ବେଆଇନ ମାଟି ଚୋରାଚାଲାଣ ବେଳେ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ଚଢ଼ାଉ: ହାଇୱା ଓ ଜେସିବି ମେସିନ ଜବତ, ଦୁଇ ଅଟକ

ଭଦ୍ରକ, ୧୦/୩: ଆକ୍ସନ ମୋଡ଼ରେ ଭଦ୍ରକ ଜିଲ୍ଲାପାଳ ଓ ଏସପି । ବିଳମ୍ବିତ ରାତିରେ ବେଆଇନ ଭାବେ ମାଟି ଚୋରା ଚାଲାଣ ହେଉଥିବା ସ୍ଥାନରେ ଭଦ୍ରକ ଜିଲ୍ଲାପାଳ ଓ ଏସପି ଚଢ଼ାଉ କରିଛନ୍ତି। ଘଟଣାସ୍ଥଳରୁ ଗୋଟିଏ ହାଇୱା ଓ ଜେସିବି ଜବତ କରାଯାଇ ୨ ଜଣଙ୍କୁ ଅଟକ ରଖାଯାଇଛି ।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାପାଳ କୌଣସି ବିଶେଷ ସୂତ୍ରରୁ ବେଆଇନ ଭାବେ ଧାମରା ରେଳ ଲାଇନ ପାଖରୁ ମାଟି ଚାଲାଣ ହେଉଥିବା ଖବର ପାଇଥିଲେ ।
ଏନେଇ ଭଦ୍ରକ ଜିଲ୍ଲାପାଳ ଓ ଏସପି ମିଳିତ ଭାବରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ରବିବାର ରାତିରେ ଭଦ୍ରକ ଜିଲ୍ଲାପାଳ ଓ ଏସପି ପୋଲିସ ଫୋର୍ସ ଏବଂ ମାଇନିଂ ଅଫିସରମାନେ ଅତର୍କିତ ଭାବରେ ମାଟି ଚୋରା ଚାଲାଣ ହେଉଥିବା ସ୍ଥାନରେ ଚଢ଼ାଉ କରିଥିଲେ ।
ଏହି ଚଢ଼ାଉରେ ଗୋଟିଏ ହାଇୱା ଓ ଜେସିବି ଜବତ କରାଯାଇଥିଲା । ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ୨ ଜଣଙ୍କୁ ଅଟକ ରଖାଯାଇ ଘଟଣାର ତଦନ୍ତ ଜାରି କରାଯାଇଛି ।
ଆଉ ଏହି ଚୋରା ଚାଲାଣରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇଛି । ରାତି ଅଧରେ ମାଟି ଚୋରା ଚାଲାଣ ପାଇଁ ମାଫିଆଙ୍କ ସାହସ ହେଲା କେମିତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ?