Odisha News

ମାଛ ଧରିବା ବେଳେ ପାଟିରେ ପଶିଗଲା ଜୀବନ୍ତ କଉ ମାଛ, ଚାଲିଗଲା ଯୁବକଙ୍କ ଜୀବନ

ମୟୂରଭଂଜ, ୩/୪ : ଅବିନାଶ ବିଜୁଳି ଆଜି ଅପରାହ୍‌ଣରେ ଗାଁ ପୋଖରୀରେ ମାଛ ଧରୁଥିଲେ। ପୋଖରୀରୁ ଫେରିଲା ବେଳକୁ ସାଥୀରେ ମାଛ ନେଇ ଆସିବେ ଏବଂ ଏହା ତରକାରୀ ହେବ ବୋଲି ମଧ୍ୟ ଭାବିଥିଲେ। ଅନ୍ୟପଟରେ ଅବିନାଶଙ୍କ ପତ୍ନୀ ମଧ୍ୟ ‌ସ୍ବାମୀଙ୍କ ଫେରିବା ବାଟକୁ ‌ଅପେକ୍ଷା କରିଥିଲେ।
କିନ୍ତୁ ଏକ ଅଭାବନୀୟ ଘଟଣା କ୍ରମରେ ସବୁ ଓଲଟପାଲଟ ହୋଇଗଲା। ପୋଖରୀ ଭିତରେ ଏକ କଉମାଛ ଅବିନାଶଙ୍କ ପାଟି ଭିତରେ ପଶିଗଲା ଏବଂ ତଣ୍ଟିରେ ଅଟକି ଯାଇଥିଲା। କଉମାଛ ହିଁ ତାଙ୍କର ଜୀବନ ନେଇଗଲା। ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଆଜି ଏକ ଏଭଳି ଅଭାବନୀୟ ଘଟଣା ଘଟିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ବାଙ୍ଗିରିପୋଷି ପୁଲିସ କହିଛି, ଦିଘି ଗାଁର ପ୍ରଫୁଲ୍ଲ କୁମାର ବିଜୁଳିଙ୍କ ପୁଅ ଅବିନାଶ ବିଜୁଳି ଆଜି ଅପରାହ୍‌ଣ ପ୍ରାୟ ୨ଟା ସମୟରେ ପୋଖରୀରେ ମାଛ ଧରୁଥିଲେ। ଏହି ସମୟରେ ସେ ଏକ ବଡ଼ଧରଣର ଅଘଟଣର ଶିକାର ହୋଇଥିଲେ। ସେ ଏକ ଜୀବନ୍ତ କଉମାଛ ଧରିଥିଲେ। ଏହାକୁ ପୋଖରୀ ବାହାରେ ଅଥବା କୌଣସି ଠିକ୍ ଜାଗାରେ ନରଖି ପାଟି ଭିତରେ ଚାପି ଧରିଥିଲେ। କଉମାଛକୁ ପାଟିରେ ଧରି ଏକ ବାଳିଆ ମାଛ ଧରିବାକୁ ଉଦ୍ୟମ କରିଥିଲେ।
ଏହି ସମୟରେ ସେ ନିୟନ୍ତ୍ରଣ ହରାଇଥିଲେ, ଯାହା ଦ୍ବାରା କଉମାଛଟି ପାଟି ଭିତରକୁ ପଶି ଯାଇଥିଲା। କଣ୍ଟାଯୁକ୍ତ ଏହି ମାଛ ତଣ୍ଟି ଭିତରେ ଲାଗି ଯିବାରୁ ପେଟ ଭିତରକୁ ପଶିପାରିଲା ନାହିଁ। ‌ଅନ୍ୟପଟରେ କଉମାଛକୁ ବାହାରକୁ ବାହାର କରିବା ପାଇଁ ବହୁ ଉଦ୍ୟମ କରିଥିଲେ ମଧ୍ୟ ସେ ବିଫଳ ହୋଇଥିଲେ। ଘଟଣାସ୍ଥଳରେ ସେ ଗୁରୁତର ହୋଇଥିଲେ।
ଅବିନାଶଙ୍କର ଗୁରୁତର ଅବସ୍ଥା ଦେଖି, ତାଙ୍କୁ ପୋଖରୀରେ ଗାଧୋଉଥିବା ଅନ୍ୟମାନେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିସ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍‌ପିଟାଲକୁ ପଠାଯାଇଛି।
ଅବିନାଶ ହେଉଛନ୍ତି, ଦିଘି ପଞ୍ଚାୟତର ସରପଞ୍ଚ ବିଜୟ ବିଜୁଳିଙ୍କ ପୁତୁରା। ତାଙ୍କର ମୃତ୍ୟୁ ପରେ ତାଙ୍କର ସ୍ତ୍ରୀ ଏବଂ ଦେଢ଼ ବର୍ଷର ପୁଅ ବେସାହାରା ହୋଇଯାଇଛନ୍ତି। ତାଙ୍କର ମ୍ୟତ୍ୟୁ ପରେ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ଦେଖାଯାଇଛି। ତେବେ ଅବିନାଶଙ୍କ ମୃତ୍ୟୁ ନେଇ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ବାଙ୍ଗିରିପୋଷି ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତର ତୁଷାର ରଂଜନ ବେହରାଙ୍କ ଅବହେଳା ପାଇଁ ଅବିନାଶଙ୍କ ମୃତ୍ୟୁ ହୋଇଛି ବୋଲି କହିଛନ୍ତି।
ପରିବାର ଲୋକେ ଆହୁରି କହିଛନ୍ତି ଯେ, ଡାକ୍ତର ତୁଷାର ରଂଜନ ବେହେରା ତାଙ୍କର କଥା ଶୁଣି ନଥିଲେ। ପାଲଟା ଜାତିଆଣ ଆକ୍ଷେପ କରିଥିଲେ। ଆଇଆଇସି ପଞ୍ଚାନନ ମହାନ୍ତି ନେତୃତ୍ଵରେ ପୁଲିସ ଘଟଣାସ୍ଥଳରେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି।

Related Posts