ୱରରେ ୨୯ ମିମି ବର୍ଷା ରେକର୍ଡ ହୋଇଛି ।
ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ପ୍ରାୟତଃ ୩୦ରୁ ୩୨ ଡିଗ୍ରୀ ସେଲସିୟସ୍ ରହିଛି ଦିନ ତାପମାତ୍ରା । କେତେକ ଜିଲ୍ଲାରେ ପାରଦ ୩୦ ଡିଗ୍ରୀ ତଳେ ରହିଛି ।




