Odisha News

ଜାତୀୟ ଉତ୍ସବ ଭାବେ ଆୟୋଜିତ ହେବ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ : ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫/୧୧: କେନ୍ଦ୍ର ସରକାର ଉତ୍କଳ କେଶରୀ ଡାକ୍ତର ହରେକୃଷ୍ଣ ମହତାବଙ୍କୁ ଏକ ବଡ଼ ଶ୍ରଦ୍ଧାଞ୍ଜଳୀ ଦେବାକୁ ଯାଉଛନ୍ତି ।
ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀକୁ ଜାତୀୟ ସ୍ତରରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋଦୀ ସରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ସୂଚନା ଦେଇ କହିଛନ୍ତି ଯେ ଭାରତ ସରକାର ଉତ୍କଳ କେଶରୀ ଡାକ୍ତର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀକୁ ଜାତୀୟ ସ୍ତରରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଜାତୀୟ ସ୍ତରର ଦିଗ୍ଗଜ ନେତାଙ୍କୁ ଏହା ଏକ ବଡ଼ ମହାନ ଶ୍ରଦ୍ଧାଞ୍ଜଳୀ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମାଝୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା ଏବଂ ସଂସ୍କୃତି ଓ ପର‌୍ୟ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ବର୍ଷବ୍ୟାପୀ ପାଳନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ଜୟନ୍ତୀ ଉତ୍ସବକୁ ଓଡ଼ିଆ ଜାତୀୟତାବାଦର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।
ମହତାବଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରାଯାଇ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରେ ପ୍ରଦର୍ଶିତ ହେବ । ନଭେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ସମାରୋହ ଏବଂ ୨୩, ୨୪ ଓ ୨୫ ତାରିଖରେ ଡ. ମହତାବଙ୍କର କୃତି ସମ୍ପର୍କିତ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ମୋହନ ସରକାର ନିଷ୍ପତ୍ତି ନେଇଛନ୍ତି ।
୨୧ ନଭେମ୍ବର ୧୮୯୯ ମସିହାରେ ମହାନ ଜନ ନାୟକ ଉତ୍କଳ କେଶରୀ ଡାକ୍ତର ହରେକୃଷ୍ଣ ମହତାବ ଭଦ୍ରକ ଜିଲ୍ଲାର ଅଗରପଡ଼ାରେ ଜନ୍ମ ଗ୍ରହଣ କରିଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ।
୧୯୪୬ରୁ ୧୯୫୦ ପର୍ଯ୍ୟନ୍ତ ଓ ପୁନର୍ବାର ୧୯୫୬ରୁ ୧୯୬୧ ପର‌୍ୟ୍ୟନ୍ତ ଓଡ଼ିଶାର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ମଧ୍ୟ ଥିଲେ । ୨ ଜାନୁଆରୀ ୧୯୮୭ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Related Posts