Odisha News

ନାତିକୁ ସ୍କୁଲ୍ ଛାଡ଼ିବାକୁ ଯାଉଥିଲେ ଅଜା, ରାସ୍ତା ପାର ହେଉଥିବା ବେଳେ ମାଡ଼ିଗଲା ଗାଡ଼ି, ଉଭୟ ମୃତ

ସମ୍ବଲପୁର,୨୦/୧୧ : ଶୁକ୍ରବାର ସକାଳୁ ସକାଳୁ ଜାତୀୟ ରାଜପଥ(୫୩)ର ବାବୁବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ଏଥିରେ ଜେଜେ ଏବଂ ତାଙ୍କର ୧୦ ବର୍ଷୀୟ ନାତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ କ୍ଷତିପୂରଣ ଓ ଅନ୍ୟାନ୍ୟ ଦାବିରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଗୋଶାଳା ନିକଟସ୍ଥ ସାନଟିକ୍ରା ଅଞ୍ଚଳର ପଣ୍ଡିତ ନିରଞ୍ଜନ ଷଡ଼ଙ୍ଗୀ ସେଣ୍ଟ-ଲୁକ୍ ସ୍କୁଲରେ ୫ମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ନାତି(ପଣ୍ଡିତ ଅସୀମାନନ୍ଦ ଷଡ଼ଙ୍ଗୀଙ୍କ ପୁତ୍ର) ଚୁମନ(୧୦)ଙ୍କୁ ସ୍କୁଲ ପଠାଇବା ପାଇଁ ବାବୁବନ୍ଧଠକ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ ।
ସ୍କୁଲ୍ ବସକୁ ଅପେକ୍ଷା କରିଥିବା ବେଳେ ବରଗଡ଼ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ଜେଜେ ଓ ନାତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଥିଲା।
ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି ।

Related Posts