Odisha News

ଆଜି ଶପଥ ନେବେ ମୋହନ ମାଝୀ; ଜନତା ମଇଦାନରେ ଭବ୍ୟ ଆୟୋଜନ

ଭୁବନେଶ୍ବର, ୧୨/୬: ଆଜି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିବେ। ଏହି କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସେହିଭଳି ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି ଓ ଶିଳ୍ପପତିମାନେ ମଧ୍ୟ ଅତିଥି ଭାବେ ଯୋଗଦେବେ।
ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସମଗ୍ର ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୂଚନାନୁସାରେ ଅପରାହ୍ଣ ୨ଟା ୧୦ ମିନିଟ୍ରେ ପ୍ରଧାନମନ୍ତ୍ରୀ ମୋଦୀ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ।
ସେଠାରୁ ପ୍ରଧାନମନ୍ତ୍ରୀ ସିଧା ରାଜଭବନ ଯିବେ। ପାଖାପାଖି ୪ଟା ୩୦ ମିନିଟ୍ରେ ରାଜଭବନରୁ ବାହାରି ୪ଟା ୪୫ ମିନିଟ୍ରେ ଜନତା ମୈଦାନରେ ପହଞ୍ଚି ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।
ରାଜଭବନ ଛକରୁ ଜନତା ମୈଦାନ ଯିବା ବାଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଦଳୀୟ କର୍ମୀଙ୍କ ସାଙ୍ଗକୁ ଲକ୍ଷ ଲକ୍ଷ ଲୋକ ରୁଣ୍ଡ ହେବେ। ରୋଡ୍ ସୋ’ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। କିନ୍ତୁ କମିସନରେଟ୍ ପୁଲିସ ସମସ୍ତ ଦିଗକୁ ନଜରରେ ରଖି ନିଜକୁ ପ୍ରସ୍ତୁତ ରଖିଛି।
ଏପଟେ ଭବ୍ୟ ଶପଥ ଗ୍ରହଣ ଉତ୍ସବ ସମାରୋହ ସାଙ୍ଗକୁ ସେପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ଭାବ୍ୟ ରୋଡ୍ ସୋ ରହିଛି। ତେଣୁ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇଁ କମିସନରେଟ୍ ପୁଲିସ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି।
ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ପୁଲିସ କମିସନର ସଞ୍ଜୀବ ପଣ୍ଡା, ଡିସିପି ପ୍ରତୀକ ସିଂହ ଓ ବରିଷ୍ଠ ଅଧିକାରୀ ଘନଘନ ବୈଠକ କରି ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ପୁଲିସ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ଯେ କାର‌୍ୟ୍ୟକ୍ରମ ପାଇଁ ଜଣେ ଆଇଜି ଓ ୨ ଡିଆଇଜି ରୢାଙ୍କର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି ଡିସିପି ରୢାଙ୍କର ୧୩ ଜଣ, ଏଡିସିପି ରୢାଙ୍କର ୧୮ ଓଏସ୍ପି ରୢାଙ୍କର ୫୮ ଜଣ ଅଧିକାରୀ ଦାୟିତ୍ବରେ ରହିବେ। ଆଇଜି ପ୍ରବୀଣ କୁମାର ଜନତା ମୈଦାନ ସୁରକ୍ଷା ଦାୟିତ୍ବରେ ରହିବେ।
ସେହିପରି ଡିଆଇଜି ସାର୍ଥକ ଷଡ଼ଙ୍ଗୀ ବିମାନବନ୍ଦରର ତଦାରଖ କରିବେ ଏବଂ ଡିଆଇଜି ଉମାଶଙ୍କର ଦାଶ ଟ୍ରାଫିକ୍ ଦାୟିତ୍ବରେ ଅଛନ୍ତି। ସେହିଭଳି ଇନ୍ସ୍ପେକ୍ଟର ରୢାଙ୍କର ୯୪ଜଣ, ୩୧୨ ଏସ୍ଆଇ/ଏଏସ୍ଆଇ, ୨୫୮ ଜଣ ହାବିଲଦାର, ୯୪ ଜଣ ଏପିଆର୍ କନେଷ୍ଟବଳ ବି ନିୟୋଜିତ ହେବେ। ମୋଟ ୬୭ ପ୍ଲାଟୁନ୍ ପୁଲିସ ଫୋର୍ସ, ୩ ଏସ୍ଟିୟୁ, ଡଗ୍ ସ୍କ୍ବାଡ୍, ବୋମାନିଷ୍କ୍ରିୟକାରୀ ଟିମ୍ ମୁତୟନ ହେବେ। ୧୧୧ ଜଣ ମହିଳା କନେଷ୍ଟବଳ ଓ ୯୪ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିବେ।
ଏୟାର୍ପୋର୍ଟରୁ ରାଜଭବନ, ରାଜଭବନରୁ ଜନତା ମୈଦାନ ପର‌୍ୟ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାରିକେଡ୍ କରାଯାଇଛି। ସବୁ ଛକରେ ପୁଲିସ ଛାଉଣି କରାଯିବ। ଉଭୟ ପାର୍ଶ୍ବର ସମସ୍ତ ବଡ଼ବଡ଼ ବିଲ୍ଡିଂ ଓ ମାର୍କେଟ୍ କମ୍ପ୍ଲେକ୍ସକୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି।
ସେମାନେ ରୁଫ୍ଟପ୍ରେ କୌଣସି ପ୍ରକାର କାର‌୍ୟ୍ୟକ୍ରମ କରିବେ ନାହିଁ କି କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀ ରଖିବେ ନାହିଁ। ଏହାଛଡ଼ା କେଉଁ କେଉଁ ଉଚ୍ଚ ଅଟ୍ଟାଳିକାରେ ପୁଲିସ ଜଗି ରହିବେ, ତା’ର ମଧ୍ୟ ତାଲିକା କରାଯାଇଛି।
ଉକ୍ତ ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯିବା ସହ ବ୍ଲୁ-ବୁକ୍ ସୁରକ୍ଷା ନେଇ ସମସ୍ତ ବନ୍ଦୋବସ୍ତ କରାଯାଉଛି। ରାଜଭବନରୁ ଉତ୍ସବ ସ୍ଥଳ ସମଗ୍ର ଅଞ୍ଚଳ ସିସିଟିଭି ନଜରରେ ରହିଛି। କଣ୍ଟ୍ରୋଲ୍ ରୁମ୍ରୁ ଜଣେ ଡିଏସ୍ପି ରୢାଙ୍କର ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ୍ କାର‌୍ୟ୍ୟକ୍ରମର ଗତିବିଧି ଉପରେ ନଜର ରଖିବ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଏସ୍ପିଜି ଟିମ୍ ସହ ଆର୍ ଆଣ୍ଡ ବି, ବିଏମ୍ସିର ଅଧିକାରୀ, ଟ୍ରାଫିକ୍ ଵିଙ୍ଗ୍, ସିକ୍ୟୁରିଟି ଵିଙ୍ଗ୍, ଇଣ୍ଟେଲିଜେନ୍ସ ଵିଙ୍ଗ୍ ଓ କାରକେଡ୍ ସହ ରହିବାକୁ ଥିବା ବାଟାଲିୟନ୍ର ଅଫିସରମାନେ ପୂରା ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ସେହିପରି ଅଗ୍ନିଶମ ବିଭାଗ ମଧ୍ୟ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇରହିଛି।

Related Posts

Seo wordpress plugin by www.seowizard.org.