Odisha News

ଗିରଫ କୋଟିପତି ଯନ୍ତ୍ରୀଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ୧.୪୧ କୋଟି ଟଙ୍କା ଠାବ

ଭୁବନେଶ୍ୱର,୯/୪: ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଗିରଫ ହୋଇଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପର୍କୀୟଙ୍କ ଘରୁ ବାହାରୁଛି ପୁଳାପୁଳା ଟଙ୍କା। ଝମ୍ପୁଡି ଘରୁ ଏତେ ଟଙ୍କା ବାହରିବା ଦେଖି ଭିଜିଲାନ୍ସ କର୍ମଚାରୀ ଚକିତ। ଆଜି ଭିଜିଲାନ୍ସ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଘରୁ ୧କୋଟି ୪୧ ଲକ୍ଷ ଓ ୩୫୪ଗ୍ରାମ୍ ସୁନା ଜବତ କରିଛି।
କାର୍ତ୍ତିକେଶ୍ୱରଙ୍କ ପତ୍ନୀଙ୍କୁ ଜେରାବେଳେ ସେ ବିପୁଳ ପରିମାଣର ଟଙ୍କା ଓ ସୁନା ଲୁଚାଇଥିବା ଜଣାପଡ଼ିଥିଲା। ଏହାପରେ ଆଜି ଭୋରରୁ ଭିଜିଲାନ୍ସ ଟିମ୍ କଳ୍ପନାଙ୍କ ଭଉଣୀ ରହୁଥିବା ସାଲିଆ ସାହିରେ ଚଢଉ କରି ନଗଦ ୧କୋଟି ୪୧ ଲକ୍ଷ ୬୨ ହଜାର ୪ଶହ ଟଙ୍କା ଜବତ କରିଛି। ଏଥିସହ କାର୍ତ୍ତିକେଶ୍ୱରଙ୍କ ପତ୍ନୀଙ୍କ ଭଉଣୀ ପୋଖରୀପୁଟରେ ୭୮ ଲକ୍ଷ ଟଙ୍କା ଦେଇ ଏକ ଟ୍ରିପଲେକ୍ସ କିଣିଥିବା ଜଣାପଡିଛି।
ଏଯାବତ୍ ଭିଜିଲାନ୍ସ କାର୍ତ୍ତିକେଶ୍ୱରଙ୍କ ନିକଟରୁ ୪.୭୬ କୋଟିର ସଂପତ୍ତି ଜବତ କରିଥିବା ସୂଚନା ମିଳିଛି। ଏହି ସଂପତ୍ତି ତାଙ୍କ ଆୟଠାରୁ ୭ ଗୁଣ ଅଧିକ। ତାଙ୍କ ଠାରୁ କେବଳ ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା।
ଚଢ଼ାଉର ପ୍ରଥମେ ଦିନରେ (୬ ତାରିଖରେ) ତାଙ୍କ ଘରୁ ଭିଜିଲାନ୍ସ ନଗଦ ୨ ଲକ୍ଷ ୫୦ ହଜାର ୮୮୦ ଟଙ୍କା ଜବତ କରିଥିଲା। କିନ୍ତୁ ଚଢ଼ାଉର ଦ୍ୱିତୀୟ ଦିନରେ ଅର୍ଥାତ୍ ଗତକାଲି କାର୍ତ୍ତିକେଶ୍ୱର ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭୁବନେଶ୍ୱରର ଟାଟା ଆରିଅନ ସ୍ଥିତ ଫ୍ଲାଟ୍ରୁ ନଗଦ ୨ କୋଟି ୫୦ ହଜାର ଟଙ୍କା ଜବତ କରାଯାଇଥିଲା। ଏହି ଦୁଇ ଦିନରେ ତାଙ୍କ ଠାରୁ ମୋଟ ୨ କୋଟି ୩ ଲକ୍ଷ ୮୮୦ ଟଙ୍କା ଜବତ କରାଯାଇଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏକ ରେକର୍ଡ। ପୂର୍ବରୁ କେବେ ରେଡ୍ ବେଳେ ଏତେ ପରିମାଣରେ ନଗଦ ଟଙ୍କା ଜବତ କରାଯାଇ ନଥିଲା।
ଏହା ସହିତ ତାଙ୍କର ଆହୁରି ୨.୭୬ କୋଟି ଟଙ୍କାର ଅନ୍ୟାନ୍ୟ ସଂପତ୍ତି ଠାବ କରାଯାଇଛି। ଏହା ମଧ୍ୟରେ ଭୁବନେଶ୍ୱରରେ ଥିବା ତାଙ୍କର ୨ଟି ଫ୍ଲାଟ୍ ଓ ଗୋଟିଏ ଦୁଇ ମହଲା କୋଠା ରହିଛି। ସେହିପରି ଏଥିରେ ତାଙ୍କର ୭ଟି ପ୍ଲଟ ଓ ୩୭.୨୩ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ରହିଛି। ୭ଟି ପ୍ଳଟ ମଧ୍ୟରୁ ୨ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି। କାର୍ତ୍ତିକେଶ୍ୱର ରାଉଳଙ୍କୁ ଅଧିକ ପଚରାଉଚରା ପାଇଁ ଭିଜିଲାନ୍ସ ଟିମ୍ ୩ ଦିନିଆ ରିମାଣ୍ଡରେ ନେଇଛି।
ସୂଚନାଯୋଗ୍ୟ, ଗତ ମାସରେ ମାଲକାନଗିରି ଜିଲ୍ଲା ଆର୍ଡବ୍ଲ୍ୟୁ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ଏସ୍ଇ) ଆଶିଷ କୁମାର ଦାଶଙ୍କ ଘରେ ରେଡ୍ ବେଳେ ଭିଜିଲାନ୍ସ ନଗଦ ୧ କୋଟି ୩୯ ଲକ୍ଷ ଟଙ୍କା ଜବତ କରିଥିଲା।

Related Posts

Seo wordpress plugin by www.seowizard.org.