ଓଡ଼ିଶା ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଅପରାଧ ନିୟନ୍ତ୍ରଣ ଓ ଜନସୁରକ୍ଷାକୁ ଗୁରୁତ୍ୱ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧୬/୮ : ୧୯୯୦ ବ୍ୟାଚ୍ ବରିଷ୍ଠ ଆଇପିଏସ୍ ଅଧିକାରୀ ଯୋଗେଶ ବାଦାଦୂର ଖୁରାନିଆ ରବିବାର କାର୍ଯ୍ୟରୁ ଅବସର ନେଇଛନ୍ତି । ଖୁରାନିଆଙ୍କ ସ୍ଥାନାରେ କ୍ରାଇମବ୍ରାଞ୍ଚ ଡିଜି ୧୯୯୩ ବ୍ୟାଚ୍ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ର ଅନ୍ତରୀଣ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।
କଟକସ୍ଥିତ ପୋଲିସ ମୁଖ୍ୟାଳୟରେ ଖୁରାନିଆ ଶ୍ରୀଯୁକ୍ତ ମିଶ୍ରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ଡିଜିପି ବିନୟତୋଷ ମିଶ୍ରଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ସେ ପରବର୍ତ୍ତୀ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିବେ ।
ଡିଜିପି ବିନୟତୋଷ ମିଶ୍ର ଦାୟିତ୍ୱ ନେବା ପରେ ପ୍ରତିକ୍ରିୟା ରଖି ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ ବିଗତ ଦିନରେ କ୍ରାଇମବ୍ରାଞ୍ଚ ଡିଜିଭାବେ କାର୍ଯ୍ୟ କରୁଥିବାବେଳେ ଅପରାଧକୁ ନିକଟରୁ ଦେଖିଛନ୍ତି । ତେଣୁ ଡିଜିପି ଦାୟିତ୍ୱରେ ତାଙ୍କର ୪ଟି ବିନ୍ଦୁ ଉପରେ ତାଙ୍କ ଗୁରୁତ୍ୱ ରହିବ ।
ନାରୀ ସୁରକ୍ଷା, ନିଶାମୁକ୍ତ ଓଡ଼ିଶା ଗଠନ, ସଂଗଠିତ ଅପରାଧ ରୋକିବା ଏବଂ ସାଇବର ଅପରାଧ ହ୍ରାସ କରିବା ତାଙ୍କର ଲକ୍ଷ୍ୟ ରହିଛି । ରାଜ୍ୟରୁ ନକ୍ସଲ ସମସ୍ୟା ଦୂର ହୋଇଥିବାବେଳେ ଆଉ କେହି ଯେପରି ଯୋଡ଼ି ନହେବେ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛନ୍ତି ବିନୟତୋଷ ।
ସେହିପରି ବର୍ତ୍ତମାନ ପର୍ବପର୍ବାଣୀର ସମୟ ଥିବାରୁ ଲୋକଙ୍କ ସମସ୍ୟା ସୃଷ୍ଟି ନ ହୁଏ ସେଥିପ୍ରତି ପୋଲିସ ସଜାଗ ରହିଛି । ସେହିପରି ନିଷ୍ଠା ଓ ଦାୟିତ୍ୱବାନ ସହିତ କାମ କରିବାକୁ ସମସ୍ତ ପୋଲିସ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ।
ସେହିପରି ବିଦାୟୀ ଡିଜିପି ଖୁରାନିଆ ତାଙ୍କ ଉପରେ ବିଶ୍ୱାସ ଓ ଭରସା ରଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶା ସରକାର, ଜନସାଧାରଣ, ସହକର୍ମୀ, କର୍ମଚାରୀ ଏବଂ ଗଣମାଧ୍ୟମକୁ କୃତଜ୍ଞତା ଦେଇଛନ୍ତି ।
୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କର ୩୬ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶା ପୋଲିସ ବିଭାଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି ।
ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୁରଭଞ୍ଜ ଏବଂ ରାଉରକେଲା ଏସପି ଭାବେ କାର୍ଯ୍ୟ କରିଛନ୍ତି । ଏହା ପରେ ଡିଆଇଜି ରାଙ୍କକୁ ପଦୋନ୍ନତି ପାଇଁ ଦକ୍ଷିଣାଞ୍ଚଳ ଡିଆଇଜି, ଭୁବନେଶ୍ୱର କମଶନରେଟ୍ ପୋଲିସର ଅତିରିକ୍ତ ସିପି ଏବଂ ଉତ୍ତରାଞ୍ଚଳ ଡିଆଇଜି ଦାୟିତ୍ୱ ସମ୍ଭାଳିଛନ୍ତି ।
ଆଇଜିପି ରାଙ୍କକୁ ପଦୋନ୍ନତି ପାଇଁ ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ ଏବଂ ଅପରେସନ୍ସ ଆଇଜିପି ଦାୟିତ୍ୱ ଗ୍ରହଣ କରି ସଫଳତାର ସହିତ ତୁଲାଇଥିଲେ ।
ଏହା ପରେ ତାଙ୍କୁ ବିଏସଏଫ୍ ଡିଜି ଭାବେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଦକ୍ଷିଣ କମାଣ୍ଡର ସ୍ୱତନ୍ତ୍ର ଡିଜି ଭାବେ କାର୍ଯ୍ୟକରିଛନ୍ତି । ଖୁରାନିଆ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ତନ୍ମଧ୍ୟରେ ଉଲ୍ଲେଖନୀୟ କାର୍ୟ୍ୟପାଇଁ ରାଜ୍ୟପାଳ ପଦକ ଏବଂ ସାହାସିକତା ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ ଅନ୍ତର୍ଭୁକ୍ତ ।




