Odisha News

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ଜଣଙ୍କ ମୃତ୍ୟୁ : ଜଣେ ଗୁରୁତର

ସଞ୍ଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ
ବାଲିଗୁଡା,୨/୬: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ୫୯ ନଂ. ଜାତୀୟ ରାଜପଥ ସୁଲୁମାହା ଘାଟି ନିକଟରେ ଏକ ଗଛରେ ବାଇକ୍ ପିଟି ହେବାରୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ଉକ୍ତ ଥାନା ସାଲେଜୁ ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ସାଲୁ (୧୮) ଏବଂ ଅଜିତ ପ୍ରଧାନଙ୍କ ପୁଅ ଅମିପ (୨୧) ବୋଲି ତଦନ୍ତକାରୀ ଅଧିକାରୀ ଜିତେନ୍ଦ୍ର ବେହରା ପ୍ରକାଶ କରିଛନ୍ତି ।
ସେହିପରି ଏଥିରେ ଉକ୍ତ ଗ୍ରାମର ମଦଡ଼ା ପ୍ରଧାନଙ୍କ ପୁଅ ରିଣ୍ଟୁ(୨୧) ଗୁରୁତର ହୋଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ୨ ମୃତଦେହ ଜବତ କରିଛି। ପ୍ରକାଶ ଯେ, ସାଲେଜୁ ଗ୍ରାମର ସାଲୁ, ଅମିପ ଏବଂ ରିଣ୍ଟୁ ଏକ ବାଇକ୍ ନଂ (ଓଡି-୩୩ ଏ ୫୭୭୬)ରେ ଦାରିଙ୍ଗବାଡ଼ିରୁ ବୁଧବାର ଅପରାହ୍ନରେ ନିଜ ଗ୍ରାମ ସାଲେଜୁକୁ ଫେରୁଥିଲେ।
ଏହି ସମୟରେ ଦ୍ରୁତଗତିରେ ଥିବା ବାଇକ୍ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟିଥିଲା। ସ୍ଥାନୀୟ ଲୋକ ଦୁର୍ଘଟଣାରେ ଶିକାର ହୋଇଥିବା ୩ ଜଣଙ୍କୁ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝି ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି।

Related Posts

Seo wordpress plugin by www.seowizard.org.