କପଡ଼ା ବ୍ୟବସାୟୀ ବୀରୁପାକ୍ଷ ଅଗ୍ରୱାଲ ହତ୍ୟା ମାମଲା: ଫେରାର ହେଡମାଷ୍ଟର ଗିରଫ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୧୧ : ବ୍ୟବସାୟୀ ହତ୍ୟା ମାମଲାରେ ବଡ଼ ଆକ୍ସନ୍ । ଆଠ ଦିନ ପରେ ଧରାପଡ଼ିଲେ ମାଷ୍ଟରମାଇଣ୍ଡ ହେଡମାଷ୍ଟର । ବୌଦ୍ଧର ଚର୍ଚ୍ଚିତ ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ଛତନିଆକଟା ସ୍କୁଲର ପ୍ରଧାନଶିକ୍ଷକ ଥିଲେ ସ୍ୱାଧୀନ । ବୌଦ୍ଧ ଆଦର୍ଶ ଥାନା ପୋଲିସ ତାଙ୍କୁ ଗିରଫ କରିଥିବା
ନଭେମ୍ବର ୧୨ ତାରିଖ। ବୌଦ୍ଧ ସହରର ଗାନ୍ଧୀ ଛକ ଅଞ୍ଚଳରେ ରହୁଥିବା ଯୁବ କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ସେଦିନ ନିଜ ଘରୁ ବାହାରିଥିଲେ । ତାଙ୍କ ସହିତ ଥିଲେ ପରିଚିତ ସ୍ୱାଧୀନ ପ୍ରଧାନ । ଉଭୟଙ୍କ ମଧ୍ୟରେ ପୂର୍ବରୁ ବ୍ୟବସାୟିକ ଓ ଆର୍ଥିକ କାରବାର ରହିଥିଲା ।
ହେଲେ ସେଦିନ ଘରୁ ବାହାରିବା ପରେ ଆଉ ଫେରିନଥିଲେ ବିରୂପାକ୍ଷ । ପରିବାର ଲୋକେ ଖୋଜାଖୋଜି କରିବା ପରେ ନଭେମ୍ବର ୧୩ ତାରିଖରେ ବୌଦ୍ଧ ଆଦର୍ଶ ଥାନାରେ ନିଖୋଜ ସମ୍ପର୍କିତ ଅଭିଯୋଗ କରିଥିଲେ ।
ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ନିଖୋଜ ବ୍ୟବସାୟୀଙ୍କୁ ଖୋଜିବା ପାଇଁ ପୋଲିସ ସିସିଟିଭି ଫୁଟେଜ୍, ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରିଥିଲା ।
ତଦନ୍ତ ସମୟରେ ବିସିପାଲି ଛକ ନିକଟର ସିସିଟିଭି ଫୁଟେଜ୍ ପୋଲିସର ସନ୍ଦେହ ବଢ଼ାଇଥିଲା । ଫୁଟେଜ୍ରେ ବିରୂପାକ୍ଷଙ୍କୁ ସ୍ୱାଧୀନ ପ୍ରଧାନଙ୍କ ସହ ବାଇକ୍ରେ ରେଢ଼ାଖୋଲ ଆଡ଼କୁ ଯାଉଥିବା ଦେଖାଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା । ପରେ କଦଳୀଗଡ଼ ଟୋଲଗେଟ୍ ନିକଟର ଫୁଟେଜ୍ରେ ସ୍ୱାଧୀନ ଏକାକୀ ଫେରୁଥିବା ଦେଖାଯାଇଥିବା ତଥ୍ୟ ତଦନ୍ତକୁ ନୂଆ ଦିଗ ଦେଇଥିଲା । ପୋଲିସର ତଦନ୍ତ ଆହୁରି ଜୋରଦାର ହୋଇଥିଲା । ନଭେମ୍ବର ୧୭ ତାରିଖରେ ବୌଦ୍ଧ-ରେଢ଼ାଖୋଲ ରାସ୍ତାର କଦଳୀଗଡ଼ ନିକଟସ୍ଥ ତନ୍ତଗାଡ଼ ଜଙ୍ଗଲରୁ ବିରୂପାକ୍ଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ନିଖୋଜ ଘଟଣା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିଲେ ।
ପୋଲିସର ପ୍ରାରମ୍ଭିକ ତଦନ୍ତରେ ହତ୍ୟା ପଛରେ ଟଙ୍କା ନେଣଦେଣ ବିବାଦ ଥିବା ସନ୍ଦେହ କରାଯାଇଥିଲା । ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ସ୍ୱାଧୀନ ପ୍ରଧାନ ବିରୂପାକ୍ଷଙ୍କଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ଧାର ନେଇଥିଲେ । ଟଙ୍କା ଫେରସ୍ତକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ରହିଥିଲା । ସେହି ବିବାଦକୁ କେନ୍ଦ୍ର କରି ହତ୍ୟା ଷଡ଼ଯନ୍ତ୍ର ହୋଇଥିବା ପୋଲିସ ସନ୍ଦେହ କରିଥିଲା ।
ପୋଲିସ ତଦନ୍ତରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା । ସ୍ୱାଧୀନ ପ୍ରଧାନଙ୍କ ସହ ଆଉ ତିନି ଜଣ ଏହି ହତ୍ୟା ଯୋଜନାରେ ସାମିଲ ଥିବା ଅଭିଯୋଗ ହୋଇଥିଲା । ପଦ୍ମନ୍ ମହାନନ୍ଦିଆ, ପ୍ରମୋଦ କହଁର ଓ ଅବିନାଶ ସ୍ୱାଇଁଙ୍କୁ ପୋଲିସ ପୂର୍ବରୁ ଗିରଫ କରିଥିଲା । ପୋଲିସ ଅନୁସାରେ, ହତ୍ୟାକାଣ୍ଡ ପାଇଁ ଏହି ତିନି ଜଣଙ୍କୁ ଅର୍ଥ ଦେବାର ପ୍ରତିଶ୍ରୁତି ଦେଇଥିଲେ ସ୍ୱାଧୀନ । ଏହାପରେ ଯୋଜନା ଅନୁସାରେ କଦଳୀଗଡ଼ ଜଙ୍ଗଲରେ ବିରୂପାକ୍ଷଙ୍କୁ ଆକ୍ରମଣ କରାଯାଇଥିବା ପୋଲିସ ଅଭିଯୋଗ କରିଥିଲା ।
ତେବେ ଏହି ମାମଲାରେ ସବୁଠାରୁ ବଡ଼ ମୋଡ଼ ଆସିଥିଲା ହାବିଲଦାର ଦିଗନ୍ତ ପ୍ରଧାନଙ୍କ ଗିରଫଦାରୀ ପରେ । ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ ପ୍ରଧାନ ହତ୍ୟା ପରେ ଫେରାର ହୋଇଯାଇଥିଲେ । ଏହି ସମୟରେ ତାଙ୍କୁ ଯାତାୟାତ ଓ ଲୁଚିବାରେ ସହଯୋଗ କରିଥିବା ଅଭିଯୋଗ ହାବିଲଦାର ଦିଗନ୍ତ ପ୍ରଧାନଙ୍କ ବିରୋଧରେ ଆସିଥିଲା । ପୋଲିସର ତଦନ୍ତରେ ଦିଗନ୍ତଙ୍କ ଭୂମିକା ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଅଭିଯୁକ୍ତଙ୍କୁ ଆଶ୍ରୟ ଦେବା ଓ ଫେରାର ହେବାରେ ସହଯୋଗ କରିବା ଅଭିଯୋଗରେ କୋର୍ଟକୁ ପଠାଯାଇଥିଲା ।ହାବିଲଦାର ଦିଗନ୍ତ ପ୍ରଧାନ ପୂର୍ବରୁ ଅନ୍ୟ ଏକ ଡକାୟତି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହୋଇଥିଲେ । ଏବେ ପୁଣି ଜଣେ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ସହଯୋଗ କରିବା ଅଭିଯୋଗରେ ଗିରଫ ହେବା ପରେ ପୋଲିସ ବିଭାଗର ଶୃଙ୍ଖଳା ଓ ଦାୟିତ୍ୱବୋଧକୁ ନେଇ ପ୍ରଶ୍ନ ଉଠିଛି । ଏବେ ଆଠ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ ପ୍ରଧାନ ମଧ୍ୟ ଗିରଫ ହୋଇଛନ୍ତି । ଏହି ଗିରଫଦାରୀ ସହ ହତ୍ୟା ମାମଲାରେ ପୋଲିସ ତଦନ୍ତ ଆଉ ଏକ ପର୍ୟ୍ୟାୟକୁ ପହଞ୍ଚିଛି ।




