Odisha News

ଅନଲାଇନରେ ଲାଞ୍ଚ ନେଇଥିବା ବେଳେ ଭିଜିଲାନସ ହାତରେ ଧରାପଡିଲେ ବାଉଁଶୁଣୀ ଥାନା ଏସଆଇ ବିକ୍ରମ କେଶରୀ ଦେହୁରୀ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୧୧: ବୌଦ୍ଧ ଜିଲ୍ଲା ପୁଲିସ ବିଭାଗର ଜଣେ ଲାଞ୍ଚୁଆ ଅଧିକାରୀ ଭିଜିଲାନ୍ସ ଦ୍ୱାରା ମଙ୍ଗଳବାର ଦିନ ଧରାପଡିଥିବା ଜଣାପଡିଛି । ପ୍ରକାଶ ଥାଉକି ଗତ ୧.୧୧.୨୧ ରିଖ ଦିନ ଜିଲ୍ଲା ପୁଲିସର ଡିଭିଏଫ କନେଷ୍ଠବଳ ହରିଶଚନ୍ଦ୍ର ସାହୁ ଗଂଜେଇ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ ଦେବା ନେଇ ଛଅ ଲକ୍ଷ ଟଙ୍କା ଧରି ଆସୁଥିବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡି ଗିରଫ ହୋଇଥିଲେ ।
ଠିକ ଏହାର ୨୦ ଦିନ ପରେ ପୁଣି ଜିଲ୍ଲାର ଜଣେ ଏସଆଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୁଚନା ମୁତାବକ, ବୌଦ୍ଧ ଜିଲ୍ଲା ବଘିଆପଡା ଅଞ୍ଚଳର କରୁଣାକର ନାଏକଙ୍କ ମଟରସାଇକେଲ କୌଣସି ଏକ ମାମଲାରେ ବାଉଁଶୁଣୀ ଥାନାରେ ଜବତ ହୋଇଥିଲା । ଏନେଇ କରୁଣାକର ଗାଡିକୁ ଛାଡିବା ପାଇ ବୌଦ୍ଧ କୋର୍ଟରେ ଆବେଦନ କରିଥିଲେ ।
ଗାଡିକୁ ଛାଡିବାକୁ କୋର୍ଟ ଆଦେଶ ମଧ୍ୟ ଦେଇଥିଲେ । କିନ୍ତୁ ଏସଆଇ ବିକ୍ରମ କୁମାର ଦେହୁରୀ ଗାଡିକୁ ଛାଡି ନଥିଲେ । ଓଲଟା ଲାଞ୍ଚ ମାଗୁଥିବା ନେଇ କରୁଣାକର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଏସଆଇ ବିକ୍ରମ କେଶରୀ ଦେହୁରୀ ୧୫ହଜାର ଟଙ୍କା ଅନଲାଇନରେ ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ଦ୍ୱାରାଧରାପଡିଥିଲେ ।
ଭିଜିଲାନ୍ସ କର୍ମଚାରୀ ମାନେ ଏସଆଇ ଶ୍ରୀ ଦେହୁରୀଙ୍କୁ ବାଉଁଶୁଣୀ ଥାନାରୁ ଧରିଆଣିଛନ୍ତି । ଏନେଇ ଭଜିଲାନ୍ସ ଡିଏସପି ସୁରେଶ କହଁରଙ୍କୁ ପଚାରିବାକୁ କୋର୍ଟର ଆଦେଶ ସ୍ୱତ୍ତେ ଏସଆଇ ଗାଡି ଛାଡିବାକୁ ୧୫ ହଜାର ଟଙ୍କା ଅନଲାଇନରେ ଲାଞ୍ଚ ନେଇଥିଲେ , ଏଣୁ ତାଙ୍କୁ ମଙ୍ଗଳବାର ଦିନ ଧରାଯାଇ ଏକ ମାମଲା ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ୨୩/୨୩ ରେ ରୁଜୁ କରାଯାଇ ଗିରଫ କରାଯାଇଥିବା ପ୍ରକାଶ କରିଛନ୍ତି । ଏହାସହ ଏସଆଇଙ୍କ ପୈତୃକ ବାସଭବନ ପୁରୁଣାକଟକ ଠାରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିବା ଜଣାପଡିଛି ।

ବୌଦ୍ଧିଲ୍ଲାରେ ପୁଣି ସ୍ଥିତି ହାଜିର କଲା ମାଓବାଦୀ: ପୁଲିସ ମାଓବାଦୀ ଗୁଳି ବିନିମୟ , ବହୁ ମାଓ ସାମଗ୍ରୀ ଜବତ
ବୌଦ୍ଧ,୨୨/୧୧: ମାଓ ପ୍ରବଣ ବୌଦ୍ଧ ଜିଲ୍ଲାରେ ପୁଣିଥରେ ମାଓବାଦୀ ନିଜର ସ୍ଥିତି ଜାହାରି କରିଛି । ମାଓବାଦୀ ଓ ପୁଲିସ ଗୁଳିମୟ ଫଳରେ ବହୁ ମାଓ ସାମଗ୍ରୀ ଜବତ କରିଛି ପୁଲିସ । ଏନେଇ ଏସପି ରାଜ ପ୍ରସାଦ ମଙ୍ଗଳବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରସାଦଙ୍କ ସୁଚନା ଅନୁଯାୟୀ ଗତ ୧୬ ତାରିଖରେ ପୁଲିସକୁ ଖବର ମିଳିଲା ଯେ ଜିଲ୍ଲାର ମନମୁଣ୍ଡା ଥାନା ଅର୍ନ୍ତଗତ ଶଗଡା ଫାଣ୍ଡି ଅଂଚଳରେ ଥିବା ରାବେଣଶ୍ୱର ଜଙ୍ଗଲରେ ୩୫ରୁ ୪୦ ମାଓବାଦୀ ବୁଲୁଛନ୍ତି ।
ଖବରପାଇବା ପରେ ଜିଲ୍ଲା ପୁଲିସ ପକ୍ଷରୁ ଏକ ପ୍ଳାନ କରି ଏସଓଜି ଓ ଡିଭିଏଫ ମାନଙ୍କୁ ଘଟଣା ସ୍ଥଳକୁ ପଠାଯାଇଥିଲା । ଗତ ୧୯ ତାରିଖରେ ମାଓବାଦୀ ମାନେ ହଠାତ ପୁଲିସ ଫୋର୍ସ ଉପରକୁ ଗୁଳିବିନିମୟ କରିବା ସହିତ ବମ୍ବିଙ୍ଗ କରିଥିଲେ । ପୁଲିସ ମଧ୍ୟ ପାଲଟା ଫାଇରିଙ୍ଗ କରିବା ପରେ ମାଓବାଦୀ ମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ଦୀର୍ଘ ୪୫ରୁ ୫୦ ମିନିଟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଆରକ୍ଷୀ ଅଧିକ୍ଷକ ସୁଚନା ଦେଇଛନ୍ତି ।
ମାଓବାଦୀ ମାନେ ଛତ୍ରଭଙ୍ଗ ଦେବା ପରେ ପୁଲିସ ଫୋର୍ସ ପକ୍ଷରୁ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବ୍ୟବହୃତ ସମାଗ୍ରୀ ଜବତ କରିବାରେ ସଫଳ ହୋଇଥିଲେ । ଆହୁରୀ ମଧ୍ୟ ୍ରଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରସାଦ କହିଥିଲେ ଯେହେତୁ ମହିଳାମାନଙ୍କ ବସ୍ତ୍ର ଜବତ କରାଯାଇଛି ତେଣୁ ମହିଳା ମାଓବାଦୀ ମାନେ ମଧ୍ୟ ସାମିଲ ଥିବା ସ୍ୱଷ୍ଟ ଜଣାପଡୁଛି ।
ଜବତ ମାଓ ସାମଗ୍ରୀ ଗୁଡିକ ମଧ୍ୟରେ ହେଲା ୩ ଗୋଟି ବିଦ୍ୟୁତ ବିସ୍ପୋରୋକ , ୨ ଗୋଟି ଏସବିଜିଲ ଏମଟି କେସ, ଗୋଟିଏ ବ୍ୟାଟେରୀ, ୬ ଗୋଟି ବ୍ୟାଟେରୀ କ୍ଳିପ, ୧୨ ବୋର ଏମଟି କେସ, ବିଦ୍ୟୁତ ତାର ଗୋଟିଏ ବଣ୍ଡଲ, ବ୍ଳାଷ୍ଟିଙ୍ଗ ତାର , ମାଓ ପୁସ୍ତିକା, ମାଓ ଟୋପି, ୬ ଗୋଟି ଛୂରୀ, ଗୋଟିଏ କୋଡି, ଗୋଟିଏ ଟାଙ୍ଗିଆ, ଦୁଇ ଗୋଟି କଇଁଚି, ଦୁଇଗୋଟି ଟର୍ଚ୍ଚ, ଔଷଧ. କଣ୍ଡମ , ଗର୍ଭ ନିରୋଧ ଔଷଧ, ଦୁଇଗୋଟି କଳାରଙ୍ଗର ଛତା, ୭ ଗୋଟି ପ୍ଳାଷ୍ଟିକ ଡ୍ରମ, ୩ ବଣ୍ଡଲ ଦଉଡି, ମହିଳା ବସ୍ତ୍ର ୬ ଗୋଟି , ବ୍ଳାକେଟ ୨ ଗୋଟି, ବ୍ଳେଜର ଗୋଟିଏ. ଶୀତ ବସ୍ତ୍ର ୨ ଗୋଟି, ରୋଷେଇ ସାମଗ୍ରୀ, ଷ୍ଟିଲ ମଗ, ଟିଫିନ, ଚପଲ ବାଉଁଶଲାଠି, ସହ ଆହୁରୀ ଅନେକ ସମାଗ୍ରୀ ଜବତ କରିଥିବା ସୁଚନା ଦେଇଥିଲେ । ଏନେଇ ମନମୁଣ୍ଡା ଥାନାରେ ଥାନା କେସନଂ ୨୮୦/୨୩ରେ ଏକ ମାମଲା ରୁଜୁ ହୋଇଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରସାଦ ସୁଚନା ଦେଇଥିଲେ ।
ଏହି ସାମ୍ବାଦିକ ସମ୍ମିନଳୀରେ ଏସଡିପିଓ କୈଳାସ ସେଠୀ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ବୌଦ୍ଧ ଜିଲ୍ଲାରେ ବହୁ ସମୟରେ ମାଓବାଦୀ ମାନେ ରହି ଚଳପ୍ରଚଳ କରୁଥିବା ବେଳେ ହରଭଙ୍ଗା ବ୍ଳକର ତଳଗାଁ ଓ କଣ୍ଟମାଳ ବ୍ଳକରେ ମାଓବାଦି ମାନେ ନିଜର ସ୍ଥିତ ହାଜିର କରିଆସୁଛନ୍ତି ।
ଗତ ୧୦.୭.୨୧ ମସିହାରେ ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକର ଉମା ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଧମାଳ ସୀମାନ୍ତ ଜଙ୍ଗଲ ସମାଡାଙ୍ଗୀ ଓ ନାଦେନ ଜଙ୍ଗଲରେ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ଗୁଳି ବିନିମୟ ଘଟି ୨ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସେହିପରି ଜିଲ୍ଲାର ହରଭଙ୍ଗା ବ୍ଲକରେ ଏକ ମହିଳା ମାଓବାଦୀକୁ ଗିରଫ କରାଯାଇଥିଲା ।
ଗତ ୨୦୨୦ ମସିହାରେ ବୌଦ୍ଧ ଜିଲ୍ଲାକୁ ମାଓବାଦୀ ମୁକ୍ତ ଜିଲ୍ଲା ଘୋଷଣା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ପୁଣି ଜିଲ୍ଲକୁ ମାଓ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା ।
ବୌଦ୍ଧଜିଲ୍ଲାରେ ପୁଲିସ ନିଷ୍କ୍ରିୟ ଦିନକୁ ଦିନ ବୃଦ୍ଧି ପାଉଛି ଚୋରୀ
ବୌଦ୍ଧ,୨୨/୧୧: ବୌଦ୍ଧଜିଲ୍ଲାରେ ଦିନକୁ ଦିନ ଚୋରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଚୋରୀ ରୋକିବାରେ ଜିଲ୍ଲା ପୁଲିସ ବିଭାଗ ବିଫଳ ହୋଇଛି । ଜିଲ୍ଲାରେ ପୁଲିସ ବିଭାଗର ନିଷ୍କ୍ରିୟ ଯୋଗୁଁ ଚୋରୀ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଅଭିଯୋଗ ହେଉଛି । ଚୋରମାନେ ଗୋଟିଏ ପରେ ଗୋଟିଏ ଚୋରୀ କରି ପୁଲିସ ଖୋଲା ଚାଲେଂଚ କରୁଛନ୍ତି ।
ଏପରିକି ଦୁର୍ବୃତ୍ତମାନେ ମନ୍ଦିର ଗୁଡିକୁ ମଧ୍ୟ ଛାଡି ନାହାନ୍ତି । ମନ୍ଦିର ଭିତରେ ଥିବା ଅଳଙ୍କାର ଓ ଅନ୍ୟାନ ଜିନିଷ ସବୁ ଲୁଟି ନେଉଛନ୍ତି । ଯାହାଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଦୁର୍ବୃତ୍ତମାନେ କିଛି ବଡ ଧରଣର ଚୋରୀ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ସୂଚନା ଯାଇ, କଣ୍ଟାମାଳ ବ୍ଲକର ଘଣ୍ଟାପଡା ଥାନା ଅଂଚଳରେ ଥିବା ଘଣ୍ଟାପଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଗତ ୧୬ ତାରିଖ ରାତିରେ ଚୋରମାନେ ଗ୍ରୀଲ ଭାଙ୍ଗି ଚୋରୀ କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା ବେଳେ ବିଭିନ୍ନ ଜିନିଷ ସବୁ ନଷ୍ଟ କରିଦେଇଛନ୍ତି ।
ସେହିପରି କଣ୍ଟାମାଳ ତହସିଲଦାରଙ୍କ ଘର ଗତ ୧୨ ତାରିଖ ରାତିରେ ଚୋରୀ ହୋଇଥିବା ନେଇ କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଥିଲା । ସେହିପରି ଗତ ୧୬ ତାରିଖରେ ବୌଦ୍ଧ ସହର ବୁଟୁପାଲି ଅଂଚଳରୁ ଏକ ବୁଲେଟ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।
ବୌଦ୍ଧ ଥାନା ଅନ୍ତର୍ଗତ ହରେକୃଷ୍ଣପୁର ଗ୍ରାମରେ ଥିବା ହରିହର ମନ୍ଦିରରୁ ଓ ବୃନ୍ଦାବନ ଗ୍ରାମ ଠାରେ ଥିବା ଦୁର୍ଗା ମନ୍ଦିରରୁ ଗତ ୧୫ ତାରିଖ ରାତିରେ ଚୋରୀ ହୋଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା । ସେହିପରି ଗତ ୩ ତାରିଖରେ ବଘାରପାଲି ଗ୍ରାମ ଶିବ ମନ୍ଦିରରୁ ଚୋରୀ ହୋଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା ।
ଗତ ୫ ତାରିଖ ରାତିରେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟିଆପଡା ଗ୍ରାମରେ ଚୋରୀ କରୁଥିବା ବେଳେ ଜଣେ ନାବାଳକ ଗ୍ରାମବାସୀଙ୍କ ଦ୍ୱାରା ଧରାପଡିଥିବା ବେଳେ ଘଟଣାସ୍ଥଳରୁ ଚାରି ଜଣ ଫେରା ହୋଇଯାଇଥିଲେ ।
ସେହିପରି କଣ୍ଟାମାଳ ଥାନା ଖଲିଆପାଲି ସ୍କୁଲରୁ ଗତ ୭ ତାରିଖରେ ଚୋରୀ ହୋଇଥିବା ନେଇ କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଛି । ସେହିପରି ବାଉଁଶୁଣୀ ଥାନା ଖଜାପଦର ଅଙ୍ଗନୱାଡି କେନ୍ଦ୍ରରୁ ୬ ତାରିଖ ଚୋରୀ ହୋଇଥିବା ନେଇ ବାଉଁଶୁଣୀ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।
ଗତ ଶନିବାର ରାତିରେ ବୌଦ୍ଧ ସହର ନୂଆଁସାହିର ଜଣେ ଯୁବକଙ୍କ ବାଇକ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ସେହିରାତିରେ ପୁରୁଣାକଟକ ଥାନା ଲଇଗାଁ ସ୍କୁଲ ନିକଟରେ ଥିବା ଏକ ଟ୍ରାନ୍ସଫରମୋର ଚୋରୀ ହୋଇଥିବା ଜଣାପଡିଛି । ଚୋରମାନେ ଚୋରୀ କରି ଚାଲିଥିବା ବେଳେ ପୁଲିସ ଚୋରମାନଙ୍କର ଟେର ନ ପାଇବା ପୁଲିସର କାର୍ଯ୍ୟ ଦକ୍ଷତା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଯାହାଫଳରେ ଜନସାଧାରଣ ସେମାନଙ୍କ ଧନଜୀବନ ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେଣି । ଜିଲ୍ଲାରେ ପୁଲିସ ବିଭାଗ ତାର କାର୍ଯ୍ୟକଳାପକୁ ନେଇ ଜନସାଧାରଣଙ୍କ ଆସ୍ଥା ହରାଇ ବସିଛି । ଏପରିସ୍ଥଳେ ପୁଲିସ ନିଜର ଭାବମୂର୍ତ୍ତିକୁ ସଜାଡିବାକୁ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀରେ ଆଲୋଚନା ହେଉଛି ।
ବୌଦ୍ଧ ଠାରେ ବିଶ୍ଵ ମତ୍ସ୍ୟ ଦିବସ ମହା ସମାରୋହରେ ପାଳିତ
ବୌଦ୍ଧ,୨୨/୧୧: ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ବିଶ୍ଵ ମତ୍ସ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ଵାଇଁ ଅସନ୍ତୁଳିତ ପରିବେଶକୁ ରକ୍ଷା କରିବା ଆମର ଦାୟିତ୍ଵ ବୋଲି ମତବ୍ୟକ୍ତ କରିବା ସହ ରାସାୟନିକ ସାର, ଔଷଧ ବିନା ଚାଷ, ଡିଟରଜେଣ୍ଟ, ଫିନାଇଲର ବ୍ୟବହାର କମ କରିବା, କମପୋଷ୍ଟ ଖତର ବ୍ୟବହାର କରିବା, ପ୍ରାକୃତିକ ଉପାୟରେ ଆଗାମୀ ଯୁବପିଢୀଙ୍କୁ ସୁଯୋଗ ଦେବା ପାଇଁ ଆହ୍ଵାନ କରିଥିଲେ ।
ସମ୍ମାନିତ ଅତିଥିଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ରବି ନାରାୟଣ ତ୍ରିପାଠୀ ମାଛଚାଷର ଗୁରୁତ୍ଵ, ପରିବେଶ ର ସନ୍ତୁଳନ ଦିଗରେ ଆଲୋକପାତ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବେ ଉପ-ମତ୍ସ୍ୟ ନିର୍ଦେଶକ, ବଲାଙ୍ଗିର ମଣ୍ଡଲ ନୀଳାମ୍ବର କିଲାକା ଗଛ ଲଗାଇବା, ବଡ ଉତ୍ସର ପୁନରୁଦ୍ଦାର ଦିଗରେ ବକ୍ତବ୍ୟ ରଖିଥିଲେ ।
ମୁଖ୍ୟ କୃଷି ନିର୍ବାହୀ ଅଧିକାରୀ, ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ, ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଜଳଛାୟା ପ୍ରକଳ୍ପ ବୌଦ୍ଧ ଯୋଗ ଦେଇ ପରିବେଶ ର ସନ୍ତୁଳନ ରକ୍ଷା କରି ଅଧିକ ମତ୍ସ୍ୟ ଉତ୍ପାଦନ ର ସମ୍ଭାବନା ସୃଷ୍ଟି, ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀଙ୍କ ରୋଜଗାରକୁ ଦୀର୍ଘମୟ ଓ ଅତୁଟ ରଖାଯାଇ ପାରିବ, ମଣିଷର ସଚେତନତା ହିଁ ପରିବେଶ ତଥା ସମସ୍ତ ଜଳଜୀବଙ୍କ ବଂଶ ଲୋପ ହେବାରେ ସହାୟକ ହେବ, ବାୟୁମଣ୍ଡଳ, ଜଳ, ମାଟି ପ୍ରଦୂଷଣ ମୁକ୍ତ କରିବା, ମାଟିର ଉର୍ବରତା ରକ୍ଷା କରିବା, ଅର୍ଗାନିକ ଫାର୍ମିଙ୍ଗ, ମୃତ୍ତିକା ପରୀକ୍ଷା, ଭଲ ବିହନର ବ୍ୟବହାର, ଜୈବିକ ସାରର ପ୍ରୟୋଗ, ରାସାୟନିକ ସାରର ବ୍ୟବହାରକୁ କମ କରାଯାଇ ପାରିବ ସେ ବିଷୟରେ ଅତିଥିବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଜିଲ୍ଲାର ୩ଟି ବ୍ଲକରୁ ୬୦ ରୁ ଉର୍ଦ୍ଧ ମତ୍ସ୍ୟଚାଷୀ ଉପସ୍ଥିତ ରହିଥିଲେ । ଏଥିସହିତ ମତ୍ସ୍ୟ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ ଉପସ୍ଥିତ ଥିଲେ ।
ଜିଲ୍ଲା ମତ୍ସ୍ୟ ଅଧିକାରୀ ଲିପ୍ସା ପଟ୍ଟନାୟକ ସ୍ଵାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଏବଂ ଏହି ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଶେଷରେ ବରିଷ୍ଠ ବୈଷୟିକ ମତ୍ସ୍ୟ ଅଧିକାରୀ ବିଶ୍ଵମ୍ବର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ସହକାରୀ ମତ୍ସ୍ୟ ଅଧିକାରୀ ଲୀଲୀପ୍ତା ଦାସ ଏବଂ ଅଂଶୁମାନ ପଣ୍ଡା, ରାକେଶ ସ୍ଵାଇଁ , ବିଶ୍ଵନାଥ ଖେତି, କର୍ମଚାରୀ ରୋଜାଲିନ ସାହୁ, ଶ୍ରୀହରି ମେହେର, ଗୁପ୍ତେ ମେହେର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଏହି ବୈଠକରେ ୪ଗୋଟି ସ୍ଵୟ ସହାୟିକା ଗୋଷ୍ଠୀ ଆଦିଶକ୍ତି, ମାହେଶ୍ଵରୀ, ଭଗବତୀ ଓ ଭୈରବୀଙ୍କୁ ଟ.୧୦,୦୦୦/- ଲେଖାଏଁ ଆବର୍ତ୍ତନ ପାଣ୍ଠି ମାଛଚାଷ ପାଇଁ ପ୍ରଦାନ କରାଗଲା । ସଫଳ ମାଛଚାଷୀ ଭାବେ ବଲ୍ଲଭ ରଣା, ସଫଳ ସ୍ଵୟଙ୍ଗ ସହାୟିକା ଗୋଷ୍ଠୀଭାବେ ମାଁ ଭୈରବୀ ଗ୍ରୁପ, କୁସୁମଝୁଲି, ସଫଳ ବାୟୋଫ୍ଲକ ଚାଷୀଭାବେ ସୌଦାମିନୀ ଗାଈଗୋରିଆଙ୍କୁ ପୁରସ୍କୃତ କରାଯାଇଥିଲା ।
ଗମ୍ଭୀରାଦରହ ଠାରେ ଜଳଭଣ୍ଡାର ନିର୍ମାଣ ଦାବିରେ ବଘିଆପଡ଼ା ଠାରେ ଚାଷୀ ସମା ବେଶ
ବୌଦ୍ଧ; ୨୨/୧୧: ବୌଦ୍ଧ ଜିଲ୍ଲା ଟିକରପଡ଼ାର ପଂଚାୟତ ଗମ୍ଭୀରାଦରହ ଠାରେ ଏକ ଜଳଭଣ୍ଡାର ନିର୍ମାଣ ଦାବିରେ ଆଜି ବଘିଆପଡ଼ା ହାଟପଦା ଠାରେ ଚାଷୀ ନେତା ସୂର୍ଯ୍ୟ ନାରାୟଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣସଭା ଓ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ବିଶ୍ୱେଶ୍ୱର୍ ତୁଡୁଙ୍କ ସମ୍ଭାବ୍ୟ ଗସ୍ତ ବିଷୟରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା ।
ମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କୁ କିପରି ସମ୍ବର୍ଦ୍ଧନା ଜ୍ଞାପନ କରାଯିବ ଓ ଜଳଭଣ୍ଡାର ନିର୍ମାଣ ପାଇଁ ପୁର୍ନବାର ଆନ୍ଦୋଳନ ସକାଶେ ଆସନ୍ତା ଡିସେମ୍ବର ଆଠ ତାରିଖ ରେ ଟିକରପଡ଼ା ଠାରେ ଏକ ବଡ ଧରଣର ପ୍ରସ୍ତୁତି ବୈଠକ ଆୟୋଜନ କରାଯିବ । ଏଥିରେ ବଘିଆପଦା,ଆମ୍ବଝରି, ଟିକରପଡ଼ା, ବ୍ରାହ୍ମଣୀପାଲି ଆଦି ପଞ୍ଚାୟତ ସମେତ ସମଗ୍ର ସାଲୁଙ୍କି ଜଳସେଚିତ ଅଞ୍ଚଳ ର ଚାଷୀ ଙ୍କୁ ଯୋଗ ଦେବାପାଇଁ ଅନୁରୋଧ କରାଯାଉଛି। ଏହି ବୈଠକ ରେ ନବୀନ ପ୍ରଧାନ,ସତ୍ୟାନନ୍ଦ ସାହୁ,ହରିହର ଭୋଇ,ସୁରେନ୍ଦ୍ର ପ୍ରଧାନ,ପାଲେଶ୍ୱର୍ ଭୋଇ,ଝରିଆ ସାହୁ,ସୁବାସ ଚନ୍ଦ୍ର ପ୍ରଧାନ,ମୃତୁଞ୍ଜୟ ପୃଷ୍ଟି,କ୍ଷେତ୍ରବାସୀ ପ୍ରଧାନ ପ୍ରମୁଖ ଚାଷୀ ଓ ଚାଷୀନେତା ଉପସ୍ଥିତ ଥିଲେ ।
ଆଠ ବର୍ଷ ଆବାସ ଯୋଜନାରେ ଘର କରି ହିତାଧିକାରୀ ଅର୍ଥ ନପାଇ ହତାଶ
ବୌଦ୍ଧ,୨୨/୧୧: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ବିରାମଚନ୍ଦ୍ରପୁର ଗ୍ରାମର ବୀର ଜାଲ ଆବାସ ଯୋଜନାରେ ଘର କରି ଦୀର୍ଘ ଆଠ ବର୍ଷ ହେଲା ଅର୍ଥ ନପାଇ ଥିବାର ଅଭିଯୋଗ ହେଉଛି । ଏନେଇ ସେ ଜିଲ୍ଲାପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାର କୁହାଯାଉଛି ।
ସେ ଜଣେ ଅସହାୟ ରୋଗାକ୍ରାନ୍ତ ଗରିବ ହିତାଧିକାରୀ କାରି ହୋଇ ଥିବାରୁ ତାହାର ଦୁଃଖ ବୁଝି ବାକୁ କେହି ନାହାନ୍ତି । ସୂଚନା ମତେ, ସେ କାର୍ଯ୍ୟାଦେଶ ସଂଖ୍ୟା ୩୪ ତାରିଖ ୮.୧୨.୨୦୧୪ ରେ ଆବାସ ଯୋଜନାର କାର୍ଯ୍ୟାଦେଶ ପାଇଥିଲେ। ଏବଂ ସେ ଧାରକାରଜ କରଜ କରି ଘର ଖଣ୍ଡିକ କରିଦେଲେ। ଘର କାମ ସମ୍ପୂର୍ଣ୍ଣ କରି ଟଙ୍କା ପାଇଁ ଅପେକ୍ଷା କରି ରହିଥିଲେ।
ହେଲେ ତାଙ୍କୁ ଆଉ ଟଙ୍କା ମିଳିଲା ନାହିଁ। ଫଳରେ ଧାର କରଜ କରି ଘର କରିଥିବାରୁ ଟଙ୍କା ନପାଇବାରୁ ଋଣ ସୁଝି ନପାରି ହତାଶ ହୋଇ ପଡିଛନ୍ତି। ଧାର ଦେଇଥିବା ଲୋକ ଟଙ୍କା ପାଇଁ ବାରମ୍ବାର ଘରକୁ ଦୌଡୁଛନ୍ତି। ଏପରିକି କାର୍ଯ୍ୟାଦେଶ ପାଇବାର ତିନି ମାସ ଭିତରେ ଘର କଲେ ବୋନସ ଟଙ୍କା ମିଳିବ ଓ ଠିକ ସମୟ ରେ ଘର କରି ନ ପାରିଲେ ଏଥିରୁ ବଞ୍ଚିତ ହେବ ଭାବି ସେ ଠିକ ସମୟ ରେ ଘର କରି କାର୍ଯ୍ୟାଦେଶ ଅନୁସାରେ ସମୁଦାୟ ୭୦ ହଜାର ଟଙ୍କା ମିଳିବା କଥା ହେଲେ ତାହା ଆଜି ପର୍ଯ୍ୟନ୍ତ ମିଳି ପାରୁନାହଁ ।
ବିଭାଗ କର୍ମଚାରୀ ଙ୍କ ଆନ୍ତରିକତାର ଅଭାବ ଯୋଗୁଁ ସେ ଆବାସ ଯୋଜନାର ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି। ହିତାଧିକାରୀକାରୀଙ୍କ କୌଣସି ଆର୍ଥିକ ସମ୍ବଳ ନଥିବାବେଳେ ରୋଜଗାର କରିବାକୁ କେହି ନାହାନ୍ତି । ଜିଲ୍ଲା ପ୍ରଶାସନ ଏଦିଗରେ ଗୁରୁତ୍ଵ ଦେଇ ତୁରନ୍ତ ଆବାସ ଯୋଜନା ରେ ପଡିରହି ଥିବା ଟଙ୍କା କୁ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Related Posts

Seo wordpress plugin by www.seowizard.org.