ପ୍ରଶାସନ ନଶୁଣିବାରୁ ନିଜେ ଗ୍ରାମବାସୀ ନିଜ ଖର୍ଚ୍ଚ ଓ ଶ୍ରମରେ ମରାମତି କଲେ ରାସ୍ତା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୩ : ମଙ୍ଗଳବାର ଦିନ ଜଗନ୍ନାଥ ସଡକ ଠାରୁ ହରଭଙ୍ଗା ବ୍ଲକ ମହାକୁଡପାଲି ଗ୍ରାମକୁ ଥିବା ରାସ୍ତା ମରାମତି ପାଇଁ ବାରମ୍ବାର ଦାବି ସତ୍ବେ ପ୍ରଶାସନ ନଶୁଣିବାରୁ ନିଜେ ଗ୍ରାମବାସୀ ରାସ୍ତା ନିର୍ମାଣ କରୁଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ ବିରନରସିଂହପୁର ପଞ୍ଚାୟତର ମହାକୁଡପାଲି ଗ୍ରାମରେ ଶତାଧିକ ପରିବାର ବାସ କରୁଛନ୍ତି ।
ଗ୍ରାମରୁ ଗେଲ୍ହା ମନ୍ଦିର ଦେଇ ଜଗନ୍ନାଥ ସଡକ ପର୍ଯ୍ୟନ୍ତ ପ୍ରାୟ ଦେଢ କିଲୋମିଟର୍ ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇ ରହିଛି । ଗ୍ରାମବାସୀ ଗେଲ୍ହା ମା\’ଙ୍କ ଦର୍ଶନ କିମ୍ବା ମହାନଦୀକୁ ଗାଧୋଇ ଯିବାକୁ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି ।
ଉକ୍ତ ରାସ୍ତାର ମରାମତି ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳ ଓ ଜନ ପ୍ରତିନିଧି ମାନଙ୍କୁ ବାରମ୍ବାର ଗୁହାରୀ କରିବା ସତ୍ବେ ଦୀର୍ଘ ବର୍ଷ ହେଲା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଗଲାନାହିଁ ।
ଫଳରେ ଗ୍ରାମବାସୀ ପରିବାର ପିଛା ୫ ଶହ ଟଙ୍କା ଓ ନିଜେ ଶ୍ରମଦାନ କରି ଆଜି ରାସ୍ତା ମରାମତି ଆରମ୍ଭ କରିଛନ୍ତି ।
ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।




