Odisha News

କ୍ୟାବିନେଟ୍ ବୈଠକ: ୬ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର, ୨୩/୪ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଲୋକ ସେବା ଭବନରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ \”ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬\” ଉପରେ ବିସ୍ତୃତ ଆଲୋଚନା କରାଯାଇଛି । ଏ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆବର୍ଗ ମାନଙ୍କ ନିମନ୍ତେ କ୍ୟାବିନେଟରେ ‘ଓଡ଼ିଶା ମଙ୍ଗଳ ସେବା’ ଏବଂ ‘ଓଡ଼ିଶା ଅଧସ୍ତନ କଲ୍ୟାଣ ସେବା’ କ୍ୟାଡରର ପୁନର୍ଗଠନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ବିଭିନ୍ନ ଯୋଜନାର ନିରୀକ୍ଷଣ ଏବଂ ପରିଚାଳନା ପାଇଁ ୨୪ଟି ନୂତନ ପଦବୀ ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ହୋଇଛି । ୨ଟି ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ୧୧ଟି ଉପ ନିର୍ଦ୍ଦେଶକ ୮ଟି ଯୁଗ୍ମ ନିର୍ଦ୍ଦେଶକ ଏବଂ ୩ଟି ଅତିରିକ୍ତ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯିବ ।
ଅବକାରୀ କନଷ୍ଟେବଳଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ସଂଶୋଧନ ନିୟମ ୨୦୨୫କୁ ଅନୁମୋଦନ କରାଯାଇଛି । ସୁଗମ ନିଯୁକ୍ତି ଓ ସେବା ପରିଚାଳନା ପାଇଁ ଏକ୍ସାଇଜ୍ କନେଷ୍ଟବଳ କ୍ୟାଡରକୁ ଡିଭିଜନାଲ କ୍ୟାଡରରୁ ଜିଲ୍ଲା କ୍ୟାଡର ପରିଣତ କରାଯାଇଛି ।
ସେହିପରି ମହିଳା ଓ ଶିଶୁ କଲ୍ୟାଣ ସେବା (ସଂଶୋଧନ) ନିୟମ ପ୍ରସ୍ତାବ ଅନୁମୋଦିତ ହୋଇଛି । ଏହି ସଂଶୋଧିତ ନିୟମ ଆଧାରରେ ଜୁନିଅର ଗ୍ରେଡ୍ ପଦବୀ ପାଇଁ ଆବେଦନ କରୁଥିବା ଅଙ୍ଗନୱାଡି କର୍ମୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ବଦଳର ସ୍ନାତକ ହୋଇଥିବା ଆବଶ୍ୟକ ।
ସ୍ନାତକ କିମ୍ବା ସମାନ ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ଅଟେ । ତେବେ ଏହା ପୂର୍ବରୁ କାର‌୍ୟ୍ୟରତ ଥିବା ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ଲାଗୁ ହେବ ନାହିଁ ।
କେନ୍ଦୁଝର ଜିଲ୍ଲାରେ ସମନ୍ୱିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ୧୦୮ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ କରାଯାଇଛି ।
ଏହା ଦ୍ୱାରା ବୈତରଣୀ ବାମ ଏବଂ ଡାହାଣ ପାର୍ଶ୍ୱ କେନାଲ ପାଇଁ ଭୂତଳ ପାଇପ୍ ଲାଇନ୍ ଜଳ ବଣ୍ଟନ ବ୍ୟବସ୍ଥା ଓ ସେଚନ ପ୍ରଣାଳୀ ଦ୍ୱାରା ୩,୪୫୦ ହେକ୍ଟରରୁ ଅଧିକ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଏହା ଦ୍ୱାରା ଆନନ୍ଦପୁର, ହାଟଡିହି, ଘଷିପୁରା ବ୍ଲକର ଚାଷୀମାନେ ଉପକୃତ ହେବେ । ଯାହାକି ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ଆଣିବ ।
ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା (ଇଏମଏଏସ)ର ଦ୍ୱିତୀୟ ପର‌୍ୟ୍ୟାୟ ୨୦୨୩-୨୪ରୁ ୨୦୨୭-୨୮ ପାଇଁ ୨,୩୯,୮୪୫.୨୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଯୋଜନାକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି ।
ଡିଷ୍ଟିଲେରୀ, ବଟଲିଂ ୟୁନିଟ୍ ଏବଂ ବ୍ରିୱେରୀ ୟୁନିଟ୍ ପାଇଁ ପାଇଁ ଅତିରିକ୍ତ ଘଣ୍ଟା କାର‌୍ୟ୍ୟ ଶୁଳ୍କ ଛାଡ଼ କରାଯାଇଛି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବ୍ୟବସାୟକୁ ସୁଗମ କରିବାରେ ସହାୟକ ହେବ । ଯାହା ଦ୍ୱାରା ଅଧିକ ପୁଞ୍ଜିନିବେଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଆଶା କରାଯାଉଛି ।

Related Posts