Odisha News

ତେଲର ଅଭାବ ନୁହେଁ ପରିଚାଳନାର ଅଭାବ, ଭୟଭୀତ ହୋଇ ତେଲ ନ କିଣିବାକୁ ସଚିବଙ୍କ ପରାମର୍ଶ

ଭୁବନେଶ୍ବର, ୧୪/୫: ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏବେ ଦେଖାଦେଇଛି ତେଲ ସଙ୍କଟ । ଅନେକ ଟାଙ୍କିରେ ପେଟ୍ରୋଲ ନଥିବାରୁ ଲାଗିଛି ନୋ ଷ୍ଟକ୍ ବୋର୍ଡ଼ । ଆଉ ଯେଉଁଠି ପେଟ୍ରୋଲ ଅଛି ସେଠି ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍ ।
ଆଗକୁ କାଳେ ତେଲ ମିଳିବନି, ତେଲ ଦର ବଢ଼ିଯିବ, ସେଇ ଆଶଙ୍କାରେ ଅନେକ ଜାଗାରେ ଲୋକେ ଅଧିକ ମାତ୍ରାରେ ପେଟ୍ରୋଲ ନେଉଥିବାରୁ ଟାଙ୍କି ଗୁଡ଼ିକରେ ଷ୍ଟକ୍ ସରିଯାଉଛି । ହଠାତ୍ ପେଟ୍ରୋଲ କିଣିବା ପରିମାଣ ୫୦ ପ୍ରତିଶତ ବଢ଼ିଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ପେଟ୍ରୋଲ ଡିଜେଲ୍ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ । ହେଲେ ଲୋକେ ତେଲ ନମିଳିବା ଆଶଙ୍କାରେ ତେଲ ଟାଙ୍କି ଖାଲି କରିଦେଉଛନ୍ତି । ଗ୍ୟାସ୍ ପାଇଁ ଯେଭଳି ହୋ-ହଲ୍ଲା ଚାଲିଥିଲା, ଠିକ୍ ସେମିତି ଏବେ ପେଟ୍ରୋଲ ଡିଜେଲ ପାଇଁ ହୋ-ହଲ୍ଲା ଚାଲିଛି । ଗ୍ୟାସ୍ ଭଳି ଖୁବ୍ ଶୀଘ୍ର ତେଲ ସମସ୍ୟା ଦୂର ହେବ ବୋଲି କହିଛନ୍ତି ସରକାର । ଯୋଗାଣ ବିଭାଗ ପ୍ରମୁଖ ସଚିବ ସଂଜୟ ସିଂ କହିଛନ୍ତି, ଲୋକେ ଛାନିଆ ହୋଇ ତେଲ କିଣନ୍ତୁନି ।
ରାଜ୍ୟରେ ଯଥେଷ୍ଟ ପରିମାଣରେ ତେଲ ମହଜୁଦ୍ ଅଛି । ରାଜ୍ୟରେ ଥିବା ୨୮ଶହ ପେଟ୍ରୋଲ ପମ୍ପ ମଧ୍ୟରୁ ମାତ୍ର ୨୦ରୁ ୩୦ ଟାଙ୍କିରେ ତେଲ ସରିଯାଇଛି । କିଛି ପେଟ୍ରୋଲ ପମ୍ପ ମାଲିକ ଟଙ୍କା ଡିପୋଜିଟ୍ କରୁନଥିବାରୁ ସେମାନଙ୍କୁ ତେଲ ମିଳିନଥିବ । ଖୁବ୍ ଶୀଘ୍ର ରାଜ୍ୟର ସମସ୍ତ ଟାଙ୍କିରେ ତେଲ ପହଞ୍ଚିବ । ଯେଉଁମାନେ ତେଲର କଳାବଜାରୀ କରିବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଯୋଗାଣ ସଚିବ ।
ସେପଟେ ପେଟ୍ରୋଲ-ଡିଜେଲ ଅଭାବ ସ୍ଥିତିକୁ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସମ୍ପାଦକ ସଂଜୟ ଲାଠ କହିଛନ୍ତି, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଡିଜେଲ ମହଜୁଦ୍ ଅଛି । କିଛି ସ୍ଥାନରେ ଲୋକେ ଅଧିକ ମାତ୍ରାରେ ତେଲ କିଣିବା ଯୋଗୁଁ ତେଲ ଟାଙ୍କିରୁ ତେଲ ସରିଯାଇଛି । ଟିକେ ସମୟ ଦେଲେ ସେସବୁ ଟାଙ୍କିରେ ତେଲ ପହଞ୍ଚିଯିବ ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ରାଜ୍ୟରେ ତୈଳ ସଙ୍କଟ ଦେଖା ଦେଇଛି । ଏଭଳି ସମସ୍ୟା ଲାଗି ରହିଲେ ୬ ରୁ ୭ ଦିନରେ ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯିବ ।
ତେଣୁ ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ସେ ଅନୁରୋଧ କରିଛନ୍ତି । ପବ୍ଲିକ୍ ଟ୍ରାନ୍ସପୋର୍ଟ ପାଇଁ କାର୍ଡ ବ୍ୟବସ୍ଥା କରି ଡିଜେଲ ଦେବାକୁ କହିଛନ୍ତି ।
ଏବେ ରାଜ୍ୟରେ ମୋଟ ୧୪ ହଜାର ଘରୋଇ ବସ୍ ଚାଲିଛି । ତେଲ ନ ମିଳିବାରୁ ପ୍ରାୟ ୨୦୦୦ ବସ୍ ବନ୍ଦ ହୋଇପଡ଼ିଥିବାବେଳେ ଗ୍ରାମାଞ୍ଚଳରେ ତେଲ ନ ମିଳିବାରୁ ବସ୍‌ଗୁଡ଼ିକ ଆସିପାରୁ ନାହିଁ ବୋଲି ସେ କହିଛନ୍ତି ।

Related Posts