ବୌଦ୍ଧରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳିତ : ଆଇନସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ ଦ୍ୱାରା ସୁରକ୍ଷିତ ଶୈଶବ ଓ ସୁନିଶ୍ଚିତ ଭବିଷ୍ୟତ ଗଠନ ପାଇଁ ଆହ୍ୱାନ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୭/୧୧ : ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ–୨୦୨୬ ପାଳନ ଅବସରରେ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ବୌଦ୍ଧ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ବର୍ଷର ବିଷୟବସ୍ତୁ ଥିଲା “ଆଇନସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ସୁରକ୍ଷିତ ଶୈଶବ, ସୁନିଶ୍ଚିତ ଭବିଷ୍ୟତ ଏବଂ ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣକୁ ନା” ।
ଏହା ଉପରେ ଆଧାରିତ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଶିଶୁଙ୍କୁ ଏକ ସୁରକ୍ଷିତ ଓ ସ୍ନେହପୂର୍ଣ୍ଣ ପରିବାର ପ୍ରଦାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ସୁରକ୍ଷା, ଅଧିକାର ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଆଇନସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଏଥିସହିତ ବେଆଇନ ଭାବେ ଶିଶୁ ହସ୍ତାନ୍ତର କିମ୍ବା ଗ୍ରହଣ ନକରି ସରକାରୀ ନିୟମ ଓ ବିଧିବଦ୍ଧ ପ୍ରକ୍ରିୟା ଅନୁସରଣ କରିବାକୁ ସେ ଆହ୍ୱାନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ଯୋଗଦେଇ ଶିଶୁ ଟି ପାଇଁ ପରିବାର ଯେମିତି, ଠିକ ସେଇପରି ଗୋଟେ ସମ୍ପୂର୍ଣ ଓ ଖୁସି ପରିବାର ପାଇଁ ଶିଶୁ ଟିଏ ଜରୁରୀ ଏବଂ ପ୍ରତେକ ଶିଶୁର ଏକ ସୁରକ୍ଷିତ ଶୈଶବ , ସ୍ନେହପୂର୍ଣ ପରିବାର ଓ ଉତ୍ତମ ଭବିଷ୍ୟତ ପାଇବାର ଅଧିକାର ରହିଛି ବୋଲି କହିଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ସନ୍ତୋଷ ତ୍ରିପାଠୀ, ଆରକ୍ଷୀ ଉପ-ଅଧିକ୍ଷକ କନକ କୁମାର ମାଝୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରିକା ଦତ୍ତ , ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ରଶ୍ମୀ ରେଖା ନାୟକ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ଶିଶୁ ମଙ୍ଗଳ ସମିତି ର ସମସ୍ତ ସଦସ୍ୟ/ସଦସ୍ୟା ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ରାଜୀବ ନାୟକ, ପୂର୍ବତନ ଶିଶୁ ମଙ୍ଗଳ ସମିତି ସଦସ୍ୟ, ସାଧନ କର୍ମୀ ଭାବେ ଯୋଗଦେଇ ପିପିଟି ମାଧ୍ୟମରେ ପୋଷ୍ୟ ସନ୍ତାନ ଗ୍ରହଣର ଆଇନଗତ ବ୍ୟବସ୍ଥା, ପ୍ରକ୍ରିୟା ଓ ଶିଶୁ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ସିଡିପିଓ, ମହିଳା ପରିଦର୍ଶିକା, ଆଶାକର୍ମୀ, ଏଏନ୍ଏମ୍ ଓ ଜିଏନ୍ଏମ୍ ଅନୁଷ୍ଠାନର ଛାତ୍ରୀ, ଚାଇଲ୍ଡ ଲାଇନ କର୍ମକର୍ତା , ସ୍ଵେଚ୍ଛାସେଵୀ ଅନୁଷ୍ଠାନର କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମର ସଂଯୋଜକ ଭାବେ ରାହୁଲ ପ୍ରଧାନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବୌଦ୍ଧ ଯୋଗଦେଇ ତୃଣମୂଳ ସ୍ତରରେ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ସଠିକ୍ ସୂଚନା ପହଞ୍ଚାଇବା ସହିତ ବେଆଇନ ଶିଶୁ ହସ୍ତାନ୍ତର ରୋକିବା ଦିଗରେ ସମସ୍ତଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ ।
ସୁରକ୍ଷା ଅଧିକାରୀ- ଅଣ ଆନୁଷ୍ଠାନିକ ଯତ୍ନ ସୁଶାନ୍ତ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।




