ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ହରଭଙ୍ଗା ବିଡ଼ିଓଙ୍କ ନେତୃତ୍ୱରେ କରଡ଼ି ଗ୍ରାମରେ ଜଳ ଯୋଗାଣ ବ୍ୟବସ୍ଥାର ଅବୈଧ ସଂଯୋଗ ବିଚ୍ଛିନ୍ନ କରାଗଲା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୪/୫ : ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂହପୁର ଗ୍ରାମପଞ୍ଚାୟତର କରଡ଼ି ଗ୍ରାମରେ ସରକାରୀ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ହୋଇଥିବା ଅବୈଧ ସଂଯୋଗ ଓ ଅନଧିକୃତ ସକ୍ସନ ପମ୍ପ ବ୍ୟବହାର ବିରୋଧରେ ବିଶେଷ ଚଢ଼ାଉ କାର୍ଯ୍ୟକ୍ରମ କରାଯାଇଥିଲା।
ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ତଥା ଏକ୍ସିକ୍ୟୁଟିଭ ମ୍ୟାଜିଷ୍ଟ୍ରେଟ ସନ୍ଦୀପ ସୁଭଦର୍ଶନ ଧଳ, ଏବିଡିଓ ସତ୍ୟ ପ୍ରିୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ପୋଲିସ ବଳ, ଆରଡବ୍ଲ୍ୟୁଏସଏସ୍ ବ୍ଲକ କର୍ମଚାରୀ ଏବଂ ବିରନରସିଂହପୁର ପିଇଓ ଶ୍ରୀ ଶେଷଦେବ ଜାନି ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଚଢ଼ାଉ ସମୟରେ ସରକାରୀ ପାନୀୟ ଜଳ ପାଇପ ଲାଇନରୁ ଅନଧିକୃତ ଭାବେ ଲଗାଯାଇଥିବା ସକ୍ସନ ପମ୍ପଗୁଡ଼ିକୁ ଜବତ ଓ ଅପସାରଣ କରାଯାଇଥିଲା। ଏହା ଯୋଗୁଁ ଜଳ ଯୋଗାଣ ବ୍ୟବସ୍ଥାରେ ବାଧା ସୃଷ୍ଟି ହେଉଥିବା ସହ ଗ୍ରାମର ଶେଷ ପ୍ରାନ୍ତର ଲୋକମାନେ ପର୍ଯ୍ୟାପ୍ତ ପାଣି ପାଇବାରେ ଅସୁବିଧା ଭୋଗୁଥିଲେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସରକାରୀ ପାନୀୟ ଜଳ ବ୍ୟବସ୍ଥାର ସଠିକ୍ ବ୍ୟବହାର କରିବାକୁ ଓ ଅବୈଧ ସଂଯୋଗରୁ ବିରତ ରହିବାକୁ ଅନୁରୋଧ କରାଯାଇଛି।
ଜନସାଧାରଣଙ୍କୁ ନିରବିଚ୍ଛିନ୍ନ ଓ ସମାନ ଭାବେ ପାଣି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏଭଳି ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ସୂଚନା ଦେଇଛି।




