ଗୋପାଳପୁର ନିକଟରେ ମାଡ଼ ହୋଇପାରେ ବାତ୍ୟା ‘ଅକୱାନ୍’
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧୯/୧୧ : ବଙ୍ଗୋପସାଗରରେ ଭୀଷଣ ରୂପ ଧାରଣ କରିଛି ସାମୁଦ୍ରିକ ଝଡ଼ ‘ଅକୱାନ୍’। ଧୀରେ ଧୀରେ ଉତ୍ତର ଦିଗକୁ ମୁହାଁଇ ଆଗକୁ ବଢ଼ୁଛି ବାତ୍ୟା।
ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରି ଆଜି ସକାଳ ୫ଟା ୩୦ ମିନିଟ୍ରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୪.୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୫.୩ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇଛି।
ଏହା ଆନ୍ଧ୍ରପ୍ରଦେଶର ନରସାପୁରଠାରୁ ଦକ୍ଷିଣ-ପୂର୍ବକୁ ପ୍ରାୟ ୪୪୦ କିଲୋମିଟର, କଳିଙ୍ଗପଟନମ୍ଠାରୁ ଦକ୍ଷିଣ-ପୂର୍ବକୁ ୪୪୦ କିଲୋମିଟର, ତାମିଲନାଡୁର ଚେନ୍ନାଇଠାରୁ ପୂର୍ବ-ଉତ୍ତର-ପୂର୍ବକୁ ୫୮୦ କିଲୋମିଟର, ଓଡ଼ିଶାର ଗୋପାଳପୁରଠାରୁ ଦକ୍ଷିଣକୁ ୫୩୦ କିଲୋମିଟର ଏବଂ ପୁରୀଠାରୁ ଦକ୍ଷିଣକୁ ୫୯୦ କିଲୋମିଟର ଦୂରରେ ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟା ‘ଅକୱାନ୍’ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନରସାପୁର ଓ ଓଡ଼ିଶାର ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ, ଗୋପାଳପୁରର ପୂର୍ବ ପାର୍ଶ୍ୱ ଦେଇ ଉତ୍ତର ଆନ୍ଧ୍ରପ୍ରଦେଶ, ୟାନାମ୍ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।
ଏହି ସମୟରେ ବାତ୍ୟାର ସର୍ବାଧିକ ସ୍ଥାୟୀ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।




