ଭଡ଼ା ଘରୁ ଦଂପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁରୀ, ୨/୬ : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ଏକାସାଙ୍ଗରେ ରଶି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ ଓ ସ୍ତ୍ରୀ । ପୁରୀ ଜିଲ୍ଲା ସାତଶଙ୍ଖ ଫାଣ୍ଡି ଅଧିନସ୍ଥ ଅର୍ଜୁନସିଂହପୁର ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ମୃତକ ହେଲେ ଭାସ୍କର ଚନ୍ଦ୍ର ଦାସ (୪୦) ଏବଂ ତାଙ୍କ ସ୍ତ୍ରୀ କାଜଲ ଦାସ । ଏକ ବନ୍ଦ ଘର ଭିତରୁ ଉଭୟଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ଭାସ୍କରଙ୍କ ଘର ଆଜି ସକାଳୁ ଖୋଲି ନ ଥିଲା । ପଡ଼ୋଶୀ ବହୁତ ଡାକିବା ପରେ ମଧ୍ୟ ଘର କବାଟ କେହି ଖୋଲି ନ ଥିଲେ । ପଡୋଶୀଙ୍କ ସନ୍ଦେହ ହେବାରୁ ସାତଶଙ୍ଖ ଫାଣ୍ଡିକୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଁଞ୍ଚି କବାଟ ବାଡେଇ ଡାକିବାରେ ମଧ୍ୟ କେହି ଘର ଖୋଲି ନଥିଲେ । ଏହା ପରେ ଝରକା ପଟେ ଦେଖିବାରେ ଉଭୟ ରଶି ଲଗାଇ ଝୁଲି ଥିବାର ଦେଖିଥିଲେ ।
ସାଇଣ୍ଟିଫିକ ଟିମ, ପିପିଲି ଏସଡିପିଓ ଓ ଅଡିସନାଲ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ଘର କବାଟ ଭାଙ୍ଗି ମୃତ ଦେହକୁ ଉଦ୍ଧାର କରିଛି ।
ଭାସ୍କର ଦାସ ଏରୋକାମ ଗଦି ଫ୍ୟାକ୍ଟରୀରେ ରାତ୍ର ଜଗୁଆଳି ଭାବରେ କାମ କରୁଥିଲେ କ୍ଷ କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା । ସେମାନେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘର ଭିତରୁ ଏକ ସୁଇସାଇଡ୍ ନୋଟ୍ ସାଇଣ୍ଟିଫିକ ଟିମ ଉଦ୍ଧାର କରିଛି । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ତଦନ୍ତ ଆରମ୍ଭ କରିଛି ।




