କାହିଁକି ଶିମିଳିପାଳରେ ହ୍ରାସ ପାଉଛି ମହାବଳ ବାଘଙ୍କ ସଂଖ୍ୟା

ଭୁବନେଶ୍ୱର,୨୯/୭: ଆଜି ସମସ୍ତେ ପାଳୁଛନ୍ତି ବିଶ୍ୱ ବାଘ ଦିବସ । ପଶୁମାନଙ୍କର ସେ ରାଜା ତେଣୁ ତାକୁ ଜଙ୍ଗଲର ରାଜା ବୋଲି କୁହାଯାଏ । ଆମ ଭାରତ ବର୍ଷରେ ବିଭିନ୍ନ ପ୍ରକାର ବାଘ ଦେଖିବାକୁ ମିଳିଥାଏ । ଯେମିତିକି ଧଳା ବାଘ, ରାୟାଲ ବେଙ୍ଗଲ ଟାଇଗର ଠାରୁ ଆରମ୍ଭ କରି ସାଇବେରିଆ ବାଘ ପର୍ଯ୍ୟନ୍ତ । କିନ୍ତୁ ପରିସ୍ଥିତି ଆଜି ତାଙ୍କୁ ରାଜା ହୋଇ ରହିବାକୁ ଦେଉନି । ପ୍ରତ୍ୟକ ଦିନ ଯେଉଁଭଳି ଜଳ ବାୟୁ ପରିବର୍ତ୍ତନ, ବେଆଇନ ବନ୍ୟଜନ୍ତୁ ବାଣିଜ୍ୟ ଏବଂ ତାଙ୍କ ବାସସ୍ଥାନ ନଷ୍ଟ ଭଳି କାରଣ ସହିତ ବାଘର ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି ।
ତେଣୁ ସେମାନଙ୍କ ସଂରକ୍ଷଣ ଓ ସଚେତନତା ସୃଷ୍ଟି କରିବା ପାଇଁ ଜୁଲାଇ ୨୯ ତାରିଖକୁ ଆନ୍ତର୍ଜାତିୟ ଟାଇଗର ଦିବସ ଭାବେ ପାଳନ କରାଯାଏ ।
ବିଶ୍ୱ ଦରବାରରେ ମହାବଳ ବାଘ ପାଇଁ ଓଡ଼ିଶାର ମୁୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିି । କିନ୍ତୁ ଏବେ ଶିମିଳିପାଳ ଅଭୟାରଣ୍ୟ ବାଘ ଶୂନ୍ୟ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି। କାରଣ ପ୍ରତିଥର ବାଘ ଗଣନା ବେଳେ ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା ବଢ଼ିବା ବଦଳରେ କମି କମି ଚାଲିଛି।
୨୦୦୬ ମସିହାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ୍ ୧୦୧ଟି ବାଘ ଥିଲେ। ୨୦୧୮ ମସିହା ବାଘ ଗଣନା ରିପୋର୍ଟ ଅନୁଯାୟୀ ଶିମିଳିପାଳରେ ବାଘ ସଂଖ୍ୟା ୨୮। ଏହାପରଠାରୁ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇନି। ୨୦୦୬ରୁ ୨୦୧୮ ଏହି ୧୨ ବର୍ଷ ମଧ୍ୟରେ ୭୩ଟି ବାଘ ଗଲେ କୁଆଡ଼େ ତାର ଉତ୍ତର ବିବାଗୀୟ ଅଧିକାରୀଙ୍କ ପାଖରେ ବି ନାହିଁ। ଅନ୍ୟପକ୍ଷରେ ଏହି ବାଘ ଗଣନା ରିପୋର୍ଟକୁ ବିଶ୍ବାସକୁ ନେଇ ପାରୁନାହାନ୍ତି ବିଶେଷଜ୍ଞ। ସେମାନଙ୍କ କହିବା ହେଲା ପାଦଚିହ୍ନ ଯାଞ୍ଚ କରି ଗଣନା ହେଲେ ସଠିକ୍ ରିପୋର୍ଟ ଆସି ପାରନ୍ତା।
ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବର୍ଷକୁ ୫ରୁ ୬ କୋଟି ଟଙ୍କା ଦେଉଛନ୍ତି। ରାଜ୍ୟ ସରକାର ବି ବାର୍ଷିକ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏସବୁ ସତ୍ତ୍ବେ ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା ନେଇ ବିଭିନ୍ନ ମହଲରେ ଉଦବେଗ୍ ପ୍ରକାଶ ପାଇଛି। ସରକାରଙ୍କ ଉଦାସୀନତା ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ହିଁ ବାଘ ସଂଖ୍ୟା ହ୍ରାସର ପ୍ରମୁଖ କାରଣ ବୋଲି କୁହାଯାଉଛି।