ନୀତି ଅନିଶ୍ଚିତତା, ବିଚାରଧାରର ଅଭାବ ଓ ନେତୃତ୍ୱ ସ୍ପଷ୍ଟତା ବଅଭାବରେ ବିଜେଡ଼ିରେ ବଢ଼ୁଛି ଦଳଛାଡ଼ ପ୍ରବଣତା
By Sukanta Kumar Mohanty
ଭୁବନେଶ୍ୱର: ୨୦୨୪ ବିଧାନସଭା ନିର୍ବାଚନରେ ପରାଜୟ ପରେ ବିଜୁ ଜନତା ଦଳ (ବିଜେଡି) ନିଜକୁ ପୁନର୍ଗଠିତ ଓ ସୁସଂଗଠିତ କରିବାରେ ଯେପରି ଦୃଢ଼ ପଦକ୍ଷେପ ନେବାକୁ ଥିଲା, ସେଥିରେ ଦଳ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ବରଂ ପରାଜୟ ପରେ ଦଳର ଅନେକ ନେତା, ଏକାଧିକ ରାଜ୍ୟସଭା ସାଂସଦଙ୍କ ସହିତ, କ୍ରମେ ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିକୁ ଯୋଗ ଦେଉଥିବା ଘଟଣା ଦଳୀୟ ଶିବିରରେ ଚିନ୍ତା ବଢ଼ାଇଛି।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ, କୌଣସି ରାଜନୈତିକ ଦଳ ସେତେବେଳେ ସୁଦୃଢ଼ ରହିଥାଏ, ଯେତେବେଳେ ତାହାର ନେତୃତ୍ୱ ନିଜର ଅଭିମୁଖ୍ୟ ଓ ଭବିଷ୍ୟତ ରଣନୀତି ସମ୍ପର୍କରେ ସ୍ପଷ୍ଟ ସନ୍ଦେଶ ଦେଇପାରେ। କିନ୍ତୁ ବିଜେଡି କ୍ଷେତ୍ରରେ ୨୦୨୪ ପରେ ସେହି ସ୍ପଷ୍ଟତାର ଅଭାବ ଦେଖାଦେଇଛି।
ଦଳର ସର୍ବୋଚ୍ଚ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପରେ ଦଳର ଭବିଷ୍ୟତ ନେତୃତ୍ୱ ନେଇ କୌଣସି ସ୍ପଷ୍ଟ ରୋଡମ୍ୟାପ୍ ଦେଇନାହାନ୍ତି। ତାଙ୍କର ବୟସ ଓ ସ୍ୱାସ୍ଥ୍ୟ ନେଇ ମଧ୍ୟ ରାଜନୈତିକ ମହଳରେ ଚର୍ଚ୍ଚା ଚାଲିଥିବାବେଳେ, ଦଳର ପରବର୍ତ୍ତୀ ନେତୃତ୍ୱ କିଏ ନେବେ ସେନେଇ ଅସ୍ପଷ୍ଟତା ରହିଛି।
ବିଶେଷକରି ଦ୍ୱିତୀୟ ଓ ତୃତୀୟ ଧାଡି଼ର ନେତୃତ୍ୱକୁ ଆଗକୁ ଆଣିବାରେ ବିଜେଡି ଏପର୍ଯ୍ୟନ୍ତ ଦୃଶ୍ୟମାନ ପଦକ୍ଷେପ ନେଇନଥିବାରୁ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଅନିଶ୍ଚିତତା ବଢ଼ିଛି। ଏହି ପରିସ୍ଥିତିରେ କିଛି ନେତା ନିଜର ରାଜନୈତିକ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଅନ୍ୟ ଦଳକୁ ମୁହାଁଉଥିବା ଆଲୋଚନା ହେଉଛି।
ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ଯଦି ବିଜେଡି ଶୀଘ୍ର ସଂଗଠନକୁ ପୁନର୍ଗଠନ କରି ନୂତନ ନେତୃତ୍ୱକୁ ସାମ୍ନାକୁ ନଆଣେ, ତେବେ ଆଗାମୀ ଦିନରେ ଦଳରେ ଅସ୍ଥିରତା ଆହୁରି ବଢିଯିବ ଏବଂ ମମତା ମହାନ୍ତ, ସୁଜିତ୍ କୁମାର ଏବଂ ଦେବାଶିଷ ସାମନ୍ତରାୟଙ୍କ ଭଳି ବହୁ ନେତା ଦଳ ଛାଡ଼ିବେ ।




