Odisha News

ଜିଲ୍ଲା ପୁଲିସ ପକ୍ଷରୁ ୨୪ ଦିନରେ ୭୮ କ୍ୱିଣ୍ଟାଲ ଓ ଅବକାରୀ ବିଭାଗ ପକ୍ଷରୁ ଅଢେଇ ମାସରେ ୫ କ୍ୱିଣ୍ଟାଲ ଗଂଜେଇ ଜବତ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ,୧୭/୩ ବୌଦ୍ଧଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାର ଆଭ୍ୟନ୍ତରିଣ ଓ ଉପାନ୍ତ ଅଂଚଳ ଗୁଡିକରେ ଚଢାଉ କରି ବ୍ୟାପକ ଗଂଜେଇ ଜବତ କରିଛନ୍ତି । ଗତ ୨୪ ଦିନ ମଧ୍ୟରେ ଏସପି ରାଜ ପ୍ରସାଦଙ୍କ ନେତୃତ୍ୱରେ ପୁଲିସ ବିଭିନ୍ନ ଅଂଚଳରେ ଚଢାଉ କରି ୭୮ କ୍ୱିଣ୍ଟାଲ ୪୪ କେଜି ୨୦୦ ଗ୍ରାମ ଗଂଜେଇ ଜବତ କରାଯାଇଥିବା ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ପ୍ରଥମ କରି ରେକର୍ଡ ପରିମାଣର ୨୪ ଦିନରେ ଏତେ ପରିମାଣରେ ଗଂଜେଇ ଜବତ ହୋଇନଥିବା ଜଣାପଡିଛି ।
ଜିଲ୍ଲାର ବିଭିନ୍ନ ଅଂଚଳରେ ବ୍ୟାପକ ଭାବରେ ଗଂଜେଇ ଚାଷ ହେଉଛି । ବର୍ତ୍ତମାନ ଗଂଜେଇ ଚାଷୀମାନେ ଅମଳ କରି ବିଭିନ୍ନ ସ୍ଥାନରେ ଗଛିତ କରି ରଖିଛନ୍ତି । ସମୟ ସୁବିଧା ଦେଖି ସେ ସବୁକୁ ଜିଲ୍ଲା ବାହାରକୁ ଚାଲାଣ କରିବା ପାଇଁ । ଜିଲ୍ଲାର ବିଭିନ୍ନ ବାଟ ଦେଇ ଗଂଜେଇ ଗୁଡିକ ଚାଲାଣ କରାଯିବାକୁ ଯୋଜନା କରାଯାଇଥାଏ । ହେଲେ ବର୍ତ୍ତମାନ ନୂତନ ଏସପିଙ୍କ ଯୋଗଦାନ ପରେ ଗଛିତ ଗଂଜେଇ ଗୁଡିକୁ କିପରି ଧରାଯିବ ସେଥିପାଇଁ ନିଜର ଏକ ବ୍ଲୁପ୍ରିଣ୍ଟି କରି ବିଭିନ୍ନ ସ୍ଥାନରେ ଚଢାଉ ଜାରିରଖିଛନ୍ତି ।
ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଫେବୃଆରୀମାସ ୧୯ ତାରିଖ ମଧ୍ୟରେ ୩ କ୍ୱିଣ୍ଟାଲ ୭୪ କିଲୋ ୮୦୦ ଗ୍ରାମ ଗଂଜେଇ ଜବତ କରାଯାଇଥିବା ବେଳେ ନୂତନ ଏସପିଙ୍କ ନେତୃତ୍ୱରେ ଫେବୃଆରୀ ମାସ ୨୦ ତାରିଖରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ୭୮ କ୍ୱିଣ୍ଟାଲ ୪୪ କେଜି ୨୦୦ ଗ୍ରାମ ଜବତ କରାଯାଇ ୯ଟି କେସ କରାଯାଇ ୫ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି ।
ଯାହାକି ବିଗତ ଦିନମାନଙ୍କରେ ଏତେ କମ ଦିନରେ ଏତେ ପରିମାଣର ଗଂଜେଇ ଜବତ କରାଯାଇନଥିବା ଜଣାପଡିଛି । ସେପଟେ ଅବକାରୀ ବିଭାଗ ପକ୍ଷରୁ ଚଳିତ ବର୍ଷ ଜାନୁଆରୀ ପହିଲାରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ୪ କ୍ୱିଣ୍ଟାଲ ୯୩ କିଲୋ ଗଂଜେଇ ଜବତ କରାଯାଇ ୨୧ ଜଣକୁ ଗିରଫ କରାଯାଇଛି ।
ପୁଲିସ ପକ୍ଷରୁ ଚଢାଉ କରାଯାଇ ଏତେ ପରିମାଣରେ ଗଂଜେଇ ଧରା ଯାଉଥିବା ବେଳେ ଅବକାରୀ ବିଭାଗ ପକ୍ଷରୁ ଏତେ କମ ପରିମାଣରେ ଗଂଜେଇ ଜବତ କରାଯିବାକୁ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି । ଅବକାରୀ ଚାଲାଣକୁ ରୋକିବା ପାଇଁ ଅବକାରୀ ବିଭାଗ ରହିଥିବା ବେଳେ ଜିଲ୍ଲାରେ ଅବକାରୀ ରିପୋର୍ଟକୁ ଦେଖିଲେ କେବଳ କାଗଜ କଲମ ମଧ୍ୟରେ ବିଭାଗ ସୀମିତ ହୋଇ ରହିଥିବା ଭଳି ମନେହେଉଛି ।
ଧର୍ମକୁ ଆଖିଠାର ସଦୃଶ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଉଥିବା ଅଭିଯୋଗ ହେଉଛି । ଜିଲ୍ଲାରେ ପୁଲିସ, ଅବକାରୀ, ଜଙ୍ଗଲ ବିଭାଗର କେତେକ କର୍ମଚାରୀ ଗଂଜେଇ ମାଫିଆଙ୍କ ଲିଙ୍କରେ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ କେବଳ ପୁଲିସ ପକ୍ଷରୁ ବିଭାଗୀୟ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଅବକାରୀ ଓ ଜଙ୍ଗଲ ବିଭାଗ ପକ୍ଷରୁ ସେଭଳି କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।
ବୌଦ୍ଧ ଜିଲ୍ଲା ମହାନଦୀ ଓ ତେଲନଦୀ କୂଳରେ ଗଢି ଉଠିଥିବା ବେଳେ ଡଙ୍ଗା ସାହାର୍ଯ୍ୟରେ ମଧ୍ୟ ଗଂଜେଇ ଚୁଡିକ ଜିଲ୍ଲା ବାହାରୁ ଚାଲାଣ ହେଉଛି । ଜିଲ୍ଲାରେ ୫୭ ନମ୍ବର ଜାତୀୟ ରାଜପଥ ଶହେରୁ ଉର୍ଦ୍ଧ୍ୱ କିଲୋମିଟର ଯାଇଥିବା ବେଳେ ଏହି ଜାତୀୟ ରାଜପଥରେ ପ୍ରାୟତଃ ଗଂଜେଇ ଚାଲାଣ ହୋଇଥାଏ । ଠିକ ସେହିପରି କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା ମନମୁଣ୍ଡା ୪୧ ନମ୍ବର ରାଜ୍ୟ ରାଜପଥରେ,ଖୁଣ୍ଟିଗୋରା ଖଡଙ୍ଗ ସେତୁ , କଣ୍ଟାମାଳ ଠାରେ ଥିବା କଣ୍ଟାମାଳ- ଗୁଂଜିମୁଣ୍ଡା ସେତୁରେ, ୫୭ ନମ୍ବର ଜାତୀୟ ରାଜପଥ ମନମୁଣ୍ଡା- ସୋନପୁର ତେଲନଦୀ ସେତୁରେ ବିଭିନ୍ନ ଯାନବାହାନ ଗୁଡିକରେ ବାହାରକୁ ଗଂଜେଇ ଚାଲାଣ କରାଯାଉଥିବା ହେଉଥିବା ବେଳେ ଘଣ୍ଟାପଡା ନିକଟରେ ତେଲନଦୀରେ, କମଘାଟ ଠାରେ ତେଲନଦୀରେ,ଲୁକାପଡା ଘଟ ଦେଇ ଡଙ୍ଗାରେ ନଦୀ ପାର ହୋଇ ଆରପଟୁକୁ ଗଂଜେଇ ଚାଲାଣ କରାଯାଇ ସେଠାରୁ ବିଭିନ୍ନ ଉପାୟରେ ବହାରକୁ ଚାଲାଣ କରାଯାଇଥାଏ । ସେହିପରି ବୌଦ୍ଧ ବ୍ଲକର ଆମ୍ବଝରୀ ପଂଚାୟତର ଖଜୁରୀପଡା ଦୁମଦୁମା ରାସ୍ତା, ଓଲଣ୍ଡା- କମିରା ରାସ୍ତା,ଦୁମଦୁମା ସିଙ୍ଗାରିରାସ୍ତା,ଝାରମୁଣ୍ଡା ବାଉଁଶୁଣୀ , ଗୁନ୍ଦୁଳିଆ ବାଉଁଶୁଣୀ,ଶଗଡା ଗୁନ୍ଦୁଳିଆ,ଗୁଦଗୁଦା, ରାସ୍ତା ଦେଇ ଗଂଜେଇ ଆବ୍ୟନ୍ତରୀଣ ଅଂଚଳରୁ ବାହାରକୁ ଚାଲାଣ ହେଉଥିବା ବେଳେ ବୌଦ୍ଧ ବ୍ଲକର ବଘିଆପଡା ଦେବଗଡ ଦେଇ ହରଭଙ୍ଗା ବ୍ଲକର ଲାଣ୍ଡିବନ୍ଧ ବାଟେ ଜାତୀୟ ରାଜପଥ ଦେଇ ଧଳପୁର-ଆଠମଲ୍ଲିକ ସେତୁରେ ହରଭଙ୍ଗା ବ୍ଲକର ତେଇସମାଇଲ ବାଇସପଡା ଦେଇ ଧଳପୁର-ଆଠମଲ୍ଲିକ ସେତୁରେ ଗଂଜେଇ ଚାଲାଣ ହେଉଥିବାର ଚର୍ଚ୍ଚା ହେଉଛି । ସେହିପରି ବୌଦ୍ଧ-କିଆକଟା ସେତୁ ଦେଇ ଗଂଜେଇ ଚାଲାଣ ହେଉଅଛି । ସେହିପରି ବୌଦ୍ଧ ବ୍ଲକର ତେନ୍ତୁଳିଘାଟମ, କଙ୍କଳା ଘାଟ, ବାଉଁଶୁଣୀ ତଳେ,ଗୁଦଗୁଦା ଆଦି ଘାଟ ଦେଇ ନଦୀରେ ଡଙ୍ଗା ସାହାର୍ଯ୍ୟରେ ଗଂଜେଇ ଚାଲାଣ ହେଉଥିବା ଆଲୋଚନା ହେଉଛି ।
ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ୱତନ୍ତ୍ର ଊପକାରାଗାରରେ ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧୭/୩: ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଗୁରୁବାର ଦିନ କଏଦୀ ମାନଙ୍କର ଆଇନଗତ ଅଧିକାରମାନ ଏବଂ କର୍ତ୍ତବ୍ୟ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସାସ୍ୱତି ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଆଇନସେବା ପ୍ରାଧିକରଣର ପ୍ୟାନେଲ ଓକିଲ ବିକାଶ ଚନ୍ଦ୍ର ବେହେରା ଏବଂ ସ୍ୱତନ୍ତ୍ର ଉପକାରାଗାରର ଅଧୀକ୍ଷକ ଉପସ୍ଥିତ ଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ କଏଦୀ ମାନଙ୍କ ପାଇ ଜାମିନ ଓ ଆଇନ ପ୍ରାଧିକରଣ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁବିଧା ଉପରେ ସଚେତନତା କରାଇଥିଲେ । ଏହା ସହ ଆଇନସେବା ପ୍ରାଧିକରଣ ପକ୍ଷରୁ ସେମାନଙ୍କ ପାଇଁ ଥିବା ମାଗଣା ଆଇନସେବା ଯେମିତି କୋର୍ଟରେ କେସ୍ ଲଢିବା ପାଇଁ, ବେଲ୍ ଦାଖଲ କରିବା ପାଇଁ, ଉଚ୍ଚ ନ୍ୟାୟାଳୟ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟ ରେ ଅପିଲ୍ ଦାଖଲ କରିବା ପାଇଁ ଏବଂ ଅନ୍ୟ କୌଣସି ଆଇନଗତ ସେବା ପାଇଁ ମାଗଣାରେ ମିଳିପାରିବ ସେ ନେଇ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉପକାରାଗାରର କଏଦୀ ମାନେ ଉପସ୍ଥିତ ରହିଥିଲେ ।
ଶ୍ରଦ୍ଧା ସଂଜୀବନୀ ଶୁଭାରମ୍ଭ କଲେ ଶିଶୁଙ୍କ ମୁହଁରେ ହସ ଫୁଟାଇଲେ
ହରଭଙ୍ଗା,୧୭/୩ : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ଅଭିଶାପରେ ପେଶି ହେଉଥିବା ଆଦିବାସୀ ବହୁଳ ମାରଡା ଗାଁ ଉପରେ ଏକ ଅନୁସନ୍ଧାନମୂଳକ ଶୀର୍ଷକ ଖବର ସମାଜରେ ପ୍ରକାଶ ପାଇଥିଲା ।ଖବର ପ୍ରକାଶନ ପରେ ପ୍ରଥମଥର ପାଇଁ ଗତ ୫ତାରିଖଦିନ ବୌଦ୍ଧଜିଲ୍ଲାପାଳ ସତ୍ୟରଞନ ସାହୁ ମାରଡା ଗାଁ ପରିଦର୍ଶନ କରିଥିଲେ ।ଗ୍ରାଉଣ୍ଡଜିରୋରେ ପଂହଚି ମାରଡାବାସୀଙ୍କ ଚଳଣି, ସୁଖଦୁଃଖ ବିଷୟରେ ପଚାରିବୁଝିବା ସହିତ ପ୍ରାଥମିକତା ଭିତିରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି ।
ଗୁରୁବାର ଜିଲ୍ଲାପାଳ ମାରଡା ଗାଁରେ ପଂହଚିବା ପରେ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟସ୍ୱାଗତ କରାଯାଇଥିଲା ।ଜିଲ୍ଲାପାଳଙ୍କ ଗସ୍ତର ମାତ୍ର ୧୦ଦିନ ମଧ୍ୟରେ ପ୍ରାକ ଶିଶୁଙ୍କ ଶିକ୍ଷାପାଇଁ ବନ୍ଦ ହୋଇପଡିଥିବା ପ୍ରାଥମିକ ସ୍କୁଲରେ ଜିଲ୍ଲାପାଳଙ୍କ ଦ୍ୱାରା ଶ୍ରଦ୍ଧା ସଂଜୀବନୀର ଶୁଭାରମ୍ଭ ହୋଇଥିଲା । ।ଅଙ୍ଗନଓାର୍ଡୀ ଶିଶୁଙ୍କ ନୂଆ ପୋଷାକ,ଜୋତା ସହିତ ଖେଳନା ଇତ୍ୟାଦି ବଂଟନ କରି ସେମାନଙ୍କ ମୁହଁରେ ହସଫୁଟାଇଛନ୍ତି ।୨୪ଜଣ ଲୋକଙ୍କୁ ହାଇଜେନିକ କିଟ୍ ସାଙ୍ଗକୁ କମ୍ବଳ ବଟଂନ କରିଥିଲେ ।ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଆଚାର,ବଡି,ପାମ୍ପଡ ପ୍ରସ୍ତୁତ ପାଇଁ ସ୍ୱୟଂସହାୟକ ଦଳକୁ ପ୍ରୋତ୍ସାହନ ରାଶି ଯୋଗାଇଦେବାକୁ ବ୍ଲକ ଜୀବିକା ମିଶନ ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଖଜୁରୀ ରସରୁ ଗୁଡ ପ୍ରସ୍ତୁତ ପାଇଁ ମଧ୍ୟ କହିଥିଲେ ।
ଗାଁ ଲୋକଙ୍କ ଦାବୀ ଅନୁସାରେ ସେଠାରେ ଏକ ବନ୍ଧ ଏବଂ ଶ୍ମଶାନ ନିର୍ମାଣ ପାଇଁ ବି.ଡି.ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଗ୍ରାମର ଅସହାୟ ବୃଦ୍ଧା ତୁଳସା ବେହେରାଙ୍କୁ ୫ହଜାର ଟଙ୍କା ରେଡକ୍ରସରୁ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମସାରି ଜିଲ୍ଲାପାଳ ଶୀତଳପାଣି ଡାକବଙ୍ଗଳା ପରିଦର୍ଶନ ସାରି ଅତଲସରା ଗ୍ରାମରେ ପଂହଚି ଲୋକଙ୍କ କଥା ବୁଝିଥିଲେ ।ଗ୍ରାମରେ କ୍ଷୀôର ଏବଂ ଦହିର ଉତ୍ପାଦନ ଅଧିକ ହେଉଥିବା ଜାଣିବାକୁ ପାଇଁ ଖୁସିବ୍ୟକ୍ତ କରିଥିଲେ ।କ୍ଷୀର ଏବଂ ଦହିର ବଜାର ସୁବିଧା ଦିଗରେ ଧ୍ୟାନ ଦେବାକୁ ପ୍ରାଣୀ ସମ୍ପଦ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଗାଁ ଲୋକେ ବନ୍ୟାଆଶ୍ରୟସ୍ଥଳୀ ,ନଳକୂପ ପାଇଁ ଦାବୀ କରିଥିଲେ ।
ଅଭୟରାଣ୍ୟ ମଧ୍ୟରେ ରହୁଥିବା ଲୋକଙ୍କୁ ରୋଜଗାରକ୍ଷମ ପାଇଁ ଶୀତଳପାଣିରେ ଏକ ପର୍ଯ୍ୟଟନକେନ୍ଦ୍ର ସ୍ଥାପନ ପାଇଁ ଲୋକେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଶେଷଦେବ ବେହେରା ଏବଂ ଚତୁରୀ ବେହେରା ଭଳି ଦୁଇ ଅସହାୟଙ୍କୁ ରେଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।
ସଂଯୁକ୍ତା ଡାଳୁଆଙ୍କୁ ତୁରନ୍ତ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ହଜାର ଟଙ୍କା ସହିତ ଭତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମିନି ଦେହୁରୀଙ୍କୁ ୭ଦିନ ମଧ୍ୟରେ ଭତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ସେଠାରୁ ଆସି କୁଶଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।ପିଲାମାନେ ଆଜବେଷ୍ଟସ ଘରେ ବସୁଥିବା ଦେଖି ତାଙ୍କୁ କମ୍ପ୍ୟୁଟର ରୁମକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ସେଠାରୁ ଫେରିବା ବାଟରେ ରାସ୍ତାକଡରେ ନିଆଁ ଲାଗିଥିବା ଦେଖି ଗାଡି ଅଟକାଇ ସୁରକ୍ଷା କର୍ମୀମାନଙ୍କୁ ନିଆଁ ଲିଭାଇବା ପାଇଁ କହିଥିଲେ ।
ପାଖରେ ଥିବା ଲୋକଙ୍କୁ ନିଆଁ ନ ଲଗାଇବା ପାଇଁ ବୁଝାଇଥିଲେ ।ଶେଷରେ ହରଭଙ୍ଗାଠାରେ ଜଳ ଜୀବନ ମିଶନ ଯୋଜନାରେ ନିର୍ମାଣଧିନଥିବା ମେଗା ପାଈପ୍ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରିଥିଲେ ।ପ୍ରକଳ୍ପ ମିଆଦି ବିଷୟରେ ପଚାରିବୁଝିବା ସହିତ କାର୍ଯ୍ୟ କେତେ ପ୍ରତିଶ୍ରତ ସରିଛି ସେ ଦିଗରେ ପଚାରିଥିଲେ ।ତୁରନ୍ତ ସମସୟସୀମା ମଧ୍ୟରେ ଅଧିକ ଶ୍ରମିକ ଲଗାଇ କାର୍ଯ୍ୟସାରିବାକୁ ପ୍ରକଳ୍ପ ମ୍ୟାନେଜର ଏବଂ ଜଳ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଆଜି ଜିଲ୍ଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହିତ ବୌଦ୍ଧ ଅତିରକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ବୌଦ୍ଧ ଡି.ଏଫ.ଓ ଦେବପ୍ରିୟ କମ୍ପ,ନୟାଗଡ ବନ୍ୟପ୍ରାଣୀ ଡି.ଏଫ.ଓ ଫାଲଗୁନୀ ଶେଖର ମଲ୍ଲିକ,ହରଭଙ୍ଗା ବି.ଡି.ଓ ସ୍ୱପ୍ନିତା ନାଏକ,ସି.ଡି.ପି.ଓ ନିରୁପମା ପାଣି,ବ୍ଲକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଞନ ପାତ୍ର,ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାପାତ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ ସଶ୍ମିତା ପ୍ରଧାନ,ବି.ଭି.ଓ ଡାକ୍ତର ବିରେନ୍ଦ୍ର କୁମାର ପୃଷ୍ଟି ,ଡାକ୍ତର ସଂଘମିତ୍ରା ପଣ୍ଡା,ଡାକ୍ତର ପ୍ରତିଭା ପାଢୀ,ଡାକ୍ତର ପ୍ରିୟବ୍ରତ ବେହେରା,ଜିଲ୍ଲା ସୂଚନା ଲୋକ ସର୍ମ୍ପକ ଅଧିକାରୀ ରିତିକାନ୍ତ ବଳିଆର ସିଂ,କୁଶଙ୍ଗ ପଂଚାୟତ ପିଇଓ ଜଗଦୀଶ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।

Related Posts

Seo wordpress plugin by www.seowizard.org.