Odisha News

ସପ୍ତମ ବୌଦ୍ଧ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଜେସିସିସି ସମ୍ବଲପୁର ଚାମ୍ପିଆନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୩ : ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ଜିଲ୍ଲା ଷ୍ଟାଡିଅମ ଠାରେ ଚାଲିଥିବା ସପ୍ତମ ବୌଦ୍ଧ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆଜି ଜଗନ୍ନାଥ କଲୋନୀ କ୍ରିକେଟ କ୍ଲବ ସମ୍ବଲପୁର ଓ ଏସିସି ଅନଗୁଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଆଜିର ଫାଇନାଲ ମ୍ୟାଚକୁ ମୁଖ୍ୟଅତିଥି ଭାବେ ବୌଦ୍ଧର ବିଶିଷ୍ଟ ଆଇନଜୀବୀ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଡିସିଏର ବରିଷ୍ଠ କାର୍ଯ୍ୟକାରୀ କମିଟି ସଦସ୍ୟ ଅଜିତ କୁମାର ଦେହୁରୀ, ଯୋଗଦେଇ ଖେଳାଳୀମାନଙ୍କ ସହିତ ପରିଚିତ ହୋଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।
ଫାଇନାଲ ମ୍ୟାଚରେ ଟସ୍ ଜିତି ଏସିସି ଅନଗୁଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୩୫ ଓଭର ମ୍ୟାଚରୁ ୨୩.୧ ଓଭର ଖେଳି ସମସ୍ତ ୱିକେଟ ହରାଇ ୯୯ ରନ୍ ସଂଗ୍ରହ କରିଥିଲା ।
ଦଳ ତରଫରୁ ସମ୍ବିଦ ମହାକୁଡ ୧୮ ବଲ୍‌ରୁ ୨୨ ରନ୍ ଓ ସୁମିତ ଶର୍ମା ୨୮ ବଲ୍‌ରୁ ୧୮ ରନ୍ କରିଥିଲେ । ସମ୍ବଲପୁର ଦଳର ଅବିନାଶ ନନ୍ଦ ୫ଟି ଓ ପ୍ରଦୀପ ପ୍ରଧାନ ୨ଟି ୱିକେଟ ନେଇଥିଲେ । ଅପରପକ୍ଷରେ ଜେସିସିସି ସମ୍ବଲପୁର ୧୩.୧ ଓଭରରେ ୪ ୱିକେଟ ହରାଇ ୧୦୦ ରନ୍ କରିଥିଲା । ଦଳ ତରଫରୁ ରିଷି ମେହେର ୨୯ ବଲ୍‌ରୁ ୪୧ ରନ୍ କରିଥିବାବେଳେ ଆୟୁଷ ନାଏକ ୧୫ ବଲ୍‌ରୁ ୨୧ ରନ୍ କରିଥିଲେ । ଅନଗୁଳ ଦଳର ମ୍ରିଦାଲ ପାଣ୍ଡେ ୨ଟି ଓ ପ୍ରିୟବ୍ରତ ଦାସ ଗୋଟିଏ ୱିକେଟ ନେଇଥିଲୋ ।
ଫଳରେ ସମ୍ବଲପୁର ଦଳ ୬ ୱିକେଟରେ ବିଜୟୀ ହୋଇ ସପ୍ତମ ବୌଦ୍ଧ କପ୍ ଚାଂପିଆନ ହୋଇଥିଲା । ବିଜୟୀ ଦଳ ସମ୍ବଲପୁରକୁ ଟ୍ରଫିସହ ୩୦ ହଜାର ଟଙ୍କା ଓ ଉପ-ବିଜେତା ଦଳ ଅନଗୁଳକୁ ଟ୍ରଫିସହ ୨୦ ହଜାର ଟଙ୍କା ମୁଖ୍ୟଅତିଥି ଓ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଆଜିର ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫ ଦି ମ୍ୟାଚ, ବେଷ୍ଟ ବୋଲର ତଥା ମ୍ୟାନ ଅଫ ଦି ସିରିଜ ଭାବେ ସମ୍ବଲପୁରର ଅବିନାଶ ନନ୍ଦ, ବେଷ୍ଟ ବ୍ୟାଟ୍ସ ମ୍ୟାନ ସମ୍ବଲପୁରର ଆୟୁଷ ନାଏକ, ବେଷ୍ଟ ଫିଲଡର ଏସିସି ଅନଗୁଳର ଡଲଫିନ ଦାସ, ବେଷ୍ଟ ୱିକେଟକିପର ଭାବେ ଫୁଲବାଣୀର ଜିଗବିଜୟ ପରିଡାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
ଆଜିର ମ୍ୟାଚକୁ ଅଂପାୟାର ଭାବେ ଶ୍ୟାମସୁନ୍ଦର ପଣ୍ଡା ଓ ବିଶ୍ୱଜିତ ପୁରୋହିତ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ସ୍ୱାଗତ କୁମାର ଦେହୁରୀ ଦାୟିତ୍ୱ ତୁଲାଇଥିଲେ । ବୌଦ୍ଧ ଜିଲ୍ଲା କ୍ରିକେଟ ଆସୋସିଏସନର ସଂପାଦକ ଯୁଗଳ କିଶୋର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ବରିଷ୍ଠ ସଦସ୍ୟ ଧ୍ରୁବଚରଣ ଘିବେଲା, ସମ୍ମାନୀତ ଅତିଥି ଭାବେ ସମ୍ବଲପୁର ଜିଲ୍ଲା କ୍ରୀଡା ସଂଘ ସଂପାଦକ ସୁନୀଲ କୁମାର ସାହୁ, ବୌଦ୍ଧର ଯୁବ ବ୍ୟବସାୟୀ ଶରତ କୁମାର ପ୍ରଧାନ , ବରିଷ୍ଠ ସଦସ୍ୟ ତୃପ୍ତି ରଞ୍ଜନ ଦାନୀ, ସତ୍ୟପ୍ରକାଶ ଦାଶ, ସୁଶୀଳ କୁମାର ପରିଡା, ଶେଖ୍ କଲିମୁଲା, ସତ୍ୟଜିତ୍ କୁମାର ପଣ୍ଡା, ଦିବ୍ୟରଞ୍ଜନ ପଟ୍ଟନାୟକ, ପ୍ରଦେଶୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ସଭାପତି ନିରଞ୍ଜନ ମେହେର, ଉପ-ସଭାପତି ଲମ୍ବୋଦର ପୁରୋହିତ, ବରିଷ୍ଠ ସଦସ୍ୟ ମାନସ ରଞ୍ଜନ ସେଠୀ, ପ୍ରଦୀପ କୁମାର ମହାନ୍ତି, ଭବେଶ ଯୋଷୀ, ଅମ୍ବରୀଶ ପ୍ରଧାନ, ହେମନ୍ତ ଚଂପତ୍ତି, ଅଜମତ ଖାନ୍‌, ସୌରଭ ପତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ଓ ପୁରସ୍କାର ବିତରଣୀ ଉତ୍ସବକୁ ଆଶୁତୋଷ ଦାଶ ପରିଚାଳନା କରିଥିଲେ ।
ଫେଲ ମାରିଛି ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା, ପ୍ରତିବନ୍ଧକ ସାଜୁଛି ଇଣ୍ଟରନେଟ
ବୌଦ୍ଧ,୧୧/୩ : ରାଜ୍ୟର ସମସ୍ତ ଜନସାଧାରଣ ଯେପରି ବ୍ୟାଙ୍କ ସେବା ପାଇ ପାରିବେ ସେଥିପାଇଁ ରାଜ୍ୟ ସରକାର ଭ୍ରାମ୍ୟମାଣ ବ୍ୟାଙ୍କ ଶାଖାର ଶୁଭାରମ୍ଭ କରିଥିଲେ । ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ମାଧ୍ୟମରେ ସରକାର ସମସ୍ତଙ୍କୁ ବ୍ୟାଙ୍କ ସୁବିଧା ଯୋଗାଇ ଦେବା ପାଇଁ ଯେଉଁ ଯୋଜନା ଆରମ୍ଭ କରିଥିଲେ ତାହା ଇଣ୍ଟରନେଟ ସବୁ ସ୍ଥାନରେ ଉପଲବଧ ନଥିବା କାରଣରୁ ଫେଲ ମାରିଥିବା ଜଣାପଡିଛି । ଖବରରୁ ଜଣାଯାଏଯେ ଏହି ଯୋଜନା ବୌଦ୍ଧଜିଲ୍ଲାରେ ୨୦୧୫-୧୬ ବର୍ଷରେ ଆରମ୍ଭ ହୋଇଥିଲା । ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ବୌଦ୍ଧ ସହିତ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟ କରୁଅଛି ।
ବୌଦ୍ଧ-କନ୍ଧମାଳ ଜିଲ୍ଲାରେ ଥିବା ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ଜରିଆରେ ଏହି ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ସେବା ଲୋକଙ୍କୁ ପ୍ରଦାନ କରିବା ପାଇଁ ଦୁଇଟି ଭ୍ରାମ୍ୟମାଣ ଗାଡି ସରକାର ପ୍ରଦାନ କରିଥିଲେ । ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ବୌଦ୍ଧଜିଲ୍ଲାରେ ଗୋଟିଏ ଗାଡି ରହି କାର୍ଯ୍ୟକରୁଥିବା ବେଳେ ଅନ୍ୟ ଗାଡିିଟି କନ୍ଧମାଳ ଜିଲ୍ଲା ବାଲିଗୁଡା ଶାଖାକୁ ପ୍ରଦାନ କରାଯାଇଥିଲା ।
ହେଲେ ସରକାରଙ୍କ ଏହି ମହତ୍ୱକାଂକ୍ଷୀ ଯୋଜନା ବୌଦ୍ଧଜିଲ୍ଲାରେ ଫେଲ ମାରିଛି । ଏଥିପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି ଇଣ୍ଟରନେଟ ସେବା । ଜିଲ୍ଲାର ଅନେକ ଅଂଚଳରେ ନେଟୱାର୍କ ପହଂଚି ପାରୁନଥିବାରୁ ଆଭ୍ୟନ୍ତରିଣ,ଦୁର୍ଗମ ଓ ଉପାନ୍ତ ଅଂଚଳର ଜନସାଧାରଣ ଏହି ବ୍ୟାଙ୍କ ସେବା ପାଇବାରୁ ବଂଚିତ ହେଉଛନ୍ତି । ଯାହାଫଳରେ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ଗାଡିଟି ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ପଡି ରହୁଛି । ବେଳେ ବେଳେ ଯେଉଁ ସବୁ ଅଂଚଳ ଗୁଡିକରେ ଇଣ୍ଟରନେଟ ସେବା ପହଂଚି ପାରୁଛି ସେହିସବୁ ଅଂଚଳକୁ ଭ୍ରାମ୍ୟମାଣ ବ୍ୟାଙ୍କ ଗାଡି ପହଂଚି ଲୋକଙ୍କୁ ସେବା ଯୋଗାଉଛି । ଏପରିକି ନେଟୱାର୍କ ଆସୁଥିବା କିଛି ହାଟ ଅଂଚଳରେ ଯାଇ ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି ।
ହେଲେ ମୂଳଲକ୍ଷ ଠାରୁ ଦୁରେଇ ଯାଉଛି । ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ଗାଡିଟି ଯେତେମାତ୍ରାରେ ସେବା ଯୋଗାଉଛି ତାଠାରୁ ଅଧିକ ବ୍ୟାଙ୍କ ସମ୍ମୁଖରେ ପଡି ରହୁଥିବାରୁ ଏଟିଏମ ସମେତ ଅନ୍ୟ ମେସିନ ନଷ୍ଟ ହୋଇ ଖତ ହୋଇଯିବାର ସମ୍ଭାବନା ଅଧିକ ରହୁଛି । ଦୁର୍ଗମ ଓ ଅପହଂଚ ଅଂଚଳରେ ଲୋକମାନେ ବ୍ୟାଙ୍କ ସୁବିଧା ପାଇବାରୁ ବଂଚିତ ହେଉଥିବାରୁ ସେମାନଙ୍କ ପାଖରେ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ଗାଡି ପଂହଚିବା ଫଳରେ ସେମାନେ ସୁବିଧାରେ ଟଙ୍କା ବାନ୍ଧିବେ ଓ ଟଙ୍କା ଉଠାଇ ପାରିବେ ଓ ଜମାଖାତା ଖୋଲି ପାରିବେ । ହେଲେ ଏହି ସବୁ ଅଂଚଳ ଗୁଡିକରେ ନେଟୱାର୍କ ନ ଥିବା ଯୋଗୁଁ ଏହି ସବୁ କାର୍ଯ୍ୟ ସମ୍ଭବ ହୋଇପାରୁନାହିଁ । ବୌଦ୍ଧ ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ଅଧିକାଂଶ ଲୋକ ଗ୍ରାମଂଚଳରେ ବସବାସ କରିଥାନ୍ତି ।
ତେଣୁ କୃଷି ଓ କୃଷକମାନଙ୍କ ପାଇଁ ଏହି ଭ୍ରାମ୍ୟମାଣ ବ୍ୟାଙ୍କିଙ୍ଗ ସେବା ବିଶେଷ ଲାଭ ଦାୟକ ହେବା ସହିତ ଗ୍ରାମଂଚଳରେ ଥିବା ବ୍ୟବସାୟୀମାନେ ମଧ୍ୟ ଏହାର ସୁବିଧା ପାଇ ପାରନ୍ତେ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।

Related Posts

Seo wordpress plugin by www.seowizard.org.