ବୌଦ୍ଧରେ ବିଜେପିର “ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ” ପଦଯାତ୍ରା; ସାମିଲ ହେଲେ କାର୍ଯ୍ୟକର୍ତ୍ତା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୧୧ : ଭାରତୀୟ ଜନତା ପାର୍ଟି (ବିଜେପି) ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ପ୍ରେମାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଏକ ବିଶାଳ “ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ” ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବ୍ରିଜ୍ ଛକଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସହର ପରିକ୍ରମା କରିବା ପରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ଠାରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ଓଡ଼ିଶା ସରକାରଙ୍କ ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ କହ୍ନାଇ ଚରଣ ଡାଙ୍ଗ ଯୋଗ ଦେଇଥିଲେ।
ସମସ୍ତ ଅତିଥି ପଦଯାତ୍ରାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚାଲିଚାଲି କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ବଢ଼ାଇଥିଲେ।
ଷ୍ଟାଡିୟମ୍ଠାରେ ଆୟୋଜିତ ସଭାରେ ଜିଲ୍ଲା ସଭାପତି ଶ୍ରୀ ପ୍ରେମାନନ୍ଦ ମିଶ୍ର ପଦଯାତ୍ରାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ବିରୋଧୀ ଦଳଗୁଡ଼ିକ ନୂତନ ପିଢ଼ିଙ୍କୁ ଭ୍ରମିତ ଓ ପଥଭ୍ରଷ୍ଟ କରି ଦେଶରେ ଅଶାନ୍ତି ଓ ଅରାଜକତା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛନ୍ତି। ବିରୋଧୀଙ୍କ ଏହି ଷଡ଼ଯନ୍ତ୍ର ବିରୋଧରେ ଜନସଚେତନତା ସୃଷ୍ଟି କରିବା ଏବଂ ବିଜେପି ସରକାରଙ୍କ ଲୋକାଭିମୁଖୀ ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।
ସେହିପରି ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ନିଜ ବକ୍ତବ୍ୟରେ ସରକାରଙ୍କ ବିରୋଧରେ ଚାଲିଥିବା ବିଭିନ୍ନ ଅପପ୍ରଚାରକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ।
କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏବଂ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଡବଲ୍ ଇଞ୍ଜିନ୍ ସରକାର ସଦାସର୍ବଦା ସାଧାରଣ ଲୋକଙ୍କ ସୁଖଦୁଃଖରେ ସାଥୀ ହୋଇ ରହିଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
ଅନ୍ୟତମ ଅତିଥି କଣ୍ଟାମାଳ ବିଧାୟକ ଶ୍ରୀ କହ୍ନାଇ ଚରଣ ଡାଙ୍ଗ ଜିଲ୍ଲାରେ ଭତ୍ତା ବଣ୍ଟନକୁ ନେଇ ବିରୋଧୀଙ୍କ ଦ୍ୱାରା ସୃଷ୍ଟି କରାଯାଉଥିବା ବିବାଦ ଓ ଅପପ୍ରଚାର ଉପରେ ସ୍ପଷ୍ଟୀକରଣ ରଖି କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ବହୁ ହିତାଧିକାରୀ ସେମାନଙ୍କର ଭତ୍ତା ପାଇସାରିଲେଣି ଏବଂ ଏ କ୍ଷେତ୍ରରେ ଆଉ କୌଣସି ଅସୁବିଧା ରହିବ ନାହିଁ।
ମଞ୍ଚରେ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ଶ୍ରୀ ମନୋରଞ୍ଜନ ଦାସ ଅନ୍ୟତମ ବକ୍ତା ଭାବେ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶ୍ରୀ ତପନ କୁମାର ଡାଙ୍ଗ, ଶ୍ରୀ ପିନାକଧର ରଣା, ଶ୍ରୀ ସତ୍ୟାନନ୍ଦ ପାଣ୍ଡେ, ଜିଲ୍ଲା ଉପସଭାପତି ଶ୍ରୀ ଶ୍ୟାମସୁନ୍ଦର ପୁରୋହିତ, ଜିଲ୍ଲା ସମ୍ପାଦକ ଶ୍ରୀ ରାଜକୁମାର ମେହେର ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଶିଶିର ଘୋଷଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଜିଲ୍ଲାର କୋଣଅନୁକୋଣରୁ ଆସିଥିବା ବରିଷ୍ଠ, କନିଷ୍ଠ ଓ ସାଧାରଣ କାର୍ଯ୍ୟକର୍ତ୍ତା ଏହି ପଦଯାତ୍ରାରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।




