ଟଙ୍କା ନେଲେ, ଦର୍ଶନ କରାଇଲେନି ; ୧୦୦ କି ୫୦୦ ନୁହେଁ, ୧୩ ହଜାର ନେଇ ନକଲି ଗୁମାସ୍ତା ଗାଏବ
ପୁରୀ/ଓଡ଼ିଶା, ୨୨/୧୧ : ପୁଣି ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ନକଲି ଗୁମାସ୍ତାଙ୍କ ରାଜ୍। ଏଥର ୧୦୦ କି ୫୦୦ ନୁହେଁ, ସହଜରେ ଦର୍ଶନ କରାଇବା କଥା କହି ୧୩ ହଜାର ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଜଣେ ନକଲି ଗୁମାସ୍ତା। ଜଣେ ମହିଳା ଶ୍ରଦ୍ଧାଳୁ ଆଣିଛନ୍ତି ଏହି ସାଂଘାତିକ ଅଭିଯୋଗ।
ମୁରାରି ବାପୁଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମେରିକାରୁ ଆସିଥିବା ୧୩ ଜଣ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ପହଞ୍ଚିଥିଲେ।
ସେଠାରେ ନକଲି ଗୁମାସ୍ତା ଜଣଙ୍କ ସହଜରେ ଦର୍ଶନ କରାଇଦେବେ କହି ଜଣଙ୍କ ପିଛା ୧୦୦୦ ଟଙ୍କା ହିସାବରେ ୧୩ ଜଣଙ୍କ ଠାରୁ ୧୩୦୦୦ ଟଙ୍କା ନେଇଥିଲେ।
କିନ୍ତୁ ଟଙ୍କା ନେବା ପରେ ସେ ସେଠାରୁ ଗାୟବ ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି।
ସମ୍ପୃକ ନକଲି ଗୁମାସ୍ତାଙ୍କୁ କିଛି ଲୋକ ଅଟକ ରଖିଥିବା ଖବର ଆସିଥିଲା। ସେ ନକଲି ଗୁମାସ୍ତା ସାଜି ୧୩୦୦୦ ଟଙ୍କା ନେଇଥିବା ସନ୍ଦେହ କରାଯାଉଛି। ତେବେ ସେ ସେଠାରୁ କୁଆଡ଼େ ଚାଲିଯାଇଥିବା ନେଇ ଚର୍ଚ୍ଚା ହେଉଛି।
ପଞ୍ଚୁକ ଯୋଗୁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ସହଜରେ ଦର୍ଶନ କରାଇ ଦେବାକୁ କହି ନକଲି ଗୁମାସ୍ତାମାନେ ଭକ୍ତଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଫଳରେ ଏହା ପୁଲିସର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କିଛି ଦିନ ପୂର୍ବରୁ ସିଂହଦ୍ଵାର ଥାନା ପୁଲିସ ୯ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣେ ନକଲି ଗୁମାସ୍ତା ଭକ୍ତଙ୍କ ଠାରୁ ୧୩ ହଜାର ଟଙ୍କା ହଡ଼ପ କରିବା ଘଟଣା ସବୁ ସୀମା ପାର କରିଛି।
ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସମ୍ପୃକ୍ତ ନକଲି ଗୁମାସ୍ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।




