ସମ୍ପର୍କରେ ଲାଗିଲା ରକ୍ତର ଛିଟା, କୋଦାଳ ବେଣ୍ଟରେ ପିଟି ବାପାକୁ ମାରିଲା ପୁଅ

ଭଦ୍ରକ,୧୯/୧୨: ଯେଉଁ ବାପା କୋଳେଇ କାଖେଇ ଛୋଟରୁ ବଡ଼ କରିଥିଲା। ସବୁ ଅଳିଅଦଳି ସହିଥିଲା। ସେହି ବାପାକୁ ସାମାନ୍ୟ କୌଣସି କଥା ପାଇଁ ହତ୍ୟା କରିବାକୁ ପଛାଇଲା ନାହିଁ ନୃଶଂସ ପୁଅ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ପଗଡ଼ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବୁରୀ ମୁଣ୍ଡା। ଅଭିଯୁକ୍ତ ପୁଅ ଚୁକି ମୁଣ୍ଡାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ।
ବୁରୀଙ୍କ ତାଙ୍କ ପୁଅଙ୍କ ମଧ୍ୟରେ ଗତକାଲି କୌଣସି କଥାକୁ ନେଇ ବଚସା ହୋଇଥିଲା। ବାପପୁଅଙ୍କ ମଧ୍ୟରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା। ବାପା କଥାରେ ପୁଅ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲା।
ଘରେ ଥିବା କୋଦାଳ ବେଣ୍ଟ ଆଣି ବାପାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ବୁରୀଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଥିଲା। ଏହାସହ ଅଭିଯୁକ୍ତ ପୁଅ ଚୁକିକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।