ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡାର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୫/୬ : ସପ୍ତଶଯ୍ୟା ମହୋତ୍ସବ ଓଡ଼ିଶାର ଏକ ପ୍ରସିଦ୍ଧ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ। ଏହା ଢେଙ୍କାନାଳ ଜିଲ୍ଲାର ଐତିହାସିକ ଓ ପବିତ୍ର ସପ୍ତଶଯ୍ୟା ପୀଠରେ ପାଳିତ ହୋଇଥାଏ ।
ଏହି ମହୋତ୍ସବ କୁ ଦିବ୍ୟାଂସୀ ଡ୍ୟାନ୍ସ ଏକାଡେମୀ ତରଫରୁ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ବହୁ ଆଡମ୍ବର ସହ ପାଳନ କରାଯାଇଥିଲା ।
ଓଡ଼ିଶୀ, ଲୋକନୃତ୍ୟ,ସାଂସ୍କୃତିକ ଐଶ୍ୱର୍ଯ୍ୟକୁ ଏକାଠି ପ୍ରଦର୍ଶନ କରୁଥିବା ଏକ ଅନନ୍ୟ ଉତ୍ସବ ଭାବେ ପରିଚିତ। ଏହି ମହୋତ୍ସବ ରେ ଓଡିଶାର ଅନେକ ସାଂସ୍କୃତିକ ଅନୁଷ୍ଠାନ ଯୋଗ ଦେଇଥିଲେ ।
ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ର ନୃତ୍ୟ ଶ୍ରୀ ଡ୍ୟାନ୍ସ ଏକାଡେମୀ ର ଗୁରୁ କେଦାର ନାଥ ନାୟକ ଙ୍କ ଦ୍ୱାରା ଓଡିଶୀ ଶିକ୍ଷା ପ୍ରାପ୍ତ କରିଥିବା ଛାତ୍ରୀ ଆଂଶି ଶୁଭ୍ରାଂଶି ପାତ୍ର, ଜ୍ୟୋତିର୍ମୟୀ ପାଢ଼ୀ, ଅଙ୍କିତା ନାୟକ, ଶୁଭଶ୍ରୀ ପଣ୍ଡା, ସୁରଞ୍ଜନା ବାରିକ, ସୋମନା ସୋନାକ୍ଷୀ ପଣ୍ଡା, ସୋନମ ପଣ୍ଡା, ସାଇ ସ୍ନିଗ୍ଧା ପ୍ରଧାନ ଏବଂ ଶିଷ୍ୟା ଅନ୍ଵେଷା ଚୌଧୁରୀ ଉଭୟ ଏକକ ଏବଂ ଦଳଗତ ନୃତ୍ୟ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମସ୍ତ ମାନ୍ୟଗଣ୍ୟ ଶାସ୍ତ୍ରୀୟ ଗୁରୁ ମାନଙ୍କ ପ୍ରଶଂସା ସାଉଁଟିବା ସହ ପୁରସ୍କାର ମଧ୍ୟ ଅର୍ଜନ କରିଥିଲେ ।
ସେହି ଛାତ୍ରୀ ମନଙ୍କୁ ସୁଦୂର କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ନେଇ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପ ପର୍ୟ୍ୟନ୍ତ ପହଞ୍ଚାଇ ଥିବା ଗୁରୁ କେଦାରନାଥ ନାୟକ ଙ୍କୁ ମଧ୍ୟ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରସିଦ୍ଧ ଗୁରୁ ମିନାକ୍ଷୀ ବେହେରା, ଗୁରୁ ଅଶୋକ ଘୋସାଲ, ଗୁରୁ ସୁକାନ୍ତ କୁଣ୍ଡୁ, ଗୁରୁ ଅନିରୁଦ୍ଧ ଦାସ, ଗୁରୁ ଶ୍ରୀକାନ୍ତ ଦାସ ପ୍ରମୁଖ ଯୋଗ ଦେଇ ଥିଲେ ।
ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଉଦଘାଟିତ
ବାଲିଗୁଡା, ୧୬/୬ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ତିନି ଦିନିଆ ରଜ ଉତ୍ସବ ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଉଛି ।
ଏହି ଅବସରରେ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଦୋଳି ଖେଳ, ରଜଗୀତ, ପୋଡ଼ପିଠା ଓ ବିଭିନ୍ନ ପାରମ୍ପରିକ ଖାଦ୍ୟର ଆସର ଜମିଛି। ଯୁବତୀ ମାନେ ନୂତନ ପୋଷାକ ପିନ୍ଧି ରଜ ପାଳନ କରୁଥିବା ବେଳେ ଶିଶୁ ଓ ଯୁବବର୍ଗ ମଧ୍ୟ ଏହି ପର୍ବରେ ସାମିଲ ହୋଇଛନ୍ତି।
ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ରଜ ଦୋଳି, ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେଉଛି ।
ଓଡ଼ିଆ ଲୋକ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କୁ ଆଖି ଆଗରେ ରଖି ସ୍ଥାନୀୟ ଟାଉନର ଦଣ୍ଡପାଣି ଲଜ ମାଲିକ ପଦ୍ମନାଭ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଦ୍ୱିତୀୟ ବାର୍ଷିକ ରଜ ମଉଜ ଉତ୍ସବ ଲଜ ର ସାଂସ୍କୃତିକ ଭବନ ପରିସରରେ ଉଦଘାଟିତ ହୋଇ ଯାଇଛି ।
ଉଦଘାଟନ ର ପ୍ରଥମ ଦିନରେ ଅବସର ପ୍ରାପ୍ତ ମେଡିକାଲ ସୁପର ଭାଇଜର ତଥା ବରିଷ୍ଠ ସାଂସ୍କୃତିକ କଳାକାର ନାରାୟଣ ବରାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଏଥିରେ ଅଞ୍ଚଳ ର ଶତାଧିକ ବିବାହିତ ମହିଳା,ଝିଅ, ଶିଶୁ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ ।
ଏଥିରେ ଜଜ ଭାବେ ନାରାୟଣ ବରାଳ ଏବଂ ଓଡ଼ିଶୀ ନୃତ୍ୟ ଗୁରୁ କେଦାର ନାଥ ନାୟକ ଯୋଗ ଦେଇଥିଲେ ।




