ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦିବ୍ୟ ବେଶ, ରାତି ୧୧ଟା ଯାଏଁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ,୧୦/୭: ଶ୍ରୀକ୍ଷେତ୍ରରେ ଶ୍ରୀଜିଉମାନେ ଶ୍ରଦ୍ଧାଳୁମାନଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି। ସିଂହଦ୍ବାର ସମ୍ମୁଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ମହାପ୍ରଭୁଙ୍କର ଏହି ଦିବ୍ୟ ବେଶ ରାତି ୧୧ଟା ଯାଏଁ ରହିବ।
ରାଜବେଶର ଅନ୍ୟନାମ ବଡ ତଡ଼ଉ ବେଶ। ତଡ଼ଉ ଅର୍ଥ ସୁନା। ସୁତରାଂ ରାଜବେଶ ହେଉଛି ଏକ ବଡ଼ ଧରଣର ସୁନା ବେଶ।
ରାଜବେଶ ବର୍ଷକୁ ପାଞ୍ଚ ଥର ହୁଏ। ବିଜୟାଦଶମୀ, କାର୍ତ୍ତିକ ପୂର୍ଣ୍ଣିମା, ପୌଷପୂର୍ଣ୍ଣିମା, ଦୋଳପୂର୍ଣ୍ଣିମା ଓ ଆଷାଢ଼ମାସର ଶୁକ୍ଳ ବଡ଼ ଏକାଦଶୀ ଦିନ ଏହି ଦିବ୍ୟ ବେଶ ଅନୁଷ୍ଠିତ ହୁଏ। ଦଶହରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ରାଜବେଶ ହେବା ପରେ ସକାଳ ଧୂପ ହୁଏ।
ପୌଷ ପୂର୍ଣ୍ଣିମା(ଅଭିଷେକ ପୂର୍ଣ୍ଣିମା)ରେ ସକାଳ ଧୂପ ପରେ ଓ ରଥ ଉପରେ ରାଜବେଶ ମଧ୍ୟାହ୍ନ ଧୂପ ପରେ ହୁଏ। ଦୋଳପୂର୍ଣ୍ଣିମାରେ ବଲ୍ଲଭ ଭୋଗ ପୂର୍ବରୁ ଏହି ବେଶ ହୁଏ।
କେବଳ ରଥ ଉପରେ ରାଜବେଶ ଶ୍ରୀମନ୍ଦିର ବାହାରେ ହୋଇଥାଏ। ରଥ ଉପରେ ରାଜବେଶକୁ ବଡ଼ ତଡ଼ଉ ବେଶ ଓ କାର୍ତ୍ତିକପୂର୍ଣ୍ଣିମାର ରାଜବେଶକୁ ରାଜରାଜେଶ୍ୱର ବେଶ କହିବା ସମୀଚୀନ।
ରଥ ଉପରେ ରାଜବେଶର ତାଲିକା-
ଶ୍ରୀପୟର-୪, ଶ୍ରୀଭୁଜ-୪(ଦେବୀଙ୍କର ନାହିଁ), କିରୀଟ-୩(ପ୍ରତ୍ୟେକ-୧), କାନ-୬(ପ୍ରତ୍ୟେକ ଦିଅଁଙ୍କର-୨), ବାହାଡ଼ାମାଳି-୨(ଶ୍ରୀବଳଭଦ୍ର-୧, ଶ୍ରୀଜଗନ୍ନାଥ-୧), ତାବିଜ ମାଳି-୧(ଶ୍ରୀଜଗନ୍ନାଥଙ୍କର), ହରିଡ଼ା କଦମ୍ବ ମାଳି-୧(ଶ୍ରୀଜଗନ୍ନାଥଙ୍କର), ବାଘନଖୀ ମାଳି-୧(ଶ୍ରୀଜଗନ୍ନାଥଙ୍କର), କଦମ୍ବ ମାଳି-୪(ଶ୍ରୀବଳଭଦ୍ର-୨, ଶ୍ରୀଜଗନ୍ନାଥ-୧, ଦେବୀ ସୁଭଦ୍ରା-୧), ସେବତୀ ମାଳି-୩(ପ୍ରତ୍ୟେକ-୧), ଶ୍ରୀବଳଭଦ୍ରଙ୍କର ହଳ ଓ ମୂଷଳ, ଶ୍ରୀଜଗନ୍ନାଥଙ୍କର ଚକ୍ର, ତିଳକ-୨(ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କର ଗୋଟିଏ ଲେଖାଏଁ), ଆଡ଼କାନି-୪(ଶ୍ରୀବଳଭଦ୍ର-୨, ଶ୍ରୀଜଗନ୍ନାଥ-୨), ଚନ୍ଦ୍ରସୂର୍ଯ୍ୟ-୬(ପ୍ରତ୍ୟେକ ଦିଅଁଙ୍କର ୨ଟି), ଅଳକା-୩(ପ୍ରତ୍ୟେକ ଦିଅଁଙ୍କର ୧ଟି), ଓଡ଼ିଆଣୀ-୩(ପ୍ରତ୍ୟେକଙ୍କର ୧ଟି), ଚନ୍ଦ୍ରିକା-୨(ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କର ୧ଟି), ତଡ଼କୀ-୨(ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଙ୍କର ୧ଟି ଲେଖାଏଁ), ଶ୍ରୀଜଗନ୍ନାଥଙ୍କର ରୂପା ଶଙ୍ଖ ଗୋଟିଏ।
ଏହି ରାଜବେଶରେ କେବଳ ଶଙ୍ଖଟି ରୁପା। ବାକି ସବୁ ଅଳଙ୍କାର ସୁନା। ରଥ ଉପରେ ହେଉଥିବା ରାଜବେଶରେ ଦୁଇଟି ପ୍ରଧାନ ଅଳଙ୍କାର ନ ଥାଏ।
ତାହା ହେଲା ସୁନାର ରାହୁରେଖା ଓ ରତ୍ନ ଚିତା। ରଥଯାତ୍ରା ସମୟରେ ତିନିଦିଅଁଙ୍କ ଶ୍ରୀମୁଖମଣ୍ଡଳରେ ପ୍ରକୃତ ରତ୍ନ ଚିତା ନଥାଏ। ରଥଯାତ୍ରା ଦିନ ପହଣ୍ଡି ଶେଷ ପରେ ଓ ଛେରାପହଁରା ପୂର୍ବରୁ ତିନିଦିଅଁଙ୍କୁ ଗୋଟିଏ ଲେଖାଏଁ ସୋଲ ଚିତା ଲାଗି କରାଯାଏ। ସୋଲ ଚିତା ମଝିରେ ଅଳ୍ପ ପରିମାଣର ସୁନା ଓ ରତ୍ନ ପଥର ବସାଯାଇଥାଏ।
ଓଡ଼ିଶାର କେଉଁ ରାଜାଙ୍କ ଶାସନ କାଳରେ ରାଜବେଶର ପ୍ରଚଳନ କରାଯାଇଥିଲା ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାପଡ଼ୁନାହିଁ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହିଁ ଓଡ଼ିଶା ରାଜ୍ୟର ରାଜା ବୋଲି ଗଙ୍ଗବଂଶର ରାଜା ଅନଙ୍ଗଭୀମ ଦେବ-୩ୟ(ଖ୍ରୀଷ୍ଟାବ୍ଦ୧୨୧୧-୧୨୩୮) ଘୋଷଣା କରିଥିଲେ।
ହୁଏତ ତାଙ୍କ ସମୟରେ ଏହି ବେଶ ପ୍ରଚଳନ ହୋଇଥିବା ଅନୁମାନ କରାଯାଏ। କିଛି ବିଶେଷଜ୍ଞଙ୍କ ମତରେ ସମ୍ରାଟ କପିଳେନ୍ଦ୍ର ଦେବ(ଖ୍ରୀଷ୍ଟାବ୍ଦ ୧୪୩୫-୧୪୬୮) ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀଜଗନ୍ନାଥଙ୍କ ପାଇଁ ଏହି ରାଜବେଶର ପ୍ରଚଳନ କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରାଜକୀୟତା ତାଙ୍କ ରାଜବେଶରେ ପ୍ରତିଫଳିତ ହୁଏ।