Odisha News

ସରକାରକୁ ବଦନାମ କରିବା ଲାଗି ମନୁଷ୍ୟକୃତ ଆଳୁ ଅଭାବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର, ୫/୧୨ : ରାଜ୍ୟରେ ଆଳୁ ସଙ୍କଟ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ସରକାରଙ୍କୁ ବଦନାମ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ସରକାରକୁ ବଦନାମ କରିବାକୁ କୃତ୍ରିମ ଆଳୁ ଅଭାବ ତିଆରି କରାଗଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଳୁ ଦେବାକୁ ମନା କଲେ, ପୁଣି ରାଜି ହେଲେ ଆଳୁ ଦେବାକୁ । କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ । ମାର୍କେଟରେ ପରିମାଣ କମିଗଲେ, ସେତେବେଳେ ଦର ବଢ଼ିଯାଏ । ଏବେ ତ ପର୍ଯ୍ୟାପ୍ତ ଆଳୁ ରହିଛି । ଦର ବି ସ୍ୱାଭାବିକ ଅଛି, ଆଗକୁ ଆହୁରି କମିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ରାଜ୍ୟରେ ଏବେ ଆଳୁ ଦର ନିୟନ୍ତ୍ରଣରେ ରହିଛି । ଆଳୁ କିଲୋ ପିଛା ୩୫ ଟଙ୍କାରେ ମିଳୁଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାହାର ରାଜ୍ୟକୁ ଆଳୁ ଦେବେ ନାହିଁ ବୋଲି ଘୋଷଣା କରିଥିଲେ । ପଶ୍ଚିମବଙ୍ଗ-ଓଡ଼ିଶା ସୀମାରେ ସବୁ ଆଳୁ ଟ୍ରକକୁ ଅଟକାଇ ଦିଆଗଲା । ଫଳରେ ରାଜ୍ୟରେ ଆଳୁ ସଙ୍କଟ ଦେଖାଗଲା । ଓଡ଼ିଶା ସରକାର ଉତ୍ତର ପ୍ରଦେଶରୁ ଆଳୁ ଆମଦାନୀ କଲେ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପଶ୍ଚିମବଙ୍ଗ ଆଳୁ ବ୍ୟବସାୟୀ ସ୍ୱର ଉତ୍ତୋଳନ କରିଥିଲେ । ରପ୍ତାନୀ ନ ହେବାରୁ ଗୋଦାମରେ ଆଳୁ ଖରାପ ହେବାରେ ଲାଗିଲାଣି ବୋଲି ଅଭିଯୋଗ କରିଥିଲେ । ଏହା ପରେ ପୁଣି ଥରେ ମମତା ସରକାର ନିଜର ନିଷ୍ପତି ପରିବର୍ତ୍ତନ କରିଥିଲେ ଏବଂ ଓଡ଼ିଶାକୁ ଆଳୁ ଛାଡ଼ିଥିଲେ ।
ରାଜ୍ୟରେ ବିଜେପି ସରକାର ଆସିବା ପରେ ମମତା ବାରମ୍ବାର ଏପରି କରୁଥିବା ଦେଖିବାକୁ ମିଳିଛି । ବିଜେପି ସରକାର ଆସିବାର ମାତ୍ର ଛଅ ମାସ ମଧ୍ୟରେ ଦୁଇ ଦୁଇ ଥର ଆଳୁ ବନ୍ଦ କରିଛନ୍ତି । କେଉଁଠି ନା କେଉଁଠି ବିଜେପିକୁ ବଦନାମ କରିବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Related Posts