Odisha News

ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର : ସେପ୍ଟେମ୍ବର ୧୧ରୁ ବଢ଼ିବ କ୍ରୟ ମୂଲ୍ୟ, ଖୋଲିବ ୫୦୦ ଓମ୍‌ଫେଡ୍ ପାର୍ଲର

ଭୁବନେଶ୍ୱର, ୮/୯ : ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଆସିଲା ବଡ ଖବର। ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ (ଓମଫେଡ) ଦୁଗ୍ଧ ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ଅଧିକ ୨ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସୁବିଧା ଆସନ୍ତା ୧୧ ତାରିଖରୁ ଲାଗୁ ହେବ। ଏନେଇ ଆଜି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୩ ଲକ୍ଷରୁ ଉର୍ଦ୍ଧ୍ବ ଦୁଗ୍ଧ ଚାଷୀ/ଗୋପାଳକ ସିଧାସଳଖ ଉପକୃତ ହେବେ। ଓମଫେଡ ସହ ଜଡ଼ିତ ଚାଷୀମାନେ ଏବେ ଲିଟର ପିଛା ଅଧିକ ଆୟ ପାଇବେ ଯାହା ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବ। ଓମଫେଡ ପକ୍ଷରୁ କୁହାଯାଇଛି ଯେ, ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଅଧିକ ଉତ୍ସାହିତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଗୋଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଚାଷୀମାନେ ଅଧିକ ମୂଲ୍ୟ ଦାବି କରିଆସୁଥିଲେ। ସେହି ଦାବିକୁ ଆଂଶିକ ଭାବେ ପୂରଣ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଦୁଗ୍ଧ ସମିତି ମାଧ୍ୟମରେ ଏହି ଅତିରିକ୍ତ ରାଶି ଚାଷୀଙ୍କ ଖାତାରେ ଜମା ହେବ। ଆସନ୍ତା ୧୧ ତାରିଖଠାରୁ ସଂଗୃହୀତ ଦୁଗ୍ଧ ପାଇଁ ବର୍ଦ୍ଧିତ ଦର ଲାଗୁ ହେବ।

Related Posts