Odisha News

ସରକାରୀ ପାଣ୍ଠି କାରବାର ପାଇଁ ୧୪ ବ୍ୟାଙ୍କ ତାଲିକାଭୁକ୍ତ: ବାଦ୍ ପଡ଼ିଲେ ସବୁ ଘରୋଇ ବ୍ୟାଙ୍କ, ଅଫିସରଙ୍କୁ ବି ଚେତାବନୀ

ଭୁବନେଶ୍ୱର, ୩/୬ : ରାଜ୍ୟ ସରକାରୀ ଅର୍ଥ କାରବାରକୁ ଅଧିକ ସ୍ୱଚ୍ଛ ଓ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ସରକାରୀ ବିଭାଗ, ବିଶ୍ୱବିଦ୍ୟାଳୟ, ରାଜ୍ୟ ସରକାରୀ ଉଦ୍ୟୋଗ, ସଂସ୍ଥା ଓ ଅନ୍ୟାନ୍ୟ ସରକାରୀ ଏଜେନ୍ସିର ସମସ୍ତ ବ୍ୟାଙ୍କିଂ କାରବାର କେବଳ ୧୪ଟି ଅନୁମୋଦିତ ବ୍ୟାଙ୍କ ମାଧ୍ୟମରେ ହେବ। ଏହି ତାଲିକାରୁ ପ୍ରମୁଖ ଘରୋଇ (ପ୍ରାଇଭେଟ୍) ବ୍ୟାଙ୍କଗୁଡ଼ିକ ବାଦ୍ ପଡ଼ିଛନ୍ତି।
ଅର୍ଥ ବିଭାଗର ପ୍ରଧାନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ବ୍ୟାଙ୍କଗୁଡ଼ିକର କାର‌୍ୟ୍ୟଦକ୍ଷତା, ବାର୍ଷିକ ଋଣ ଯୋଜନା (Annual Credit Plan), କୃଷି ଓ MSME କ୍ଷେତ୍ରରେ ଋଣ ପ୍ରଦାନ, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସହ ସଂଯୋଗ ଏବଂ କ୍ରେଡିଟ୍-ଡିପୋଜିଟ୍ (CD) ଅନୁପାତକୁ ଆଧାର କରି ଏହି ଚୟନ କରାଯାଇଛି।
ଏହି ୧୪ଟି ବ୍ୟାଙ୍କକୁ ମିଳିଛି ସରକାରୀ ଅନୁମୋଦନ:
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ
ବ୍ୟାଙ୍କ ଅଫ୍ ବରୋଦା
ବ୍ୟାଙ୍କ ଅଫ୍ ଇଣ୍ଡିଆ
ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର
କାନାରା ବ୍ୟାଙ୍କ
ଚା ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ
IDBI ବ୍ୟାଙ୍କ
ଇଣ୍ଡିଆନ୍ ବ୍ୟାଙ୍କ
ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ
ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ
UCO ବ୍ୟାଙ୍କ
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ
ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏଣିକି ସମସ୍ତ ନୂଆ ସେଭିଂସ୍ ଓ କରେଣ୍ଟ୍ ଆକାଉଣ୍ଟ କେବଳ ଏହି ୧୪ଟି ବ୍ୟାଙ୍କରେ ଖୋଲାଯିବ। ଯେଉଁ ବ୍ୟାଙ୍କଗୁଡ଼ିକ ଆଗରୁ ସରକାରୀ ପ୍ୟାନେଲରେ ଥିଲେ କିନ୍ତୁ ବର୍ତ୍ତମାନ ବାଦ୍ ପଡ଼ିଛନ୍ତି, ସେଠାରେ ଥିବା ସମସ୍ତ ସରକାରୀ ଖାତାକୁ ୩୧ ଡିସେମ୍ବର ୨୦୨୬ ସୁଦ୍ଧା ବନ୍ଦ କରି ଅନୁମୋଦିତ ବ୍ୟାଙ୍କକୁ ସ୍ଥାନାନ୍ତର କରିବାକୁ ପଡ଼ିବ।
ନିର୍ଦ୍ଦେଶ ପାଳନରେ ଅବହେଳା କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଅର୍ଥ ବିଭାଗ ସ୍ପଷ୍ଟ କରିଛି। ଏହା ସହ ଅନୁମୋଦିତ ବ୍ୟାଙ୍କଗୁଡ଼ିକୁ ପ୍ରତିବର୍ଷ ଜୁନ୍ ମାସ ସୁଦ୍ଧା ସମସ୍ତ ସରକାରୀ ଖାତାର ବିବରଣୀ ଅନଲାଇନ୍‌ରେ ଅର୍ଥ ବିଭାଗକୁ ଦେବାକୁ ହେବ। ଭୁଲ ତଥ୍ୟ ଦେବା, ରିପୋର୍ଟ ଦେବାରେ ବିଳମ୍ବ କରିବା, ଗ୍ରାହକ ସେବାରେ ଅବହେଳା କିମ୍ବା ଜମା ଆକର୍ଷଣ ପାଇଁ ଅନୈତିକ ପଦ୍ଧତି ଅବଲମ୍ବନ କଲେ ସେହି ବ୍ୟାଙ୍କକୁ ଯେକୌଣସି ସମୟରେ ପ୍ୟାନେଲରୁ ବାଦ୍ ଦିଆଯିବ।
ସୂଚନାଯୋଗ୍ୟ, ୨୦୨୫ ଜୁନ୍‌ରେ ମଧ୍ୟ ଦୁର୍ବଳ କାର‌୍ୟ୍ୟଦକ୍ଷତା ପାଇଁ କିଛି ପ୍ରମୁଖ ପ୍ରାଇଭେଟ୍ ବ୍ୟାଙ୍କକୁ ସରକାରୀ ପ୍ୟାନେଲରୁ ହଟାଯାଇଥିଲା। ପରେ ସେମାନଙ୍କର ଶୀର୍ଷ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସୁଧାରର ଆଶ୍ୱାସନ ଦେବା ପରେ ପୁଣି ସୁଯୋଗ ପାଇଥିଲେ। ତେବେ ସଦ୍ୟ ହୋଇଥିବା ସମୀକ୍ଷାରେ ପୁଣି ସେମାନେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିବାରୁ ସରକାର ସେମାନଙ୍କୁ ପ୍ୟାନେଲରୁ ବାଦ୍ ଦେଇଛନ୍ତି।
ଏହି ନିଷ୍ପତ୍ତି ଫଳରେ ସରକାରୀ ଅର୍ଥ କାରବାର ଅଧିକ ସୁବ୍ୟବସ୍ଥିତ ହେବା ସହ କୃଷି, ଗଝଗଋ ଓ ପ୍ରାଥମିକ କ୍ଷେତ୍ରକୁ ଋଣ ପ୍ରଦାନରେ ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କଗୁଡ଼ିକୁ ପ୍ରୋତ୍ସାହନ ମିଳିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

Related Posts