Odisha News

ପରଲୋକରେ କନକ ନ୍ୟୁଜ୍‌ର ବରିଷ୍ଠ ସାମ୍ବାଦିକ ବିଭୂତି ପତି

କଟକ, ୧୯/୧୦ : ଆଉ ନାହାନ୍ତି ଓଡ଼ିଶା ମିଡିଆ ଜଗତର ବରିଷ୍ଠ ସାମ୍ବାଦିକ ବିଭୂତି ପତି। ଆଜି କଟକ ସ୍ଥିତ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ଗଣମାଧ୍ୟମ ପାଇଁ କାର୍ଯ୍ୟ କରିଥିବା ବିଭୂତି ପତି ଆଜି ସକାଳେ ଗୋଟିଏ ଘରୋଇ ଗାଡ଼ିରେ ଭୁବନେଶ୍ୱରରୁ କଟକ ସଡିଏ-୧୦ ସ୍ଥିତ ନିଜ ଘରକୁ ଆସୁଥିଲେ।
କିନ୍ତୁ ଅଧା ରାସ୍ତାରେ ହଠାତ୍ ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଏସସିବି ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା ବି କରିଥିଲେ। ସେ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀ ପତି ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହେଇଥିଲା। ହୃଦଘାତ ଯୋଗୁ ଶ୍ରୀ ପତିଙ୍କ ଦେହାନ୍ତ ହୋଇଥିବା ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି।
ପୂର୍ବରୁ ଓଟିଭି ପାଇଁ ଦିଲ୍ଲୀରେ ରିପୋର୍ଟିଂ କରୁଥିବା ବିଭୂତି ପତି ଏକାଧିକ ଗଣମାଧ୍ୟମ ପାଇଁ କାର୍ଯ୍ୟ କରିଛନ୍ତି। ଏବେ ସେ ଦିଲ୍ଲୀରେ କନକ ନ୍ୟୁଜର ରିପୋର୍ଟର ଭାବେ କାମ କରୁଥିଲେ। ତାଙ୍କର ଅକାଳ ବିୟୋଗ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ଏବେ ତାଙ୍କ ପତ୍ନୀ ଓ ଏକ ମାତ୍ର ପୁତ୍ର ବେସାହାରା ହୋଇଯାଇଛନ୍ତି।
ବିଭୂତି ପତି ପ୍ରଜାତନ୍ତ୍ର ପ୍ରଚାର ସମିତି ଦ୍ୱାରା ପ୍ରକାଶିତ ଇଂରାଜୀ ସାପ୍ତାହିକ ଇଷ୍ଟର୍ଣ୍ଣ ଟାଇମ୍ସରୁ ନିଜର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ପରେ ସେ ପ୍ରଜାତନ୍ତ୍ର, ସମ୍ବାଦ, ସମାଜ, ଧରିତ୍ରୀ, ନକ୍ଷତ୍ର ନ୍ୟୁଜ୍, ଓଟିଭି, ନନ୍ଦିଘୋଷ ଟିଭି ଓ କନକ ନ୍ୟୁଜ୍ ଭଳି ଓଡ଼ିଶାର ଅଧିକାଂଶ ଗଣମାଧ୍ୟମ ସଂସ୍ଥାରେ କାମ କରିଥିଲେ।
ତାଙ୍କର ଅନେକ ସାକ୍ଷାତକାର ଓ ଫିଚର୍ ପ୍ରଜାତନ୍ତ୍ର ଓ ସମ୍ବାଦରେ ପ୍ରକାଶିତ ହୋଇଥିଲା। ଏହାଛଡ଼ା ସେ ଅନେକ ଜାତୀୟ ଗଣମାଧ୍ୟମ ସହ ମଧ୍ୟ ଜଡ଼ିତ ଥିଲେ।

Related Posts