Odisha News

ଟିକରପଡା ଇକୋ-ଟୁରିଜମ୍ ରେ ସମୃଦ୍ଧ ହେବ, ସ୍ଥିତି ସମୀକ୍ଷା ସହିତ ତଳଗାଁ ପରିଦର୍ଶନ କଲେ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୪ : ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଟିକରପଡା ପରିଦର୍ଶନ କରି ଏହି ଅଞ୍ଚଳରେ ଇକୋ-ଟୁରିଜମ୍ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।
ଅତଳସରା ନିକଟରେ ପାର୍କିଂ ସ୍ଥଳୀ, ଫରେଷ୍ଟ ବିଟ୍ ହାଉସ୍, ଶିଶୁ ବଗିଚା, କଟେଜ୍, ଶୌଚାଳୟ ଓ ବିଶ୍ରାମ ଗୃହ ସହିତ ସିତଲପାଣିରେ ଗେଷ୍ଟ ହାଉସ୍ ନିର୍ମାଣ ସମ୍ଭାବନା ଯାଞ୍ଚ କରି ଏହି ପ୍ରକଳ୍ପଗୁଡ଼ିକୁ ଶୀଘ୍ର ରୂପାୟନ ପାଇଁ ହରଭଙ୍ଗା ବିଡ଼ିଓ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ତଳଗାଁ ଅନୁସୂଚିତ ଜାତି ଓ ଜନଜାତି ହୋଷ୍ଟେଲ୍‌ରେ ଛାତ୍ରୀମାନଙ୍କ ସହ ଆଲୋଚନା କରି ଛାତ୍ରୀନିବାସ ପରିଚାଳନା ସୁଧାର ପାଇଁ ମେଟ୍ରନ ଓ ପରିଚାରିକାଙ୍କୁ ତାଗିଦ୍ କରିଥିଲେ । ପରିବେଶକୁ ସଫା ସୁତରା ରଖିବା ସହିତ ଅନ୍ତେବାସୀ ମାନଙ୍କ ସମୁଚିତ ଯତ୍ନ ନେବା ପାଇଁ ଆଦେଶ ଦେଇଥିଲେ।
ବିଡ଼ିଓଙ୍କୁ ହଷ୍ଟେଲ ପାଚେରୀ ଉଚ୍ଚ କରିବା ସହିତ ତାରବାଡା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହା ପରେ ଜିଲ୍ଲାପାଳ ତଳଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ ସେବା ବ୍ୟବସ୍ଥା ସମୀକ୍ଷା କରି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିୟମିତ ଉପସ୍ଥିତି ଓ ଗୁଣାତ୍ମକ ସେବା ପ୍ରଦାନରେ ଗୁରୁତ୍ୱ ଦେବାକୁ କହିଥିଲେ।
ତଳଗାଁ- ରାଣୀସାହି ବିବାଦୀୟ ସଡ଼କ ପଥକୁ ମଧ୍ୟ ସେ ନିରୀକ୍ଷଣ କରି ତହସିଲଦାରଙ୍କୁ ଶୀଘ୍ର ଜମି ସୂଚନା ଯୋଗାଇବା ସହିତ ଓ କନିଷ୍ଠ ଯନ୍ତ୍ରୀ (ଆର୍‌ଡି)ଙ୍କୁ ରାସ୍ତା ନିର୍ମାଣର ସମସ୍ୟା ସମ୍ପର୍କରେ ଅବଗତ କରାଇ ଶୀଘ୍ର କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଗସ୍ତ ସମୟରେ ଜିଲ୍ଲାପାଳଙ୍କ ସହିତ ବିଡ଼ିଓ, ତହସିଲଦାର ହରଭଙ୍ଗା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।ଏହି ପରିଦର୍ଶନ ମାଧ୍ୟମରେ ଜିଲ୍ଲାର ପର୍ଯ୍ୟଟନ ବିକାଶ ସହିତ ଗ୍ରାମାଞ୍ଚଳର ମୂଳଭୂତ ସୁବିଧା ସୁଦୃଢ଼ କରିବା ପ୍ରତି ପ୍ରଶାସନର ଦୃଢ଼ ପ୍ରତିବଦ୍ଧତା ପ୍ରକାଶ ପାଇଛି।

Related Posts