Odisha News

ଫୁଲବାଣୀର ଏକ ନାବାଳିକା ଦୁଷ୍କର୍ମକାରୀ ଯୁବକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଜୋରିମନା

ଫୁଲବାଣୀ,୧୪/୯: ଆଜି ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀ ଯୁବକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଶୁଣାଣି କରିଛନ୍ତି। ଜରିମାନା ଅନାଦେୟ ରହିଲେ ଅଧିକ ଏକ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।
ଘଟଣାରୁ ପ୍ରକାଶ, ୨୦୨୦ ମସିହାରେ କରୋନା ମହାମାରୀ ସମୟରେ କେ.ନୂଆଗାଁ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀ ସ୍କୁଲକୁ ଯାଉ ନଥିବାରୁ ଘରେ ରହୁଥିଲେ। ସେହି ସମୟରେ କେଲାପଡ଼ା ଗ୍ରାମର ରୋହିତ କହଁର (୨୧) ନାମକ ଜଣେ ଯୁବକ ପୀଡ଼ିତାଙ୍କ ଗ୍ରାମକୁ କୁଣିଆ ଭାବେ ଆସି ପ୍ରଥମେ ବନ୍ଧୁତା ସ୍ଥାପନ କରି ପରେ ପୀଡ଼ିତାଙ୍କ ସରଳତାର ସୁଯୋଗ ନେଇ ଦୁଷ୍କର୍ମ କରିଥିଲା। ରୋହିତ ପୀଡ଼ିତା ଛାତ୍ରୀଙ୍କୁ ନିଜ ସମ୍ପର୍କୀୟଙ୍କ ଘରକୁ ଡାକି ବାରମ୍ବାର ଶାରୀରିକ ସମ୍ପର୍କ ରଖି ପରେ ନିଜ ଗ୍ରାମ କେଲାପଡ଼ାକୁ ଚାଲି ଆସିଥିଲା। ଶାରୀରିକ ସମ୍ପର୍କ ରଖିଥିବାରୁ ପୀଡ଼ିତା ଜଣକ ଗର୍ଭବତୀ ହୋଇ ପଡ଼ିଥିଲା। ପରେ ଘଟଣା ସମ୍ପର୍କରେ ଉକ୍ତ ନାବାଳିକା ନିଜ ମାଆକୁ ସବୁକଥା ଜଣାଇଥିଲା। ଏହା ଜାଣିବା ପରେ ପୀଡ଼ିତାଙ୍କ ମା’ କ.ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଆଜି ଏହି ମାମଲାରେ ମୋଟ ୨୦ ଜଣ ସାକ୍ଷୀଙ୍କ ବୟାନ, ମେଡିକାଲ ରିପୋର୍ଟ ଏବଂ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଉପରୋକ୍ତ ଦଣ୍ଡାଦେଶ କରିଛନ୍ତି। ଆଜି ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପିପି ଅସୀମ ପ୍ରହରାଜ ପରିଚାଳନା କରିଥିଲେ।

Related Posts

Seo wordpress plugin by www.seowizard.org.