ଭୁବନେଶ୍ବରରେ କାଳବୈଶାଖୀ: ଝଡ଼-ବର୍ଷାରେ ଗଛ ଭାଙ୍ଗିଲା, ଯାତାୟତ ପ୍ରଭାବିତ
ଭୁବନେଶ୍ୱର, ୨୪/୨: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି।
ଆଜି ଟ୍ୱିନ୍ ସିଟିରେ ବର୍ଷା ସହ ଘଡ଼ଘଡ଼ି ହୋଇଛି। ରାଜଧାନୀର ଅନେକ ସ୍ଥାନରେ ପାଣି ଜମିଥିବା ମଧ୍ୟ ଦେଖିବାକୁ ମିଳିଛି। ବହୁଦିନ ପରେ ବର୍ଷା ହୋଇଥିବାବେଳେ ଅନେକ ଲୋକ ଏହାର ମଜା ଉଠାଇଛନ୍ତି। ଲୋକେ ବିଭିନ୍ନ ଫଟୋ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି।
ପାଣିପାଗ ବିଭାଗର ସୂତ୍ର ଅନୁସାରେ ଆଜି ଟ୍ବନସିଟି ସମେତ ରାଜ୍ୟର ୪ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଡ଼ଘଡ଼ି ହେବା ନେଇ ପୁର୍ବାନୁମାନ କରାଯାଇଥିଲା। ସଂନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ କାଳବୈଶାଖୀ ଆଲର୍ଟ ରହିଛି।
ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଜିଲ୍ଲାକୁ ମଧ୍ୟ ୱାର୍ଣ୍ଣିଂ ଦିଆଯାଇଛି। ଗଜପତି, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ମଧ୍ୟ ସତର୍କତା ଜାରି କରାଯାଇଛି।
ସେପଟେ ଗତକାଲି ସନ୍ଧ୍ୟାରୁ ଘଡ଼ଘଡ଼ି ସହ ଝିପିଝିପି ବର୍ଷାରେ ଭିଜୁଛି କୋରାପୁଟ ସହର। ଜିଲ୍ଲାର ଜୟପୁର, ପଟାଙ୍ଗି, ସିମିଳିଗୁଡା, ନନ୍ଦପୁରଆଦି ଅଞ୍ଚଳରେ ବର୍ଷା ହେଉଛି। ସୁବର୍ଣ୍ଣପୁର ବିନିକାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହଠାତ୍ ପ୍ରବଳ ବର୍ଷା ସହିତ କୁଆପଥର ମାଡ଼ ହୋଇଛି। ଏଥିରେ ବ୍ୟାପକ ଧାନ, ପନିପରିବା ଓ ରବି ଫସଲ କ୍ଷତିଗ୍ରସ୍ତ ହୋଇଛି। ଅଦିନିଆ ବର୍ଷା ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।




