Odisha News

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା : ଅକ୍ଷିମୁଠି ସହ ଚାଷ ଅନୁକୂଳ କଲେ ଚଷାପୁଅ

ଭୁବନେଶ୍ୱର, ୩/୫: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଦିବ୍ୟ ମୁହୁର୍ତ୍ତରେ ଯେ କୌଣସି କାମ କଲେ ତାହା ନିଶ୍ଚିତ ଶୁଭଫଳ ଦେଇଥାଏ ବୋଲି ବିଶ୍ୱାସ ରହିଛି । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ।
ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । କୃଷକମାନେ ବଡ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ଏହାର ପାଳନ କରିଥାନ୍ତି । ଚାଷୀମାନେ କ୍ଷେତର ଐଶାନ୍ୟ କୋଣରେ ନୈବେଦ୍ୟ ଦେଇ ମୁଠାମୁଠା ବିହନ ବୁଣିଥାନ୍ତି, ଯାହାକୁ କି ଅକ୍ଷିମୁଠି କୁହାଯାଇଥାଏ ।
ଅକ୍ଷୟ ତୃତୀୟା ଅବସରରେ ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ ହେବ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବ ।
ଏହାପରେ ରଥଯାତ୍ରା ପାଇଁ ତିନି ଖଣ୍ଡ ଧଉରା କାଠ ଅନୁକୂଳ ହେବ । ଶ୍ରୀନହର ସମ୍ମୁଖରେ ରଥ ନିର୍ମାଣ ପାଇଁ ରଥଖଳାରେ ପ୍ରସ୍ତୁତି ସରିଛି । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ରଥଖଳା ଉପରେ ଚାଳି ପକାଯାଇଛି।
ରଥଯାତ୍ରା ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଛି । ଗତବର୍ଷର ବଳକା କାଠକୁ ଛାଡିଦେଲେ ଆଉ ୮୦୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଶହ ଖଣ୍ଡ କାଠ ରଥଖଳାକୁ ଆସିସାରିଛି ।
ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରୁ ରଥକାଠ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ରଥ କାଠ ଉପରେ ନୂଆ ଶାଢ଼ୀ ଆଚ୍ଛାଦିତ କରି ଶ୍ରୀକ୍ଷେତ୍ର ପଠାଇଛନ୍ତି । ବଡ଼ ଦାଣ୍ଡ ରଥଖଳାରେ ରଥକାଠ ପହଞ୍ଚିବା ପରେ ଏହାକୁ ପ୍ରଣିପାତ କରି ଆର୍ଶୀବାଦ ନେଉଛନ୍ତି ଭକ୍ତ ଓ ପର୍ଯ୍ୟଟକ ।

Related Posts