ଦୀପାବଳୀରେ ବାଣ ବ୍ୟବସାୟକୁ ନେଇ ପ୍ରଶାସନର ନିୟମ ଉପରେ ପ୍ରଶ୍ନବାଚୀ : ନିୟମ ଭିତରେ ରହି ବ୍ୟବସାୟ କରିବେ କିପରି?
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୩/୧୧ : ଦୀପାବଳୀ ଆସିଲେ ବାଣ ବଜାରରେ ଦେଖିବାକୁ ମିଳେ ଚଳଚଞ୍ଚଳତା। ଏହି ସମୟରେ ବାଣ ବ୍ୟବସାୟ କରି ଦୁଇ ପଇସା ରୋଜଗାର କରିବାକୁ ଅନେକ ବ୍ୟବସାୟୀ ଆଗ୍ରହ ପ୍ରକାଶ କରନ୍ତି। ହେଲେ ବାଣ ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନର ସମୟସୀମା ଓ ବାଣ ସଂଗ୍ରହ କରିବାର ବାସ୍ତବ ସ୍ଥିତିକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ।
ପ୍ରଶାସନର ନିୟମ ଓ ବ୍ୟବସାୟର ଆବଶ୍ୟକତା ମଧ୍ୟରେ ରହିଥିବା ଏହି ତାଳମେଳ ଅଭାବ ବ୍ୟବସାୟୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଅଭିଯୋଗ ଅନୁଯାୟୀ, ଦୀପାବଳୀର ମାତ୍ର ଦୁଇ ଦିନ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଣ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଉଛି।
କିନ୍ତୁ ବ୍ୟବସାୟୀଙ୍କୁ ବଜାରର ଚାହିଦା ଓ ଯୋଗାଣକୁ ଦୃଷ୍ଟିରେ ରଖି ପ୍ରାୟ ମାସକ ପୂର୍ବରୁ ବାଣ ସଂଗ୍ରହ କରି ରଖିବାକୁ ପଡ଼ୁଛି। କାରଣ ଶେଷ ମୁହୂର୍ତ୍ତରେ ବାଣ ଯୋଗାଣରେ ଅଭାବ ଦେଖାଦେବା ସହ ଦରବୃଦ୍ଧିର ଆଶଙ୍କା ମଧ୍ୟ ରହିଛି।
ଏଭଳି ସ୍ଥିତିରେ ଲାଇସେନ୍ସ ମିଳିବା ପୂର୍ବରୁ ବାଣ ସଂଗ୍ରହ କରି ରଖିଲେ ତାହାକୁ ବେଆଇନ ମହଜୁଦ ବୋଲି ଧରାଯିବାର ଆଶଙ୍କା ରହୁଛି।
ଯଦି ପୁଲିସ ଏହାର ସୁରାକ ପାଇ ଚଢ଼ାଉ କରେ, ତେବେ ବାଣ ଜବତ ହେବା ସହ ବ୍ୟବସାୟୀଙ୍କୁ ଆଇନଗତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ଅନ୍ୟପକ୍ଷରେ ଲାଇସେନ୍ସ ମିଳିବା ପରେ ବାଣ କିଣିବାକୁ ଗଲେ ଠିକ୍ ସମୟରେ ଆବଶ୍ୟକ ପରିମାଣର ବାଣ ମିଳିବା ନେଇ ଅନିଶ୍ଚିତତା ରହୁଛି। ଏଠାରେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଯଦି ଲାଇସେନ୍ସ ମିଳିବା ପୂର୍ବରୁ ବାଣ ରଖିବା ବେଆଇନ, ତେବେ ଲାଇସେନ୍ସ ମିଳିବାର ମାତ୍ର ଦୁଇ ଦିନ ମଧ୍ୟରେ ବ୍ୟବସାୟୀ କିପରି ବାଣ ସଂଗ୍ରହ କରି ଦୋକାନ ଖୋଲିବେ ?
ଆଉ ଯଦି ଲାଇସେନ୍ସ ପାଇବା ପରେ ସେହି ବାଣ ବିକ୍ରି ଆଇନସମ୍ମତ, ତେବେ ତାହାର ପୂର୍ବ ପ୍ରସ୍ତୁତି ପାଇଁ ସ୍ପଷ୍ଟ ବ୍ୟବସ୍ଥା କାହିଁକି ନାହିଁ ? ବାଣ ବ୍ୟବସାୟୀଙ୍କ ସୁରକ୍ଷା ସହ ଜନସାଧାରଣଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବା ପ୍ରଶାସନର ଦାୟିତ୍ୱ।
ତେଣୁ ସୁରକ୍ଷା ନିୟମକୁ କଡ଼ାକଡ଼ି ପାଳନ କରିବା ସହ ଲାଇସେନ୍ସ ପ୍ରଦାନ, ବାଣ ସଂଗ୍ରହ ଓ ସଂରକ୍ଷଣ ପାଇଁ ଏକ ସ୍ପଷ୍ଟ ଓ ବ୍ୟବହାରିକ ବ୍ୟବସ୍ଥା କରିବା ଆବଶ୍ୟକ। ନଚେତ୍ ନିୟମ ପାଳନ କରିବାକୁ ଯାଇ ବ୍ୟବସାୟୀମାନେ ଅଯଥା ଆଇନଗତ ଦ୍ୱନ୍ଦ୍ୱରେ ପଡ଼ିବେ।
ନିୟମ ରହୁ, ସୁରକ୍ଷା ବି ରହୁ; ହେଲେ ନିୟମ ଏପରି ନହେଉ ଯେ ବ୍ୟବସାୟ କରିବା ପୂର୍ବରୁ ବ୍ୟବସାୟୀ ଦ୍ୱନ୍ଦ୍ୱରେ ପଡ଼ିଯିବେ। ଏହି ଦିଗରେ ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ ସହ ବ୍ୟବହାରିକ ପଦକ୍ଷେପ ଏବେ ଅପେକ୍ଷିତ।
ଆଦିବାସୀ ମହାବିଦ୍ୟାଳୟରେ ଏ ଆଇ ସାକ୍ଷରତା ମିଶନ: ଛାତ୍ରଛାତ୍ରୀଙ୍କୁ ଦିଆଗଲା ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାର ମନ୍ତ୍ର
ବାଲିଗୁଡ଼ା, ୩/୧୧: ଆଧୁନିକ ଯୁଗରେ କୃତ୍ରିମ ବୁଦ୍ଧିମତ୍ତା (ଏ ଆଇ) ଓ ବୈଷୟିକ ଜ୍ଞାନ ଯୁବପିଢ଼ିଙ୍କ ଭବିଷ୍ୟତ ଗଠନରେ ଏକ ନୂଆ ଦିଗ ଖୋଲି ଥିବା ବେଳେ ଏହାର ଉପଯୋଗିତା ଓ ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଲକ୍ଷ୍ୟରେ ବାଲିଗୁଡ଼ା ଆଦିବାସୀ ଡିଗ୍ରୀ ମହାବିଦ୍ୟାଳୟରେ ଆୟୋଜିତ ହୋଇଛି କୌଶଳ ବିକାଶ ଯାତ୍ରା ଓ ଏ ଆଇ ସାକ୍ଷରତା ମିଶନ କାର୍ଯ୍ୟକ୍ରମ।
ଆଇସେକ୍ଟ ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଏଆଇର ବ୍ୟବହାର, ନିଯୁକ୍ତି ସୁଯୋଗ ଏବଂ ଆଧୁନିକ ଜ୍ଞାନକୌଶଳ ସହ ନିଜକୁ କିପରି ଯୋଡ଼ି ରଖିବେ ସେ ସମ୍ପର୍କରେ ମାର୍ଗଦର୍ଶନ ଦିଆଯାଇଥିଲା।
ଦେଶର ଅଗ୍ରଣୀ ଦକ୍ଷତା ବିକାଶ ଓ ଉଚ୍ଚଶିକ୍ଷା ସଂଗଠନ ଆଇସେକ୍ଟ ପକ୍ଷରୁ ନଭେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା କୌଶଳ ବିକାଶ ଯାତ୍ରା ୨୦୨୬ ଦେଶର ୨୦ଟି ରାଜ୍ୟର ୩୦୦ଟି ଜିଲ୍ଲାର ୫୦୦ରୁ ଊର୍ଦ୍ଧ୍ୱ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନରେ ପହଞ୍ଚିବାର ଲକ୍ଷ୍ୟ ରଖିଛି।
ଏହି ଅଭିଯାନ ମାଧ୍ୟମରେ ମାଗଣା ଏ ଆଇ ସେମିନାର, କର୍ମଶାଳା, କ୍ୟାରିୟର ପରାମର୍ଶ ଓ ବୈଷୟିକ ପ୍ରଦର୍ଶନୀ ଜରିଆରେ ଯୁବପିଢ଼ିଙ୍କୁ ନୂତନ ଦକ୍ଷତା ହାସଲ ପାଇଁ ପ୍ରୋତ୍ସାହିତ କରାଯାଉଛି।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର୍ୟ୍ୟ ଏବଂ ବ୍ଲେସିଂ ଏଜୁକେସନାଲ ଇନଷ୍ଟିଚ୍ୟୁସନ ସେଣ୍ଟରର ଅଧ୍ୟକ୍ଷ ସୁକଦେବ ଦିଗାଲ ଓ ବର୍ଷାରାଣୀ ଡାକୁଆ ଉପସ୍ଥିତ ଥିଲେ। ଆଇସେକ୍ଟ ଓଡ଼ିଶାର କ୍ଷେତ୍ରୀୟ ସଂଯୋଜକ ଚୌଧୁରୀ ସତ୍ୟବ୍ରତ ଦାଶ, ନିଳାଦ୍ରି ମହାରଣା ଓ ବିଡିଇ ସୁଧାଂଶୁ ରଞ୍ଜନ ନାୟକ ଛାତ୍ରଛାତ୍ରୀଙ୍କୁ ଏ ଆଇ ର ଭବିଷ୍ୟତ ବ୍ୟବହାର, ଶିକ୍ଷା, ନିଯୁକ୍ତି ଓ ବିଭିନ୍ନ କ୍ଷେତ୍ରରେ ଏହାର ଭୂମିକା ସମ୍ପର୍କରେ ବୁଝାଇଥିଲେ। ଆଇସେକ୍ଟ ମୁଖପାତ୍ର ସନ୍ତୋଷ ଚୋବେଙ୍କ ମତରେ, କୌଶଳ ବିକାଶ ଯାତ୍ରା କେବଳ ଏକ ଶିକ୍ଷାଗତ ଅଭିଯାନ ନୁହେଁ, ବରଂ ଯୁବପିଢ଼ିଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ିବା ଓ ନିଯୁକ୍ତିଭିତ୍ତିକ ଶିକ୍ଷା ପ୍ରଦାନ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହା ଦ୍ୱାରା ବିକଶିତ ଭାରତ ଗଠନରେ ଯୁବପିଢ଼ିଙ୍କ ଭାଗୀଦାରି ବଢ଼ିପାରିବ। ଛାତ୍ରଛାତ୍ରୀ ମାନେ ଏହି ଅଭିଯାନକୁ ଭବିଷ୍ୟତ କ୍ୟାରିୟର ପାଇଁ ଏକ ଉପଯୋଗୀ ମାର୍ଗଦର୍ଶକ ବୋଲି ମତ ଦେଇଥିଲେ। ଶେଷରେ ଉପସ୍ଥିତ ଅତିଥି, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇ ସେମିନାରର ସମାପନ କରାଯାଇଥିଲା।




