Odisha News

ଗଜପତି: ଆସନ୍ତା ଡ଼ିସେମ୍ବର ୧୮ ରୁ ୨୨ ୫ ଦିନ ବ୍ୟାପୀ ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ-୨୦୨୪ ଅନୁଷ୍ଠିତ ହେବ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩/୧୧ : ଆସନ୍ତା ଡ଼ିସେମ୍ବର ମାସ ୧୮ ରୁ ୨୨ ତାରିଖ ୫ ଦିନ ବ୍ୟାପୀ ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ- ୨୦୨୪ ଅନୁଷ୍ଠିତ ହେବ ।
ଏହାକୁ ନେଇ ସ୍ଥାନୀୟ ଆର-ସେଟି ହଲ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକରେ ସର୍ବସମ୍ମତି କ୍ରମେ ଶେଷ ନିଷ୍ପତ୍ତି ନିଆଯାଇଛି ।
ଗଜପତି ଜିଲ୍ଲାର ଲୋକ କଳା ଓ ସାଂସ୍କୃତିକ ଉତ୍ସବକୁ ସୁରୁଖୁରୁରେ ତୁଲାଇବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତ ପରିଷଦ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧକ୍ଷତାରେ ସ୍ଥାନୀୟ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସଭା ଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି.ତିରୁପତି ରାଓ , ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼.ଗୁଣନିଧି ନାୟକ , ଡିଏସପି: ଡ଼.ଚନ୍ଦ୍ର ଶେଖର ହୋତା , ଉପ-ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଗଜପତି ଉତ୍ସବର କୋଷାଧ୍ୟକ୍ଷ ଶ୍ରୀ ଅନାଦୀ ପ୍ରାଣିଗ୍ରାହୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପ୍ରମୁଖ ମଞ୍ଚାସିନ ରହିଥିଲେ ।
ଗଜପତି ମହୋତ୍ସବ ୨୦୨୪ ପାଳନ ଅବସରରେ ପୁରାଣ ପ୍ରସିଦ୍ଧ ଶୈବପୀଠ ପବିତ୍ର ମହେନ୍ଦ୍ରଗିରି ପର୍ବତ ଗିରିଶୃଙ୍ଗଠାରୁ ମଶାଲ ଶୁଭାରମ୍ଭ ହେବ ।
ଆସନ୍ତା ଡ଼ିସେମ୍ବର ୧୮ ଠାରୁ ୨୨ ତାରିଖ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ ।
ଏହି ମହୋତ୍ସବରେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଦିବାସୀଙ୍କ କଳା ଓ ସଂସ୍କୃତି ପ୍ରଦର୍ଶନ ହେବା ସହ ରାଜ୍ୟର ବିଭିନ୍ନ ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ ମଧ୍ୟ ସ୍ଥାନ ଦିଆଯିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।
ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ ପାଳନ ଅବସରରେ ମହୋତ୍ସବର ସମସ୍ତ କାର‌୍ୟ୍ୟକ୍ରମକୁ ସୁଚାରୁରୂପେ ପାଳନ କରିବା ପାଇଁ ବିଭିନ୍ନ କମିଟି ମାନ ଗଠନ କରା ହୋଇଥିଲା ।
ଏହି ବୈଠକରେ ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ , ବିଭିନ୍ନ ବ୍ଲକ୍ ର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା , ଜିଲ୍ଲାପରିଷଦ ସଭ୍ୟ ସଭ୍ୟା , ବଶିଷ୍ଠ ନାଗରିକ , ବୁଦ୍ଧିଜୀବୀ , ଆଇନଜୀବୀ ବିଭିନ୍ନ ବିଭାଗର ଅଧିକାରୀ ଗଣ ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗଣ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts